ETV Bharat / state

କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା

author img

By ETV Bharat Odisha Team

Published : Dec 3, 2023, 5:50 PM IST

କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା । ମୀନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ରାଜଧାନୀ ବାସୀ । ଏହି ବାଲିଯାତ୍ରା ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଜି ରବିବାରରେ ଜନସମୁଦ୍ର ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ,

କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା
କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା

କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ବର: କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା । ରଙ୍ଗୀନ ଆଲୋକ ସହ ମୀନା ବଜାର ଓ ସେଲିବ୍ରିଟିଙ୍କ ପ୍ରଦର୍ଶନ ବାଲିଯାତ୍ରାର ଉତ୍ସାହକୁ ଦ୍ବିଗୁଣିତ କରିଛି । ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ଭୁବନେଶ୍ବର ବାଲିଯାତ୍ରା ଚଳିତ ବର୍ଷ ୭ମ ସଂସ୍କରଣ ହୋଇଥିବା ବେଳେ ୫ମ ଥର ପାଇଁ ଆୟୋଜିତ ହୋଇଛି । ଏଠାରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ସନ୍ଧ୍ୟା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି ।


ଲୋକଙ୍କୁ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ: ଭୁବନେଶ୍ବର କୁଆଖାଇ କୂଳରେ ବାଲିଯାତ୍ରାର ମଜା ଉଠାଉଛନ୍ତି ରାଜଧାନୀବାସୀ l ଏଠାରେ ପ୍ରାୟ ୧୨୦୦ ଷ୍ଟଲ ଲାଗିଥିବା ବେଳେ, ଭଳିକି ଭଳି ଦୋଳି, ଖାଇବା ଷ୍ଟଲ, ଘରକରଣା ସାମଗ୍ରୀ, ସାଧନ ସାମଗ୍ରୀ, ଖେଳନା, ଟାଟୁ ଓ ମେହେନ୍ଦି ସେଣ୍ଟର ର ସମ୍ଭାର ଖୋଲିଛି । ଏସବୁ ମଧ୍ୟରେ ଦର୍ଶକ ମାନଙ୍କୁ ମତୁୱାଲା କରୁଛି ଓଲିଉଡ ଓ ବଲିଉଡ କଳାକାରଙ୍କ ନୃତ୍ୟ, ଗୀତ ଓ ବିଭିନ୍ନ ଲୋକକଳା କାର୍ଯ୍ୟକ୍ରମ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଛି । ଏଥିସହ ଠୁଙ୍କା ପୁରୀ ସାଜିଛି ଲୋକମାନଙ୍କ ପ୍ରିୟ ଖାଦ୍ୟ । ନିଜ ପରିବାର ଓ ସାଙ୍ଗସାଥୀ ମାନଙ୍କ ସହ ରାଜଧାନୀବାସୀ ମନଭରି ବାଲିଯାତ୍ରାକୁ ଉପଭୋଗ କରୁଛନ୍ତି ।

ସୁରକ୍ଷା ବ୍ୟବସ୍ଥା କଡାକଡି: ଅନ୍ୟପଟେ ନଭେମ୍ବର ୨୭ ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଡିସେମ୍ବର ୫ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହାକୁ ନେଇ ଭୁବନେଶ୍ବର ବାଲିଯାତ୍ରା କମିଟିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସହିତ ପୋଲିସ ପ୍ରଶାସନ ସମସ୍ତଙ୍କ ସହଯୋଗରେ ଏହା ଆୟୋଜନ କରାଯାଇଛି l ମୁଖ୍ୟତଃ ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବା ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଥିବା ବେଳେ ପାନୀୟଜଳ, ବିଦ୍ୟୁତ, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦିର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୫ ପ୍ଲାଟୁନ ପୋଲିସ ଫୋର୍ସ, ପୋଲିସ ମିତ୍ର ଓ ୩୦୦ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ନିୟୋଜିତ ହୋଇଛନ୍ତି । ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମେସିନ ନୁହେଁ ତନ୍ତରେ ପ୍ରସ୍ତୁତ ହେଉଛି ଶାଢ଼ୀ, ବାଲିଯାତ୍ରାରେ ପାରମ୍ପରିକ ସାମଗ୍ରୀର ଡିମାଣ୍ଡ


କାଲି ସାମିଲ ହେବେ ଅନୁ ମଲ୍ଲିକ: ସୋମବାର ସନ୍ଧ୍ୟାରେ ବଲିଉଡ କଳାକାର ମାନଙ୍କ ଝଲକ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଥିବା ବେଳେ ବଲିଉଡ଼ ର ବିଶିଷ୍ଟ କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଏଥରର ମୁଖ୍ୟ ଆକର୍ଷଣ ସାଜିଛନ୍ତି l ଏହାକୁ ନେଇ ଉତ୍ସାହିତ ଅଛନ୍ତି ରାଜଧାନୀବାସୀ l ଏଥିସହ ଆଜି ରବିବାର ହୋଇଥିବାରୁ ମଧ୍ୟ ପ୍ରବଳ ଜନସମାଗମ ହୋଇପାରେ ବୋଲି କୁହାଯାୁଛି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.