ETV Bharat / state

AP Train Accident: ସରିଲା ରେସ୍କ୍ୟୁ ଅପରେସନ୍‌, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କହିଲେ CPRO

author img

By ETV Bharat Odisha Team

Published : Oct 30, 2023, 2:25 PM IST

Updated : Oct 30, 2023, 2:51 PM IST

ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସିପିଆର୍‌ଓଙ୍କ ସୂଚନା । ଅଧିକ ପଢ଼ନ୍ତୁ

Andhra Pradesh Train Accident
Andhra Pradesh Train Accident

train accident news

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ରେଳ ଦୁର୍ଘଟଣା । ଘଟଣା ସ୍ଥଳରେ ଶେଷ ହୋଇଛି ରେସ୍କ୍ୟୁ ଅପରେସନ୍‌ । ଦୁର୍ଘଟଣାରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ ନାହାନ୍ତି । ତଦନ୍ତ ପାଇଁ ଆଉ କିଛି ସମୟରେ ଦୁର୍ଘଟଣା ସ୍ଥଳରେ ରେଳ ସୁରକ୍ଷା କମିଶନର (CRS) ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ ।

ଏହା ମଧ୍ୟ ପଢନ୍ତୁ-AP Train Tragedy: ହସ୍ପିଟାଲରେ ଆହତଙ୍କୁ ଭେଟିବେ, ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍‌ ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ୪୫ଟି ଟ୍ରେନ୍‌ ବାତିଲ ହୋଇଛି । ୪୧ଟି ଟ୍ରେନ୍‌ ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇଛି । ୪ଟି ଟ୍ରେନ୍‌ ରିସିଡ୍ୟୁଲ ହୋଇଛି । ପୁନରୁଦ୍ଧାରରେ ୧୦ଟି ପ୍ରୋକ୍ଲେନ ମେସିନ୍‌, ୧୪୦ ଟନର ଗୋଟିଏ ରେଲ୍ କ୍ରେନ୍ ଓ ପ୍ରାୟ ୮୦୦ ମାନବ ସମ୍ବଳ ନିୟୋଜନ ହୋଇଛନ୍ତି । ତ୍ୱରିତ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ୫ଟି କୋଚ୍‌କୁ ଗ୍ରାଉଣ୍ଡେଡ୍‌ କରାଯାଇଛି ବା ଟ୍ରାକ୍‌ରୁ ହଟାଯାଇଛି । ପ୍ରଥମେ ଡାଉନ୍ ଲାଇନ୍‌କୁ ଫିଟ୍ କରାଯିବ । ଟ୍ରାକ୍‌ ଫିଟ୍ ହୋଇଯିବା ପରେ ୨-୩ ଘଣ୍ଟା ପରେ ଟ୍ରାକ୍‌ରେ ଗଡିବ ଟ୍ରେନ୍‌ । ଯଦି ନିର୍ଦ୍ଧାରିତ ସମୟ ଭିତରେ ଟ୍ରାକ୍‌ ଫିଟ୍ ନହୋଇପାରିବ, ତେବେ ଆଉ କିଛି ଟ୍ରେନର ମାର୍ଗ ପରିବର୍ତ୍ତନ ହୋଇପାରେ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଟ୍ରାକ୍‌ ଫିଟ୍‌ ହୋଇଯିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Andhra Pradesh Train Accident: ଶୋକପ୍ରକାଶ କଲେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ

ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, "ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଭୟଭୀତ ହୁଅନ୍ତୁ ନାହିଁ । ସୂଚନା ପାଇଁ ରେଲୱେ ହେଲ୍ପ ଲାଇନକୁ ଯୋଗାଯୋଗ କରନ୍ତୁ । ରେଳୱେ ପକ୍ଷରୁ ଯେଉଁ ସୂଚନା ଓ ମେସେଜ ଦିଆଯାଉଛି ତାକୁ ହିଁ ବିଶ୍ୱାସ କରନ୍ତୁ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୧୧ ଜଣଙ୍କୁ ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ (ଗାର୍ଡ ଓ ଲୋକୋ ପାଇଲଟ) ଅଛନ୍ତି । ୫୦ ଜଣ ଆହତ ହୋଇଛନ୍ତି । ୨୯ ଜଣ ଏବେ ହସ୍ପିଟାଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 2:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.