ETV Bharat / state

ଆମ ହସ୍ପିଟାଲ ଯୋଜନା, ଜିଲ୍ଲାପାଳଙ୍କୁ ମିଳିଲା ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା

author img

By

Published : Mar 21, 2023, 7:11 AM IST

ଆମ ହସ୍ପିଟାଲ ଯୋଜନାର ତଦାରଖ ପାଇଁ ଗଠନ ହେଲା କମିଟି । ଜିଲ୍ଲାପାଳଙ୍କୁ ମିଳିଲା ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା । କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ଜିଲ୍ଲା କମିଟି ଗଠନ କରାଯାଇଛି । ଅଧିକ ପଢ଼ନ୍ତୁ

ama hospital scheme
ଆମ ହସ୍ପିଟାଲ ଯୋଜନା

ଆମ ହସ୍ପିଟାଲ ଯୋଜନା

ଭୁବନେଶ୍ବର: ୫ଟି ନୀତି ଅନୁସାରେ ପ୍ରଣିତ 'ଆମ ହସ୍ପିଟାଲ ଯୋଜନା' ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଫଳରେ ରୂପାନ୍ତରଣ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ଏଡାଇ ଦିଆଯାଇପାରିବ । କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞନ ପୂଜାରୀ କହିଛନ୍ତି ।

ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି । କାର୍ଯ୍ୟର ଗୁଣବତ୍ତା ଏବଂ ଠିକ ସମୟରେ ସମାପ୍ତି ପାଇଁ କମିଟି ପ୍ରକଳ୍ପ ଏବଂ କାର୍ଯ୍ୟକାରିତା ମୋଡାଲିଟି ଚୂଡାନ୍ତ କରିବେ । କମିଟି ହସ୍ପିଟାଲ ପରିଦର୍ଶନ ଏବଂ ଯାଞ୍ଚ ମାଧ୍ୟମରେ ଅଗ୍ରଗତିର ମାସିକ ସମୀକ୍ଷା ମଧ୍ୟ କରିବେ ।

ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ 'ଆମ ହସ୍ପିଟାଲ ଯୋଜନା' କରିଛନ୍ତି । ଏହା ଜରିଆରେ ରାଜ୍ୟର ୧୪୭ ଚିକିତ୍ସାଳୟକୁ ରୂପାନ୍ତର କରାଯିବ। ଯେଉଁଥିରେ ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତେବେ ଏହାଦ୍ବାର ହସ୍ପିଟାଲ ସେବା କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ସୌନ୍ଦର୍ଯ୍ୟକରଣ ମଧ୍ୟ ବୃଦ୍ଧି ହେବ । ଏହାରି ଭିତରେ 'ଆମ ହସ୍ପିଟାଲ ଯୋଜନା'ରେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ଏବଂ ୟୁନିଟ 4 ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇଛି । ଏହାଦ୍ବାରା ହସ୍ପିଟାଲକୁ ଅଧିକ ବିକଶିତ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ।

ସେହିପରି କ୍ୟାପିଟାଲ ହସ୍ପିଟାଲ ଓ ୟୁନିଟ-୪ ସ୍ବାସ୍ଥ୍ୟକେନ୍ଦ୍ର 'ଆମ ହସ୍ପିଟାଲ ଯୋଜନା'ରେ ସ୍ଥାନ ପାଇବା ପରେ ଏବେ ରୂପାନ୍ତର କାର୍ଯ୍ୟ ଆରମ୍ଭ କରାଯିବ । ଡିସେମ୍ବର ସୁଦ୍ଧା ଏହି ରୂପାନ୍ତର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହାଦ୍ବାରା ଉଭୟ ଡାକ୍ତର, ରୋଗୀ, କର୍ତ୍ତୃପକ୍ଷ ଏବଂ ରୋଗୀଙ୍କ ସର୍ମ୍ପକୀୟ ଉପକୃତ ହେବେ । ଲୋକମାନେ କିଭଳି ମାଗଣାରେ ଚିକିତ୍ସା ସୁବିଧା ପାଇେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଏହା ସହିତ ଜଣେ ରୋଗୀ ଚିକିତ୍ସାଳୟକୁ ଆସିଲେ ଏହାକୁ ଯେପରି ନିଜ ଘରଭାବେ ଭାବିବେ ସେଥିପ୍ରତି ଏହି ଯୋଜନାର ଉଦ୍ଦେଶ୍ୟ ରହିଛି ।

ଅନ୍ୟପକ୍ଷରେ ଲୋକମାନେ ଏଠାକୁ ଆସିଲେ ରାସ୍ତାଘାଟରୁ ନେଇ ସେମାନେ କିଭଳି ଭଲ ଚିକିତ୍ସା ପାଇପାରିବେ ତା'ଉପରେ ନଜରରେ ରଖାଯାଇଛି । ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ଚିକିତ୍ସା ବିଷୟରେ ସୂଚନା ଦିଆଯିବ । କେଉଁଠି କେଉଁ ବିଭାଗ ରହିଛି ଆଦି ଏ ସମ୍ପର୍କରେ ସାଇନ ବୋର୍ଡ ରହିବ । ଏହାଛଡା ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ, ବିଭିନ୍ନ ବିଭାଗରେ ଗରମ ପାଣି ସହିତ ଥଣ୍ଡା ପାଣିର ବ୍ୟବସ୍ଥା, ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ଆଦିକୁ ଅଧିକ ଗୁରୁତ୍ବ ଦିଆଯାଇଛି । 'ଆମ ହସ୍ପିଟାଲ ଯୋଜନା' ଯେପରି ଆମ ଘର ଭଳି ଲାଗିବ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.