ETV Bharat / state

ଅକ୍ଟୋବରରୁ ସବୁ ସବ୍‌ଡିଭିଜନରେ କୃଷିମେଳା

author img

By ETV Bharat Odisha Team

Published : Sep 8, 2023, 7:22 AM IST

ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କୃଷି ଯନ୍ତ୍ରପାତି ମେଳା ୫୮ ସବଡ଼ିଭିଜନରେ ଆୟୋଜନ କରାଯିବ । ଅଧିକ ପଢନ୍ତୁ

Agricultural Machinery Fair
Agricultural Machinery Fair

Agricultural Machinery Fair

ଭୁବନେଶ୍ବର: କୃଷି ଭବନରେ ଆୟୋଜିତ ହୋଇଯାଇଛି ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ବୈଠକ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଏବଂ ବିକ୍ରେତାମାନେ ଯୋଗ ଦେଇଥିଲେ । କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବା ସହ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ବୋଲି କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।।

କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୩-୨୪ ବର୍ଷରେ ରାଜ୍ୟରେ ୭୦ ହଜାର କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଦ୍ୟାବଧି ୨୪,୬୯୩ ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ ୧୫୧.୨୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

''ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନଙ୍କ ପାଇଁ ସଫଳ ଆପ ପ୍ରଚଳନ କରାଯାଇଛି । ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା ୪୦ରୁ ୬୦ ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା ୭୫ ଭାଗ ରିହାତି ପ୍ରଦାନ କରାଯାଉଛି । ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି । କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଏସଏଚଜି ମହିଳାଙ୍କୁ ମାଗଣା ଯନ୍ତ୍ରପାତି ପ୍ରଦାନ


କୃଷି ଯାନ୍ତ୍ରିକୀକରଣ ଫଳରେ ଓଡ଼ିଶାରେ କୃଷି କ୍ଷେତ୍ରରେ ୨୦୦୦-୦୧ ମସିହାରେ ବିଦ୍ୟୁତ ଶକ୍ତି ବ୍ୟବହାର ହେକ୍ଟର ପିଛା ୦.୬୨ କିଲୋୱାଟରୁ ବୃଦ୍ଧି ପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟରେ ପହଞ୍ଚିଛି । ଏହା ଦ୍ୱାରା କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନରେ ଚାଷ କାମ ସମତାଳ ଓ ସମୟାନୁସାରେ ହୋଇପାରୁଛି । ବିଗତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ କରାଯାଇଛି । ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ୫୮ ସବଡ଼ିଭିଜନରେ ଏହା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ । ମେଳା ସମୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କୃଷି ଯନ୍ତ୍ରପାତି ଓ ଉପକରଣର ଦାମ ଏବଂ ଏଥିରେ ମିଳୁଥିବା ରିହାତି ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, ବିଗତ ପାଞ୍ଚବର୍ଷରେ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ମୋଟ ୧,୭୦,୨୯୬ ଗୋଟି କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ୧୦୦୫.୮୩୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ଟ୍ରାକ୍ଟର, ପାୱାର ଟିଲର, କମ୍ବାଇନ ହାର୍ଭେଷ୍ଟର, ଧାନକଟା ଯନ୍ତ୍ର, ରୋଟାଭେଟର, ଧାନରୁଆ ଯନ୍ତ୍ର, ବହୁବିଧ ଶସ୍ୟ ଅମଳ ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର ଓ କ୍ଷୁଦ୍ର ଧାନକଳ ଆଦି ରହିଛି । ବୈଠକରେ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶତାଧିକ ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.