ETV Bharat / state

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଏସଏଚଜି ମହିଳାଙ୍କୁ ମାଗଣା ଯନ୍ତ୍ରପାତି ପ୍ରଦାନ

author img

By

Published : Mar 4, 2023, 12:11 PM IST

ବୌଦ୍ଧ ଜିଲ୍ଲାରେ ଚାରି ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ
district level agriculture machinery fair

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ,

ବୌଦ୍ଧ: ରାଜ୍ୟରେ ମହିଳା ସଶକ୍ତିକରଣ ନେଇ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ବିଶେଷ କରି କୃଷି ଭିତ୍ତିକ ଜିଲ୍ଲାରେ ଅର୍ଥକାରୀ ଫସଲ ଜୈବିକ ପଦ୍ଧତିରେ ଚାଷ କରି ମହିଳା ଗୋଷ୍ଠୀ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଗୁରୁତ୍ବାରୋପ କରାଯାଇଛି । ରାଜ୍ୟ ସରକାର ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଗ୍ରହୀ ମହିଳା ଗୋଷ୍ଠୀକୁ କୃଷି କ୍ଷେତ୍ରରେ ସହଯୋଗ ପାଇଁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ସମୟ ସହିତ ତାଳ ଦେଇ ବିଭିନ୍ନ ଉନ୍ନତ ମାନର ଯନ୍ତ୍ରପାତି ବ୍ୟବହାର କରି ଅର୍ଥକାରୀ ଫସଲ ଓ ରବି ଜାତୀୟ ଫସଲ ଉତ୍ପାଦନ ପାଇଁ ମହିଳା ଗୋଷ୍ଠୀକୁ ଉତ୍ସାହିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି ।

କୃଷି କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଥିବା ଜିଲ୍ଲା ବୌଦ୍ଧ । ଜିଲ୍ଲାର ଶତକଡା ପ୍ରାୟ ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଧାନଚାଷ ସହିତ ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ହୋଇଥାଏ । ଏହାଛଡା ମାଳଜମି ଓ ଆଟଜମି ଗୁଡିକରେ ବିରି, କୋଳଥ, ମୁଗ, ହରଡ, ଝୁଡୁଙ୍ଗ ଭଳି ରବି ଜାତୀୟ ଫସଲର ଖୁବ ପ୍ରସିଦ୍ଧି ରହିଛି । ସେହିପରି ମାଣ୍ଡିଆ ଚାଷକୁ ଲୋକେ ଧିରେ ଧିରେ ଭୁଲିବାକୁ ବସିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ମାଣ୍ଡିଆ ମିଶନ ଜରିଆରେ ମାଣ୍ଡିଆ ଚାଷ ଓ ଏହାର ଉତ୍ପାଦିତ ସାମଗ୍ରୀ ଉପରେ ବେଶ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଅର୍ଥକାରୀ ଫସଲରେ ରୁଚି ପ୍ରଦର୍ଶନ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାର ଉତ୍ସାହିତ କରୁଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀର ସଦସ୍ୟମାନେ ବାୟୋଫ୍ଲକ୍ସ ମାଧ୍ୟମରେ ମାଛଚାଷ, ମହୁଚାଷ, ଛତୁଚାଷ କାର୍ଯ୍ୟ କରି ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ମେଳାରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଲବ୍ଧ ରହିଛି । ଏଥିସହ ମହିଳାମାନଙ୍କୁ ବିଭିନ୍ନ ଯନ୍ତ୍ରପାତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି । ଅନୁଷ୍ଠିତ ମେଳାରେ ମହିଳା ମାନଙ୍କୁ ଅଧିକ ଉତ୍ସାହିତ ତଥା ସ୍ବାବଲମ୍ବୀ ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦାନ କରି ମହିଳା ସଶକ୍ତିକରଣ ନେଇ ଆହ୍ବାନ ଦେଇଥିଲେ । ଏଥିସହ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଓ ସହଭାଗିତାର ଖୁବ ପ୍ରଶଂସା କରିଥିଲେ ।

ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଦର୍ଶକ ଓ ଅତିଥିମାନେ ବେଶ ପସନ୍ଦ କରିଥିଲେ । ମହିଳା ଗୋଷ୍ଠୀକୁ ଅଧିକ ସହଯୋଗ ପାଇଁ ଓଡିଶା ମିଲେଟ ମିଶନ ମାଧ୍ୟମରେ ଜିଲ୍ଲାର ୬ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ଓ ମାଣ୍ଡିଆ ଚୂଡା ଯନ୍ତ୍ର ମାଗଣାରେ ପ୍ରଦାନ କରାଯାଇଥିଲା । ତେବେ କୃଷି ମେଳାରେ 136 ଜଣ ଚାଷୀ ଦୁଇ କୋଟି ଟଙ୍କା ରିହାତି ମୂଲ୍ୟର ବିଭିନ୍ନ ଯନ୍ତ୍ରପାତି କ୍ରୟ ପାଇଁ ଅନଲାଇନ ବୁକିଂ ଆରମ୍ଭ କରିସାରିଛନ୍ତି ।

ଇଟିିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.