ETV Bharat / state

ADR ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, ଓଡ଼ିଶାରେ 64 ବିଧାୟକଙ୍କ ନାଁରେ ଅପରାଧିକ ମାମଲା

author img

By

Published : Jul 16, 2023, 8:40 PM IST

Updated : Jul 16, 2023, 8:55 PM IST

ଏଡିଆର ରିପୋର୍ଟରେ ଓଡ଼ିଶାକୁ ନେଇ ବଡ଼ ଖୁଲାସା । ଅନେକ ବିଧାୟକଙ୍କ ନାଁରେ ରହିଛି ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧିକ ମାମଲା । ଅଧିକ ପଢନ୍ତୁ

ADR report
ADR report

ADR ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, ଓଡ଼ିଶାରେ 64 ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଭୁବନେଶ୍ବର: ପ୍ରକାଶ ପାଇଛି ADR ବା ଆସୋସିଏସନ ଅଫ୍‌ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟ । ୨୮ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକମାନଙ୍କ ଅପରାଧିକ ମାମଲାକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶାକୁ ନେଇ ବଡ଼ ଖୁଲାସା । ଓଡ଼ିଶାରେ 2 ଜଣ ବିଧାୟକଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ମାମଲା ଥିବା ବେଳେ ଜଣଙ୍କ ନାଁରେ ରହିଛି ଦୁଷ୍କର୍ମ ମାମଲା । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ଦେଖିବାକୁ ମିଳିଛି ।

ADR ରିପୋର୍ଟ କହୁଛି ବିଜେଡିର ୧୧୩ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେଥିମଧ୍ୟରୁ ୩୨ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧ ଭଳି ମାମଲା । ଯେମିତି କି ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ବିରୋଧି ଅପରାଧ ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହିଛନ୍ତି ବିଜେଡିର ଏହି ୩୨ ବିଧାୟକ । ଯେଉଁଥିରେ ଆଜୀବନ କାରାଦଣ୍ଡ ଭଳି ସଜା ମଧ୍ୟ ମିଳିପାରେ । ତେବେ ସମସ୍ତ ଦଳକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଜେପିରେ ୨୫ ପ୍ରତିଶତ ବିଧାୟକଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଥିବା ବେଳେ କଂଗ୍ରେସରେ ୨୭ ପ୍ରତିଶତ ନେତା ଆଉ ବିଜେଡିର ୨୮ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା ।

ଏହା ବି ପଢନ୍ତୁ- ADR ରିପୋର୍ଟ; ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ

ରିପୋର୍ଟକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, "ବିଜୁ ଜନତା ଦଳ ଅପରାଧିକ ଦଳ ଭାବେ ପରିଗଣିତ ହେଉଛି । ବିଭିନ୍ନ ସମୟରେ ମନ୍ତ୍ରୀଙ୍କ ନାଁରେ ମହିଳା ନିର୍ଯାତନାଠାରୁ ଆରମ୍ଭ କରି ସଙ୍ଗୀନ ଆରୋପ ଲାଗେ । ମୁଖ୍ୟମନ୍ତ୍ରୀ ସେହିମାନଙ୍କୁ ହଜମ କରି ଚାଲିଛନ୍ତି । ଷ୍ଟେଜ୍‌ରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ରୁହନ୍ତି । ରିପୋର୍ଟ ଯାହା ଆସିଛି ତାହା ବିଜୁ ଜନତା ଦଳର ବାସ୍ତବତା ।" ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଯେଉଁମାନଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଅଛି ସେମାନେ ଜନସାଧାରଣଙ୍କ ଶତ୍ରୁ । ସେମାନଙ୍କୁ ଟିକେଟ ଦେବାକଥା ନୁହେଁ । ଓଡ଼ିଶା ଅପେକ୍ଷା ଉତ୍ତରପ୍ରଦେଶରେ ଅଧିକ ଅପରାଧିକ ମାମଲା ରହିଛି ।"

ସେପଟେ ବିଜେଡି କହିଛି ରାଜନୈତିକ ଜୀବନରେ ଅନେକ ଅଭିଯୋଗ ଆସେ । ରାଜନୈତିକ ଜୀବନରେ ନେତୃତ୍ବ ନେଲେ ଅନେକ ଅଭିଯୋଗ ଆସିଥାଏ । ହେଲେ ସବୁ ଅଭିଯୋଗର ସତ୍ୟତା ନଥାଏ । ଏଣୁ ଏ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ କହିବା ଭିତ୍ତିହୀନ । କେବଳ ବିଜେଡି ବିଧାୟକ ନୁହଁନ୍ତି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ନାଁରେ ମଧ୍ୟ ଅନେକ ଅଭିଯୋଗ ରହିଛି । ବିଜେପି ବିଧାୟକଙ୍କ ନାଁରେ ଅନେକ ସଙ୍ଗୀନ ଅଭିଯୋଗ ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ବେହେରା ।

ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ୧୮୧ ବିଧାୟକଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଏହି ତାଲିକାରେ ଓଡ଼ିଶାର ୧୧ ଜଣ ବିଧାୟକ ରହିଛନ୍ତି । ଦେଶରେ ୧୧୪ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ଥିବା ବେଳେ ଏଥିରେ ଓଡ଼ିଶାରୁ ୧୨ ଜଣ ବିଧାୟକ ରହିଛନ୍ତି । ସେହିପରି ୧୪ ଜଣ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଥିବାବେଳେ ଏଥିରେ ଓଡ଼ିଶାର ଜଣେ ବିଧାୟକଙ୍କ ନାମରେ ଏହି ମାମଲା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 16, 2023, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.