ETV Bharat / state

ଗାଁକୁ ନାହିଁ ରାସ୍ତା, ପିଇବାକୁ ମିଳୁନି ପାଣି: ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ

author img

By

Published : Jan 22, 2022, 5:41 PM IST

କେନ୍ଦୁଝର ଜିଲ୍ଲା ମରାଗୋଳା ଗ୍ରାମରେ କାହିଁ କେଉଁ କାଳରୁ ୬୦ରୁ ଅଧିକ ଜୁଆଙ୍ଗ ପରିବାର ସ୍ଥାୟୀଭାବେ ରହିଆସୁଛନ୍ତି । ସେମାନଙ୍କ ଭୋଟର ସଂଖ୍ୟା ପାଖାପାଖି ୩୦୦ ରହିଛି । ହେଲେ ଗ୍ରାମକୁ ଏପର୍ଯ୍ୟନ୍ତ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚିପାରିନି । ଅଧିକ ପଢନ୍ତୁ

ଗାଁକୁ ନାହିଁ ମୌଳିକ ସୁବିଧା: ଭୋଟ ବର୍ଜନ ନିଷ୍ପତ୍ତି ନେଲେ ମରାଗୋଳାବାସୀ
ଗାଁକୁ ନାହିଁ ମୌଳିକ ସୁବିଧା: ଭୋଟ ବର୍ଜନ ନିଷ୍ପତ୍ତି ନେଲେ ମରାଗୋଳାବାସୀ

କେନ୍ଦୁଝର: ନିର୍ବାଚନ ଆସୁଛି ଯାଉଛି । ନିର୍ବାଚନ ସମୟରେ ନେତା ଆସୁଛନ୍ତି ପୁଳାପୁଳା ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ହେଲେ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଆଉ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଆଜିବି ଅପହଞ୍ଚ ହୋଇଛି ରାସ୍ତା, ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ସୁଯୋଗ । ଏଭଳି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ହରିଚନନ୍ଦନପୁର ବ୍ଳକ, ପିଠାଗୋଳା ପଞ୍ଚାୟତ ୧୪ ୱାର୍ଡର ମରାଗୋଳାର ଜୁଆଙ୍ଗ ଜନଜାତି । ମରାଗୋଳା ଗ୍ରାମରେ କାହିଁ କେଉଁ କାଳରୁ ୬୦ରୁ ଅଧିକ ଜୁଆଙ୍ଗ ପରିବାର ସ୍ଥାୟୀଭାବେ ରହିଆସୁଛନ୍ତି । ସେମାନଙ୍କ ଭୋଟର ସଂଖ୍ୟା ପାଖାପାଖି ୩୦୦ ରହିଛି । ପରିତାପର ବିଷୟ ଗାଁକୁ ଅଦ୍ୟାବଧି ରାସ୍ତା ସଂଯୋଗ ହୋଇପାରି ନାହିଁ ।

ଗାଁକୁ ନାହିଁ ମୌଳିକ ସୁବିଧା: ଭୋଟ ବର୍ଜନ ନିଷ୍ପତ୍ତି ନେଲେ ମରାଗୋଳାବାସୀ

ପଞ୍ଚାୟତ ମୁଖ୍ୟାଳୟଠାରୁ ଗାଁକୁ ରାସ୍ତା ନଥିବାବେଳେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଗାଡି ପହଞ୍ଚି ପାରୁନି । ଫଳରେ ରୋଗୀ କିମ୍ବା ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବାକୁ ଏଠାକାର ଲୋକ ଡଲାରେ ବୋହୁଛନ୍ତି । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଗୁହାରି କରି ଥକି ପଡିଥିବା ବେଳେ ସବୁଥର ନିର୍ବାଚନ ସମୟରେ ନେତାଙ୍କୁ ଗୁହାରି କରିଆସୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କେବଳ ରାସ୍ତା ନୁହେଁ, ପାନୀୟ ଜଳର ସୁବ୍ୟବସ୍ଥା ବି ନାହିଁ । ଗାଁରେ ନାମକୁ ମାତ୍ର ସୌର ଜଳ ପ୍ରକଳ୍ପ ବସାଯାଇଥିବା ବେଳେ ଅଳ୍ପକିଛି ପରିବାରକୁ ପାଣି ଯୋଗାଇ ପାରୁନାହିଁ । ନଳକୂପଟିଏ ନଥିବାରୁ ଆଜି ବି ନିକଟସ୍ଥ ଝରଣା ଓ କୂଅ ପାଣି ଉପରେ ଭରସା କରୁଛନ୍ତି ୮୦ ପ୍ରତିଶତ ପରିବାର ।

ବିଜୁଳି ଆଲୁଅ ସେମାନଙ୍କ ପାଇଁ ସାତ ସପନ ହୋଇଥିବା ବେଳେ ସଞ୍ଜ ନଇଁଲେ ଅନ୍ଧକାର ବିରାଜମାନ କରୁଛି । ପାଠପଢା ପାଇଁ ମୋବାଇଲଟିଏ ବ୍ୟବହାର କରିବାର ସୁଯୋଗ ପାଉନାହାନ୍ତି ପିଲାମାନେ । ସେମାନଙ୍କ ସମସ୍ୟା ନେଇ ପୂର୍ବରୁ ବ୍ଳକ ପ୍ରଶାସନଙ୍କ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଥିବା ବେଳେ ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଫଳରେ ଏହାର ପ୍ରତିବାଦ କରି ମୌଳିକ ସୁବିଧା ସୁଯୋଗ ପୂରଣ ନହେଲେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଗ୍ରାମବାସୀ । କେବଳ ଭୋଟ ବର୍ଜନ ନୁହେଁ ଆମ ୱାର୍ଡର କୌଣସି ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.