ETV Bharat / state

ତୃତୀୟ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ, ଯୋଗ ଦେଇଥିଲେ ବରେଣ୍ୟ ସାହିତ୍ୟିକ

author img

By

Published : Dec 12, 2022, 12:22 PM IST

ସାହିତ୍ୟ ହିଁ ସମାଜର ମାର୍ଗଦର୍ଶନ କରାଇ ଥାଏ। ଗତ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ସାହିତ୍ୟ ଉତ୍ସବକୁ ବିଶିଷ୍ଟ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଉଦଘାଟନ କରିଥିଲେ (Kendrapara literature festival ends)। ଦୁଇ ଦିନରେ ପ୍ରାୟ ୧୦ଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

Kendrapara literature festival ends
ତୃତୀୟ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ, ଯୋଗ ଦେଇଥିଲେ ବରେଣ୍ୟ ସାହିତ୍ୟିକ

ତୃତୀୟ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ, ଯୋଗ ଦେଇଥିଲେ ବରେଣ୍ୟ ସାହିତ୍ୟିକ

କେନ୍ଦ୍ରାପଡା: ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ପାଇଁ ଉପଯୁକ୍ତ ମାଧ୍ୟମ ହେଉଛି ସାହିତ୍ୟ। ଆଜିର ଦିନରେ ବ୍ୟକ୍ତି ସାହିତ୍ୟ ମନସ୍କ ହେବା ଜରୁରୀ ବୋଲି କେନ୍ଦ୍ରାପଡା ସାହିତ୍ୟ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି । ଗତ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ସାହିତ୍ୟ ଉତ୍ସବକୁ ବିଶିଷ୍ଟ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଉଦଘାଟନ କରିଥିବା ବେଳେ ଦୁଇ ଦିନରେ ପ୍ରାୟ ୧୦ଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି(Kendrapara literature festival) ।


କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ସ୍ଥିତ ଏକ ଘରୋଇ ମଣ୍ଡପରେ ତୃତୀୟ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି। ବିଶିଷ୍ଟ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଉତ୍ସବକୁ ଉଦଘାଟନ କରିବା ସହ ସାହିତ୍ୟ ସମୃଦ୍ଧି, ଶାନ୍ତି ଓ ସଦଭାବନା ପ୍ରତିଷ୍ଠାର ମୁଖ୍ୟ ମାଧ୍ୟମ ବୋଲି ମତବ୍ୟକ୍ତ କରିଛନ୍ତି।ଉତ୍ସବ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତମ୍ଭକାର ଦାଶ ବେନହୁର ସାହିତ୍ୟ ମାଧ୍ୟମରେ ମୁଲ୍ୟବୋଧର ପ୍ରସାର ହୋଇଥାଏ ବୋଲି କହିଥିଲେ। ସେହିପରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ସାହିତ୍ୟକୁ ସର୍ବଶ୍ରେଷ୍ଠ ପ୍ରାର୍ଥନା ବୋଲି ଅଭିହିତ କରିବା ସହ କେନ୍ଦ୍ରାପଡାରେ ଏଭଳି ଏକ ଆୟୋଜନର ପ୍ରଶଂସା କରିଥିଲେ। କେନ୍ଦ୍ରାପଡା ଡେଭେଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଦିଲ୍ଳୀପ ରାଉତରାୟ, ଅକ୍ଷୟ ପାଣି ଓ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଯୋଗ ଦେଇଥିଲେ।

ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ସାରସ୍ୱତ ସମାରୋହରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ ପ୍ରାୟ ୧୦ ଗୋଟି ଆଲୋଚନାଚକ୍ର ରଖାଯାଇଥିଲା । ଦ୍ବିତୀୟ ଦିନର ଏହି ଉତ୍ସବର ଶେଷ ପର୍ଯ୍ୟାୟରେ ବରିଷ୍ଠ କବିମାନେ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପଟେ ସାହିତ୍ୟ ଉତ୍ସବର ଶେଷ ଦିନରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଆ ଭାଷା ଆନ୍ଦୋଳନର କର୍ମାଣୀ ପ୍ରଦ୍ୟୁମ୍ନ ଶତପଥି ଯୋଗଦେଇ ସାହିତ୍ୟ ଜଗତକୁ କେନ୍ଦ୍ରାପଡ଼ା ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି କହିଥିବ ବେଳେ ଭାଷା ହେଉଛି ଏ ଜାତିର ପରିଚୟ ଓ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଏ ପ୍ରୟାସ ଅବର୍ଣ୍ଣନୀୟ ବୋଲି କହିଛନ୍ତି।

କେନ୍ଦ୍ରାପଡା ଡେଭେଲପମେଣ୍ଟ ଫାଉଣ୍ଡେସନ ଓ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସାହିତ୍ୟ ଉତ୍ସବକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ଉଦ୍ୟମ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଭାଷା ଭିତ୍ତିକ ରାଜ୍ୟ ଓ ଓରିଶାରୁ ଓଡିଶା ଏବଂ ଓରିଆରୁ ଓଡ଼ିଆକୁ ବଦଳାଇବା ହିଁ ପ୍ରକୃତ ଓଡ଼ିଆ ଜାତି ପରିଚୟ ବୋଲି ଉପସ୍ଥିତ ବରେଣ୍ୟମାନେ ମତବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.