ETV Bharat / state

ଆରପାରିରେ ବାପାମାଆ, ଭଉଣୀ ପାଇଁ ମୂଲ ଲାଗୁଛି ଏଡ୍‌ସ ଆକ୍ରାନ୍ତ ନାବାଳକ ଭାଇ

author img

By

Published : Dec 23, 2022, 5:24 PM IST

ନିଷ୍ଠୁର ଏଡସ୍ ଆଗରେ ଚୁରମାର୍ ହୋଇଗଲା ସବୁ ସ୍ବପ୍ନ । ଏଡସ୍ ଆକ୍ରାନ୍ତ ହୋଇ ବାପାମାଆ ଆରପାରିକୁ ଚାଲିଯିବା ପରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଭାଇଭଉଣୀ । ଭଉଣୀ ପେଟ ପୋଷିବା ପାଇଁ ପର ଦୁଆରେ ମୂଲ ଲାଗୁଛି ୧୫ ବର୍ଷୀୟ ଏଡ୍‌ସ ଆକ୍ରାନ୍ତ ଭାଇ । ଅଧିକ ପଢନ୍ତୁ

କେନ୍ଦ୍ରାପଡାର ଅସହାୟ ଏଡ୍‌ସ ଆକ୍ରାନ୍ତ ନାବାଳକ
କେନ୍ଦ୍ରାପଡାର ଅସହାୟ ଏଡ୍‌ସ ଆକ୍ରାନ୍ତ ନାବାଳକ

କେନ୍ଦ୍ରାପଡାର ଅସହାୟ ଏଡ୍‌ସ ଆକ୍ରାନ୍ତ ନାବାଳକ

କେନ୍ଦ୍ରାପଡା: ଆଖିରେ ଥିଲା ଅସୁମାରୀ ସ୍ବପ୍ନ । ପାଠ ପଢିବ, ଦିନେ ବଡ ହୋଇ ବଡ ଚାକିରି କରିବ । ହେଲେ ସବୁ ସ୍ବପ୍ନକୁ ଚୂରମାର୍ କରିଦେଲା ନିଷ୍ଠୁର ବ୍ୟାଧି । ଏଡସ୍ ରୋଗୀ ବୋଲି ଅନ୍ୟ ପିଲାଙ୍କ ସହ ସ୍କୁଲରେ ବସି ପାଠ ପଢିବାକୁ ଗାଁ ଲୋକେ ବାରଣ କଲେ । ସ୍କୁଲ ଆଗରେ ଲକ୍ଷ୍ମଣରେଖା ଟଣା ହେବା ପରେ ପେଟ ପୋଷିବାକୁ ମୂଲ ଲାଗୁଛନ୍ତି ୧୫ ବର୍ଷୀୟ ଏଡସ୍ ଆକ୍ରାନ୍ତ ନାବାଳକ । ଯେଉଁ ବୟସରେ ସେ ସାଙ୍ଗସାଥି ମେଳରେ ଖେଳିଥାନ୍ତା, ବୁଲିଥାନ୍ତା ଆଜି ସେହି ବୟସରେ ସେ ଇଟା, ବାଲି ବୋହୁଛି । କାରଣ ବାପାମାଆ ଚାଲିଗଲା ପରେ ବଡଭଉଣୀର ବୋଝ ବି ତା' କୁନି କାନ୍ଧରେ । ମୂଲ ନଲାଗିଲେ କେମିତି ବା ଭଉଣୀ ପେଟ ପୋଷିବ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅସହାୟ ଭାଇଭଉଣୀଙ୍କ ଦୁର୍ଦ୍ଦଶା ।

ଡେରାବିଶ୍ ବ୍ଲକ ଅଞ୍ଚଳରେ ଏହି ଦୁଇ ଭାଇଭଉଣୀଙ୍କ ଘର । ବାପାଙ୍କ ପରଲୋକକୁ ୧୦ ବର୍ଷ ହେଲାଣି । ଏଡସ୍‌ ଆକ୍ରାନ୍ତ ହୋଇ ୫ ବର୍ଷ ତଳେ ମାଆ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମୁଣ୍ଡ ଉପରେ ଉଭୟ ବାପମାଆଙ୍କ ଛାୟା ଚାଲିଯିବା ପରେ ବର୍ଷ ବର୍ଷ ହେଲାଣି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଦୁଇ ନାବାଳକ ଭାଇ ଭଉଣୀ । ନିଜେ ବଞ୍ଚିବା ସହ ଭଉଣୀକୁ ଚଳାଇବା ପାଇଁ ୧୫ ବର୍ଷୀୟ ନାବାଳକ ଜଣଙ୍କ କେତେବେଳେ ସିମେଣ୍ଟ ବାଲି ଗୋଳାଉଛି ତ ଆଉ କେତେବେଳେ ଇଟା ବୋହୁଛି ଆଉ ବାଲି ଉଠାଉଛି । HIV ଆକାନ୍ତ ହୋଇଥିବାରୁ କାମ ମଝିରେ ଅନେକ ଥର ସେ ଥକି ପଡେ । ହେଲେ ପୁଣି ଉଠି କାମରେ ଲାଗିପଡେ । କାମ ନ କଲେ ଭାଈ ଭଉଣୀ ଖାଇବେ କ'ଣ । ଦୁଇ ପଇସା ଆଣିଲେ ଖାଇବେ, ଭଲ ନହେଲେ ନାହିଁ ଦେହକୁ ଘୋଡାଇବା ପାଇଁ ଡ୍ରେସ ଖଣ୍ଡ ପିନ୍ଧିବେ, ବିଦ୍ୟୁତ୍ ବିଲ୍ ଦେବେ । ଅନ୍ୟପଟେ ଡାକ୍ତର ବେଶୀ କାମ ନକରିବାକୁ ନାବାଳକଙ୍କୁ ମନା କରିଛି । ହେଲେ ପେଟ ଚାଖଣ୍ଡକ ପାଇଁ ସେ ନାଚାର ।

ଏହାମଧ୍ୟ ପଢନ୍ତୁ: Ground Report: ବିକାଶ ଅପେକ୍ଷାରେ ମାଓ ଅଧ୍ୟୁଷିତ ସମାଡାଙ୍ଗୀ, ସ୍ଥିତି ପରଖିଲା ETV Bharat

ସରକାରୀ ସହୟତା ଭାବେ ଏହି ଦୁଇ ଭାଇଭଉଣୀଙ୍କୁ ମାସିକ ଜଣକ ପିଛା ୫ କେଜି ଚାଉଳ ମିଳୁଛି । ରୋଗ ପାଇଁ ଔଷଧ ଖାଇବାକୁ ୫୦୦ ଟଙ୍କା ପାଉଛନ୍ତି । ହେଲେ ଏତିକିରେ ବା ସେମାନେ କେମିତି ଚଳନ୍ତି । ଅନ୍ୟପଟେ ଦୂରାରୋଗରେ ପୀଡିତ ହୋଇଥିଲେ ହେଁ ସେମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ନିଜସ୍ବ ଜାଗା ଖଣ୍ଡେ କି ଘର ଖଣ୍ଡିଏ ନାହିଁ । ଗାଁ ଲୋକଙ୍କ ବାରଣରେ ନାବାଳକର ପାଠପଢା ବନ୍ଦ ହୋଇଯାଇଥିବା ବେଳେ ଅର୍ଥ ଅଭାବରୁ ଭଉଣୀ ପାଠରେ ମଧ୍ୟ ଡୋରି ଲାଗିଛି । ତେଣୁ ଦୁଇ ଭାଇଭଉଣୀ ସରକାରୀ ସହାୟତା ନିବେଦନ କରିଛନ୍ତି(HIV Infected Minor Boy Seeks Help) ।

ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ''ଏହି ଦୁଇ ଭାଇଭଉଣୀଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜମି ଯୋଗାଇବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି । ସେନେଇ ବିଚାର କରାଯିବ ।'' ଗୋଟିଏ ପଟେ ରୋଗର ଭୟ ଅନ୍ୟପଟେ ଦାରିଦ୍ର୍ୟର ତାଡନାରେ ଜର୍ଜ୍ଜରିତ ଭାଇଭଉଣୀଙ୍କ ପାଇଁ କେବେ ସୁଖ ଆସିବ ସେ ଦିନକୁ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.