ETV Bharat / state

ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ

author img

By

Published : Oct 29, 2022, 7:54 PM IST

୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟାକୁ ପୂରିଛି ୨୩ ବର୍ଷ । ମହାବାତ୍ୟାର ଭୟଙ୍କର ତାଣ୍ଡବ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ମନରେ ଅଦ୍ୟାବଧି ସେହି ଭୟ ଦେଖାଯାଉଛି । ଏଥିରେ ପ୍ରଭାବିତ ଲୋକେ ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ ରହିଥିବା ବେଳେ ପ୍ରଶାସନ କେବଳ ବିପର୍ଯ୍ୟୟ ଦିବସ ପାଳନ କରିବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ

୧୯୯୯ ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ
୧୯୯୯ ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ

କେନ୍ଦ୍ରାପଡ଼ା: ମହାବାତ୍ୟାକୁ ପୂରିଛି ୨୩ ବର୍ଷ । ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ଅଦ୍ୟାବଧି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ମନରେ ଏକ ଭୟ ହୋଇ ରହିଛି । ବାତ୍ୟାରେ ଯୋଉଁମାନଙ୍କର ମୃତ୍ୟୁ ଘଟିଥିଲା, ସେମାନଙ୍କୁ ଆଜି ମନେ ପକାଉଛନ୍ତି ବନ୍ଧୁ ବାନ୍ଧବ ଓ ପରିବାର । କିନ୍ତୁ ଯେଉଁମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଛନ୍ତି ସେମାନଙ୍କ ଆଖିରେ ଆଜି ମଧ୍ୟ ସେଇ ବାତ୍ୟା ସମୟର ଭୟଙ୍କର ଦୃଶ୍ୟ ଉଙ୍କି ମାରୁଛି । ତେବେ ମହାବାତ୍ୟା ପ୍ରଭାବିତ ଅଧିକାଂଶ ଲୋକ ୨୩ ବର୍ଷ ପରେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ ରହିଥିବାବେଳେ, ପ୍ରଶାସନ ଓଡ଼ିଶା ବିପର୍ଯ୍ୟୟ ଦିବସ ପାଳନ କରି କାମ ସାରିଦେଉଥିବା ଅଭିଯୋଗ ହୋଇଛି ।

୧୯୯୯ ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ

ମହାବାତ୍ୟା ରଚିଥିଲା ମୃତ୍ୟୁର ତାଣ୍ଡବ

କେନ୍ଦ୍ରାପଡା ଜିଲ୍ଲାର ଉପକୁଳ ଅଞ୍ଚଳ ମହାକାଳପଡ଼ା ବ୍ଲକ ଅବିଭକ୍ତ ଗୋଗୁଆ ପଞ୍ଚାୟତ ତଥା ଏବର ଲାଞ୍ଜୁଡା ପଞ୍ଚାୟତର ପାଣିଖିଆ, ତେନ୍ତୁଳିକନ୍ଦା, ରାମନଗର, ଖରିନାସି ଆଦି ଅଞ୍ଚଳ ଦେଖିଥିଲା ମହାବାତ୍ୟା ଜନିତ ମୃତ୍ୟୁର ତାଣ୍ଡବ । ପାଣିଖିଆ ଗାଁର ପାର୍ବତୀ କିଶକୁଙ୍କ ସ୍ବାମୀ, ଝିଅ, ନାତିନାତୁଣୀଙ୍କ ସମେତ ୪ ଜଣଙ୍କ ଜୀବନ ହଜି ଯାଇଥିଲା ଗଭୀର ସମୁଦ୍ର ଜଳରେ । ସେହି ଗାଁର ସୁରେଶ ସୋରେନଙ୍କ ମା', ଝିଆରୀ ଓ ପୁତୁରାକୁ ଏହି କାଳ ରାକ୍ଷସ ନେଇ ଯାଇଥିବାବେଳେ ବାବୁଲି ଟୁଡୁଙ୍କ ପୁଅ ମଣ୍ଟୁ ଟୁଡୁ, ସାକ୍ଷୀ ହାଁସଦା, କିଶୁନ ସୋରେନ ଏବଂ ମାଦ ହେମ୍ବ୍ରମଙ୍କ ସମେତ ମୋଟ ୧୫ରୁ ଊର୍ଦ୍ଧ୍ବ ଜୀବନ ଯାଇଥିଲା ।

ଆଜିବି ମନେପଡ଼େ ମହାବାତ୍ୟାର କରାଳ ରୂପ

ତେବେ ଇଶ୍ବରଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଥିଲା ରାମନଗର ଗାଁର ସୁଜିତ ବେପାରୀଙ୍କ ଜୀବନ । ତେନ୍ତୁଳିକନ୍ଦା ଗାଁର ତପସ୍ବିନୀ ସେନାପତି ବାତ୍ୟାରେ ନିଜ ଭଉଣୀ ଚାଲିଯିବା ଦୃଶ୍ୟକୁ ଆଖି ଆଗରେ ଦେଖି ନିଜ ବଞ୍ଚିବା ଆଶା ଛାଡି ଦେଇଥିବା କୁହନ୍ତି । ସୁଜିତଙ୍କ ଜୀବନ ବଞ୍ଚାଇଥିବା ଏକ ପ୍ଲାଷ୍ଟିକ ଜାରକୁ ଆଜି ୨୩ ବର୍ଷ ପରେ ମଧ୍ୟ ସୁଜିତ ଠାକୁର ଘରେ ରଖି ପୂଜା କରୁଛନ୍ତି । ମହାବାତ୍ୟାର ୨୩ ବର୍ଷ ପରେ ଅନେକଥର ବାତ୍ୟା ଆସିଛି ଆଉ ଯାଇଛି । ଏମିତିକି ୧୦ରୁ ଊର୍ଦ୍ଧ୍ବ ବାତ୍ୟା ଆସି ସମଗ୍ର ଓଡ଼ିଶାର ଛାତିକୁ ଥରାଇଛି । ହେଲେ ୧୯୯୯ ମହାବାତ୍ୟାର କରାଳ ରୂପକୁ ଆଜି ବି ମନେ ପକାଇଲେ ଦେହରେ ଶିହରଣ ଖେଳିଯାଏ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଅସୁରକ୍ଷିତ ହୋଇ ରହଛି ବାତ୍ୟା ଆଶ୍ରୟସ୍ଥଳୀ

ଅନ୍ୟପଟେ ଆଜି ସମାଜ ବଦଳିଛି ଓ ଲୋକମାନଙ୍କ ପାଖରେ ସମସ୍ତ ତଥ୍ୟ ଖୁବଶୀଘ୍ର ପହଞ୍ଚି ପାରୁଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହୁଥିବାବେଳେ, ବାସ୍ତବ କଥା କିନ୍ତୁ ଭିନ୍ନ । ଜିଲ୍ଲାରେ ଏବେ ୩୧୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇ ପଡିଛି ଆଉ ଅନେକ ଆଶ୍ରୟସ୍ଥଳୀ ଗୁଡ଼ିକରେ ଆବଶ୍ୟକ ଉପକରଣ ମଧ୍ୟ ନଥିବା ବାରମ୍ବାର ଅଭିଯୋଗ ହୋଇଛି । ସେହିପରି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ ଅନେକ ମହାବାତ୍ୟା ପ୍ରଭାବିତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ । ସେହିପରି ବାତ୍ୟା ଓ ସୁନାମୀ ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରତିଷ୍ଠା କରାଯାଇଥିବା ୨୦ଟି ଡପଲର ଆଲର୍ଟ ମଧ୍ୟରୁ ୯ଟି ଦୀର୍ଘ ବର୍ଷ ହେବ ଅଚଳ ହୋଇପଡିଥିବା ଦେଖାଯାଇଛି ।

ଓଡ଼ିଶା ବିପର୍ଯ୍ୟୟ ଦିବସ ପାଳନ କରିଛି ପ୍ରଶାସନ

ମହାବାତ୍ୟା ପ୍ରଭାବିତ ପ୍ରାୟ ୨,୯୭,୮୧୪ ପରିବାର ଏବେ ବି ସରକାରୀ ସହାୟତା ଅପେକ୍ଷାରେ ରହିଥିବାବେଳେ ମୃତକ ଚିହ୍ନଟ ୩୮୭ ଜଣଙ୍କ ପରିବାର ବର୍ଗଙ୍କ ମଧ୍ୟରୁ ଆଜି ବି କିଛି ପରିବାର ସହାୟତା ରାଶି ପାଇନାହାନ୍ତି । ଏବେ ମଧ୍ୟ ୩୮ ଜଣଙ୍କ ଖୋଜ ଖବର ମିଳିପାରିନାହିଁ । ଏଭଳି ସ୍ଥଳେ ଜିଲ୍ଲା ପ୍ରଶାସନ ଓଡ଼ିଶା ବିପର୍ଯ୍ୟୟ ଦିବସ ପାଳନ କରି ନିଜ କାମ ଶେଷ କରୁଥିବା ଦେଖାଯାଇଛି । ଯାହାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.