ETV Bharat / state

ବିକାଶ ଆଢୁଆଳରେ ରାଞ୍ଜାକୁମ୍ପା: ଗାଁକୁ ନାହିଁ ରାସ୍ତା, କଳାପାଣିର ଭଳି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି ଗ୍ରାମବାସୀ !

author img

By ETV Bharat Odisha Team

Published : Nov 24, 2023, 9:06 PM IST

ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ କେତେ କଣ ଯୋଜନା ହେଲେ ଡଙ୍ଗା ପାର ନହେଲେ ସ୍କୁଲ, ଅଙ୍ଗନବାଡି, ଡାକ୍ତରଖାନା, ପଞ୍ଚାୟତ ସତେ ଯେମିତି ମନା । କଳାପାଣିର ସଜ୍ଜା କାଟୁଥିବା କଏଦୀଙ୍କ ଭଳି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି ଗ୍ରାମବାସୀ । ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଜଳବନ୍ଦୀ ହୋଇ ବନବାସୀ ଜୀବନଯାପନ କରୁଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଞ୍ଜାକୁମ୍ପl ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବିକାଶ ଆଢ଼ୁଆଳରେ ରାଞ୍ଜାକୁମ୍ପା
ବିକାଶ ଆଢ଼ୁଆଳରେ ରାଞ୍ଜାକୁମ୍ପା

ବିକାଶ ଆଢ଼ୁଆଳରେ ରାଞ୍ଜାକୁମ୍ପା

ଫୁଲବାଣୀ: ରାଜ୍ୟରେ ଗମନା ଗମନର ସୁବିଧା କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରି ବାକାଶ କରୁଥିବା କହି ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଞ୍ଜାକୁମ୍ପା ଗ୍ରାମରେ । ଏହି ଗାଁକୁ ଯିବାକୁ ହେଲେ ପାର ହେବାକୁ ପଡେ ପଣିରେ ଭରା ଘାଇ । ଗାଁର ତିନି ପାଖରେ ବୋଲସକୁମ୍ପା ସିଦିଙ୍ଗୀ ଘାଇର ପାଣି ଜଳବନ୍ଦୀ କରି ରଖିଥିବା ବେଳେ ଅନ୍ୟପଟେ ଗାଁକୁ ଘେରି ରହିଛି ଘଞ୍ଚ ଜଙ୍ଗଲ । ଏଭଳି ସ୍ଥିତିରେ କଳାପାଣିର ସଜ୍ଜା କାଟୁଥିବା କଏଦୀଙ୍କ ଭଳି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି ଗ୍ରାମବାସୀ ।

ଫୁଲବାଣୀ ସଦର ମହକୁମା ଠାରୁ 20 କିଲୋମିଟର ଏବଂ ଖଜୁରୀପଡ଼ା ବ୍ଳକ କାର୍ଯ୍ୟାଳୟ ଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ପଞ୍ଚାୟତକୁ ରାସନ, ଭତ୍ତା ଆଣିବାକୁ ହେଉ କିମ୍ବା ସ୍କୁଲ, ଅଙ୍ଗନବାଡି ଯିବାକୁ ହେଲେ ଏକମାତ୍ର ସାହା ଭରସା ଆହୁଲା ଡଙ୍ଗା । ସିଦିଙ୍ଗୀ ଘାଇର ଗଭୀର ଜଳରାଶି ଦେଇ ଜୀବନକୁ ପାଣି ଛଡାଇ ଛୁଆପିଲାଙ୍କୁ ସାଙ୍ଗରେ ଧରି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ନିଜ ଉଦ୍ୟମରେ ଡଙ୍ଗା ପକାଇ ନିଜେ ନାଉରିଆ ସାଜିଛନ୍ତି । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ପର୍ଯ୍ୟନ୍ତ ଡଙ୍ଗାକୁ ଘାଇରେ ନିଜେ ଚଲାଇ ଯିବା ଆସିବା କରନ୍ତି ।

ଗାଁରେ ସ୍କୁଲ, ଅଙ୍ଗନବାଡି ନଥିବାରୁ ଘାଇ ପାର ହୋଇ ନିକଟସ୍ଥ ଛନ୍ଦୁରୁପଦର ଗ୍ରାମକୁ ମାଆମାନେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନବାଡିକୁ ଡ଼ଙ୍ଗାରେ ନେଇ ଛାଡନ୍ତି ଓ ପୁଣି ସେଠାରୁ ଜଗି ଡଙ୍ଗାରେ ନେଇ ଆସନ୍ତି । ଗାଁରେ କୌଣସି ସମୟରେ ଅଘଟଣ ଘଟିଲେ କିମ୍ବା ଦେହ ଖରାପ ହେଲେ ଅଥବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ହେଲେ ଖଟିଆରେ ବୁହା ହୋଇ ଘାଇ ସେପଖାକୁ ନେବାକୁ ପଡ଼େ । ସେଠାରୁ ନିକଟସ୍ଥ ମେଡିକାଲ ଯିବାକୁ ପଡେ । ଗାୀଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବିକାଶର ନକ୍ସାରୁ ଦୂରରେ ନୂଆବେତଣ୍ତା ଗାଁ, ବାଉଁଶ ପୋଲ ଭରସା

ଗାଁରେ କେବଳ ରାସ୍ତା ସମସ୍ୟା ନୁହେଁ ବରଂ ଅନେକ ସମସ୍ୟା ଘେର ଭତରେ ଅଛନ୍ତି ଗ୍ରାମବାସୀ । ଗାଁରେ ଗୋଟିଏ ନଳକୂପ ତାହା ମଧ୍ଯ ଭାଙ୍ଗିପଡ଼ିଛି । ଗୋଟିଏ କୂଅ ଉପରେ ନିର୍ଭର କରନ୍ତି ଗ୍ରାମର 10 ରୁ 12 ପରିବାରର 50 ରୁ 60 ଲୋକେ । ତାହା ମଧ୍ୟ ଖରାଦିନେ ଶୁଖିଯାଏ । ଗ୍ରାମବାସୀ ବ୍ଲକ ଓ ପଞ୍ଚାୟତକୁ ଯାଇ ଗାଁ ପଛପଟ ଜଙ୍ଗଲକୁ ସଫାକରି ରାସ୍ତାଟିଏ କରିବାକୁ ଅନେକ ଥର ଗୁହାରି କରିଛନ୍ତି । ହେଲେ ଫଳ ଶୂନ । ତେଣୁ ଭାଗ୍ୟକୁ ଆଦରି ପଡିରହିଛନ୍ତି ରାଞ୍ଜାକୁମ୍ପା ଗ୍ରାମବାସୀ । ସେପଟେ କନ୍ଧମାଳ ଜିଲ୍ଲା ଜିଲାପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ରଞ୍ଜିତଙ୍କୁ ଯୋଗାଯୋଗ କରାଯିବାରୁ ନିକଟସ୍ଥ ପାହାଡକୁ କାଟି 3 କିଲୋମିଟର ରାସ୍ତା ନିର୍ମାଣ କରିବାକୁ ପ୍ରସ୍ଥାବ ରହିଛି ଏବଂ ଆଗାମୀ ଦିନରେ ଗ୍ରାମକୁ ନିଶ୍ଚୟ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.