ETV Bharat / state

କନ୍ଧମାଳରେ ହାଡଭଙ୍ଗା ଜାଡ: ଘାସ ଗାଲିଚାରେ ବିଞ୍ଚି ହେଉଛି କାକର ବୁନ୍ଦା, ଚା' ଖଟିରେ ଜମୁଛି ଭିଡ

author img

By

Published : Nov 29, 2021, 3:27 PM IST

ଆକାଶ ମେଘମୁକ୍ତ ହେବା ପରେ ଏବେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚାରେ ପଡିଛି କାକର ବୁନ୍ଦା । ଏହାସହ ଶୀତୁଆ ସକାଳର ମଜାକୁ ଆହୁରି ଦୁଇଗୁଣା କରିଦେଉଛି ଚା’ ଖଟି । ଆଉ ଏଇଟା ହିଁ କନ୍ଧମାଳ ଶୀତର ନିଆରାପଣ । ଅଧିକ ପଢନ୍ତୁ

ପହିଲି ଶୀତର ମଜା ନେଉଛନ୍ତି କନ୍ଧମାଳବାସୀ, ଚା ଦୋକାନରେ ଜମୁଛି ଭିଡ
ପହିଲି ଶୀତର ମଜା ନେଉଛନ୍ତି କନ୍ଧମାଳବାସୀ, ଚା ଦୋକାନରେ ଜମୁଛି ଭିଡ

ଫୁଲବାଣୀ: ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚାରେ ପଡିଛି କାକର ବୁନ୍ଦା । କୁହୁଡି ଯୋଗୁଁ ମୁହଁକୁ ମୁହଁ ବି ଦେଖାଯାଉନି । ଆକାଶ ମେଘମୁକ୍ତ ହେବା ପରେ ଏବେ କନ୍ଧମାଳର କବାଟ ବାଡେଇଲାଣି ଶୀତ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତ । ପାରଦ ବି ଦିନକୁ ଦିନ ଖସିବା ସାଙ୍ଗକୁ ଧୂଆଁ ଧୂଆଁ ସକାଳ, ଝାପ୍ସା ଝାପ୍ସା ସନ୍ଧ୍ୟା । ଶୀତବସ୍ତ୍ର ପିନ୍ଧି ଥଣ୍ଡାର ମଜା ଉଠାଇବା ସହ କିଏ ପ୍ରାତଃଭ୍ରମଣ ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ଏହାସହ ଶୀତୁଆ ସକାଳର ମଜାକୁ ଆହୁରି ଦୁଇଗୁଣା କରିଦେଉଛି ଚା’ ଖଟି । ଆଉ ଏଇଟା ହିଁ କନ୍ଧମାଳ ଶୀତର ନିଆରାପଣ ।

ପହିଲି ଶୀତର ମଜା ନେଉଛନ୍ତି କନ୍ଧମାଳବାସୀ, ଚା ଦୋକାନରେ ଜମୁଛି ଭିଡ
ସକାଳ 9ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ଥଣ୍ଡା ବଢିବାରୁ ସକାଳୁ କାମକୁ ଯିବାକୁ ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ । ଏବେ ଫୁଲବାଣୀରେ 15 ଡିଗ୍ରୀ ତଳକୁ ରହୁଛି ତାପମାତ୍ରା । ଏପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଧ୍ୟ 9 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏଁ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଯଦି କନ୍ଧମାଳରେ ଶୀତ ଏହିପରି ଲାଗି ରୁହେ, ତେବେ ଆଗାମୀ ଦିନରେ ତୁଷାରପାତ ହେବା ସହ ୧୦ ଦଶନ୍ଧିର ଥଣ୍ଡା ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି ।

ଏପଟେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଆସ୍ତେ ଆସ୍ତେ ଜମିଲାଣି ଭିଡ଼ ।


କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭ।ରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.