ETV Bharat / state

ଜଙ୍ଗଲରେ ନିଆଁ ଲଗେଇ ଶିକାର ପାଇଁ କରୁଥିଲେ ଯୋଜନା, ଶିକାରୀକୁ ବାନ୍ଧିଲା ବନବିଭାଗ

author img

By

Published : Mar 13, 2023, 6:57 AM IST

ଜଙ୍ଗଲରେ ନିଆଁ ଲଗେଇ ଶିକାର କରିବା ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ଦ୍ବାରା ଶିକାରୀ ଗିରଫ ସହ ଦେଶୀ ବନ୍ଧୁକ ଜବତ । ଅଧିକ ପଢନ୍ତୁ

hunter arrested
hunter arrested

hunter arrested

ଫୁଲବାଣୀ: ରାଇକିଆ ବନବିଭାଗ ଦ୍ବାରା ଜଣେ ଶିକାରୀ ଗିରଫ ହେବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ । ଜଙ୍ଗଲରେ ନିଆଁ ଲଗେଇ ଜୀବଜନ୍ତୁକୁ ଶିକାର କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ୩ ଶିକାରୀ । ସେହି ସମୟରେ ରାଇକିଆ ବନ ବିଭାଗର ଟିମ କୌଣସି ସୂତ୍ରରୁ ଖବର ପାଇ ୩ ଜଣକୁ କାବୁ କରିବା ପାଇଁ ଜାଲ ବିଛାଇଥିଲା । ଏନେଇ ଜଣକୁ ଗିରଫ କରିଥିବା ବେଳେ ଏକ ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ତେବେ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ଥିବା ସୂଚନା । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ତେବେ କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ କରଡା ସେକ୍ସନ ମଙ୍ଗଳପୁର ଜଙ୍ଗଲରେ ବାରହା ଶିକାର ହେଉଥିଲା । ଏନେଇ କୌଣସି ସୁତ୍ରରୁ ଖବରପାଇ ରାଇକିଆ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ କରଡା ବନବିଭାଗର ଏକ ଟିମ୍‌ ଗଠନ କରି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ମଙ୍ଗଳପୁର ଜଙ୍ଗଲରେ ଚଢାଉ କରିଥିଲେ । ଏହି ଦିନ ମାନଙ୍କରେ ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି ଓ ଜଙ୍ଗଲ ଜୀବଜନ୍ତୁ ଶିକାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପଟେ ବନ ବିଭାଗ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଆଁକୁ ଆୟତ୍ତ କରି ପାରୁନାହାନ୍ତି । ଗୋଟିଏ ପଟେ ନିଆଁ ଆୟତ୍ତ କଲାବେଳେ ଅନ୍ୟପଟେ ପୁଣି ନିଆଁ ଲାଗୁଛି । ତେଣୁ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇ ରାତିରେ ଅପରେସନ ଆରମ୍ଭ କରିଥିଲେ ଓ ଶିକାର ପାଇଁ ଜଗି ବସିଥିବା ସମୟରେ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲେ ।

ତେବେ ଦେଶୀ ବନ୍ଧୁକ ସହିତ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସଞ୍ଜୟ ପ୍ରଧାନ । ସେ ରାଇକିଆ ଥାନା ନିକଟ କରଡ଼ା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ବାସିନ୍ଦା ତିଥନ ପ୍ରଧାନଙ୍କ ପୁଅ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ଅନ୍ୟ ଶିକାରୀମାନେ ଫେରାର ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଏହି ଅପରେସନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ରହିଛି ।

ସେପଟେ ଅନେକ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନାହାଁନ୍ତି, ଜଙ୍ଗଲରେ ନିଆଁ ଲଗେଇ ପରିବେଶ ପ୍ରଦୂଷଣ କରିବା ସହିତ ବନ୍ୟଜନ୍ତୁ ମାନଙ୍କର ଜୀବନ ବିପଦ ମୁଖରେ ପକାଉଛନ୍ତି । ଲୋକେ ସଚେତନ ହେଲେ ଜଙ୍ଗଲରେ ନିଆଁ ଲଗାଇବେ ନାହିଁ କିମ୍ବା ବନ୍ୟା ଜନ୍ତୁ ମାନଙ୍କୁ ଶିକାର କରିବେ ନାହିଁ । ତେଣୁ ଜଙ୍ଗଲରେ ନିଆଁ ଲଗେଇ ଶିକାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସ୍ଥାନୀୟ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.