ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀରେ ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଯାହାର ସୁରକ୍ଷାକୁ ନେଇ ଏବେ ଚିନ୍ତା ବଢିଛି । କାହିଁକିନା ଏ ଜଙ୍ଗଲ ଉପରେ ଏବେ ମକା ଚାଷୀଙ୍କ ଲୋଲୁପ ଦୃଷ୍ଟି । ଶହ ଶହ ଏକର ଜମିକୁ ପଦା କରି ଏବେ ଏଠାରେ ଚାଲିଛି ମକା ଚାଷ । ଏହାକୁ ବିରୋଧ କରିବାରୁ ଗତ କିଛିଦିନ ତଳେ ବନବାସୀ ଓ ଜଙ୍ଗଲ ସୁରକ୍ଷା ସମିତି ହାତାହାତି ହୋଇଥିଲେ । ଏହାପରେ ମାମଲା ଯାଇ ପହଞ୍ଚିଛି ଥାନାରେ । ଜଙ୍ଗଲ ସୁରକ୍ଷା ସମିତିର ସଭ୍ୟ ଏମାନଙ୍କ ଘର ଭାଙ୍ଗି ଏମାନଙ୍କୁ ତଡି ଦେଇଥିବା ଅଭିଯୋଗ ଆଣିବା ପରେ ଏହାକୁ ଜଙ୍ଗଲ ସୁରକ୍ଷା ସମିତି ଖଣ୍ଡନ କରିଛି ।
ତେବେ ଜଙ୍ଗଲ ସୁରକ୍ଷାକୁ ନେଇ ଗୋତମୁଣ୍ଡା ଅଞ୍ଚଳର ୭ଟି ଗାଁର ଲୋକ ଏବେ ଏକଜୁଟ ହୋଇଛନ୍ତି ଏବଂ ଜଙ୍ଗଲ ସଫା କରି ବାହାର ଜିଲ୍ଲାରୁ ଆସି ଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଛନ୍ତି । ବନବାସୀମାନେ ଜଙ୍ଗଲ ସୁରକ୍ଷା କମିଟିର ୬ ଜଣଙ୍କ ନାଁରେ ଏନେଇ ଏତଲା ଦେଇଥିବା କହିଛନ୍ତି । ଏନେଇ ଘଟଣାସ୍ଥଳରେ କଳାହାଣ୍ଡି ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାରି ଭିତରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ