ETV Bharat / state

ପାହାଡପଦର ପଞ୍ଚାୟତରେ ଭାଳେଣି, ହିତାଧୀକାରୀଙ୍କ ଟଙ୍କା ନେଇ ଚମ୍ପଟ ମାରିଲେ PEO ବାବୁ

author img

By

Published : Dec 27, 2022, 8:29 AM IST

୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି ଫେରାର ହୋଇଗଲେ ପାଞ୍ଚାୟତ ନିର୍ବାହୀ ଅଧିକାରୀ । ସରପଞ୍ଚଙ୍କ ଜାଲ ଦସ୍ତଖତ କରି ବିଭିନ୍ନ ଉପାୟରେ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ । ଅଧିକ ପଢ଼ନ୍ତୁ

୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ PEO ଫେରାର
୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ PEO ଫେରାର

୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ PEO ଫେରାର

ଭବାନୀପାଟଣା: ପାଞ୍ଚାୟତ ନିର୍ବାହୀ ଅଧିକାରୀ ୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାହାଡପଦର ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଲୋକଙ୍କ ଭତ୍ତା ଟଙ୍କା ସହ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟଙ୍କାକୁ ସରପଞ୍ଚଙ୍କ ଜାଲ ଦସ୍ତଖତ ଦେଇ ଉଠାଇବା ପରେ ପିଇଓ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । (Panchayat Executive Officer)।

ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଜିଲ୍ଲା, ବ୍ଳକ ଓ ପଞ୍ଚାୟତକୁ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଉଛନ୍ତି । କିନ୍ତୁ କିଛି ଅସାଧୁ ସରକାରୀ ଅଧିକାରୀଙ୍କ ଯୋଗୁଁ ତାହା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯାହା ଫଳରେ ଗ୍ରାମାଞ୍ଚଳର ବିକାଶ ହେବା ତ ଦୂରର କଥା, ଲୋକଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ମୌଳିକ ସୁବିଧା ଟିକକ ମଧ୍ୟ ମିଳିପାରୁନି ।

୪ ମାସରେ ହଡ଼ପ କଲେ ୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା !

ସୂଚନା ଅନୁସାରେ ଗତ ୪ ମାସ ତଳେ ଅର୍ଥାତ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଲାଞ୍ଜିଗଡ ବ୍ଲକର ପାହାଡପଦର ପଞ୍ଚାୟତରେ PEO ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇଥିଲେ ଦେବାନନ୍ଦ ସାଗର । ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗକ୍ରମେ ସେ ପଞ୍ଚାୟତକୁ ଆସିଥିବା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ୍‌ର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଇ ହଡପ କରିବା ସହ ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି ।

ହୀତାଧିକାରୀଙ୍କୁ ମିଳିନି ଟଙ୍କା

ପାହାଡପଦର ପଞ୍ଚାୟତରେ SFC (State Finance Commission) ଓ CFC (Central Finance Commission) ଫଣ୍ଡରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇ ସାରିଥିବା ବେଳେ ଶ୍ରମିକମାନଙ୍କୁ ମଜୁରି ଦେବା ପାଇଁ ଟଙ୍କା ନାହିଁ । ଶ୍ରମିକମାନେ ବାରମ୍ବାର ପଞ୍ଚାୟତ ଯାଇ ନୟାନ୍ତ ହୋଇ ଫେରୁଥିବାବେଳେ ଏପଟେ ଦେବାନନ୍ଦ ସାଗର ସେହି ଟଙ୍କା ସବୁକୁ ଆତ୍ମସାତ କରି ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ସରପଞ୍ଚ ଲକ୍ଷ୍ମଣ ମାଝୀ । ସେହିଭଳି ପଞ୍ଚାୟତରେ ଥିବା ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ଭତ୍ତା ସବୁ ବଣ୍ଟନ ହୋଇପାରିନାହିଁ । ଆଉ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ ।

ଆରମ୍ଭ ହୋଇଛି ତଦନ୍ତ

ଏପରିକି ପାହାଡପଦର ଭଳି ଦୁର୍ଗମ ଅଞ୍ଚଳର ବୃଦ୍ଧ ଓ ବୃଦ୍ଧାମାନେ ମାସିକ ଭତ୍ତା ଭାବେ ପାଇବାକୁ ଥିବା ୫ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ସେ ଚେକ୍ ଜରିଆରେ ଉଠାଇ ନେବା ସହିତ ଆତ୍ମସାତ କରି ଫେରାର ହୋଇଯାଇଛନ୍ତି । ତେବେ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ମହାଶୟ ପ୍ରାୟ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଲକ୍ଷ୍ମଣ ମାଝୀ ଓ ସମିତିସଭ୍ୟ ଜଗଦିଶ ବେନିଆଁ ପ୍ରମୁଖ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ସହିତ ବିଶ୍ବନାଥପୁର ଏସ୍‌ବିଆଇ ଶାଖାରେ ଥିବା ପଞ୍ଚାୟତ ଆକାଉଣ୍ଟକୁ ହୋଲ୍ଡ କରିବାକୁ ଚିଠି ଲେଖିଛନ୍ତି । ଅପରପକ୍ଷେ ସରପଞ୍ଚ ଲକ୍ଷ୍ମଣ ମାଝୀ ଦେବାନନ୍ଦଙ୍କ ବିରୋଧରେ ବିଜେପୁର ଥାନାରେ ଏତଲା ଦାଖଲ କରିଥିବାବେଳେ ଦସ୍ତଖତ ଜାଲିଆତି ଓ ମୋଟା ଅଙ୍କର ସରକାରୀ ଅର୍ଥ ହେରଫେର ମାମଲାର ତଦନ୍ତଭାର କଳାହାଣ୍ଡି ଭିଜିଲାନ୍ସ ବିଭାଗ ନିଜ ହାତକୁ ନେଇଛି ।

ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଏମିତି ଅନେକ ଦୁର୍ନୀତି ଘଟୁଥିବା ବେଳେ ଗୋଟିଏ ପରେ ଗୋଟିଏ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡ଼ି ଜେଲ ଯାଉଛନ୍ତି । ହେଲେ ବର୍ତ୍ତମାନ ମଧ୍ୟ ଦୁର୍ନୀତି କମିବାର ନାଁ ନେଉନାହିଁ । ବର୍ତ୍ତମାନ ଏହି ଘଟଣାରେ ପୋଲିସ, ଭିଜିଲାନ୍ସ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.