ETV Bharat / state

କଳାହାଣ୍ଡିରେ ମାଓ-ପୋଲିସ ଗୁଳି ବିନିମୟ ଘଟଣା, ପୋଷ୍ଟର ମାରିଲା ଲାଲବାହିନୀ

author img

By

Published : Jun 24, 2023, 4:14 PM IST

କଳାହାଣ୍ଡି ଜିଲ୍ଲା ଟାପରେଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟଣାକୁ ନେଇ ତାତିଲେ ଲାଲବାହିନୀ । ଘଟଣାର ଦୁଇ ମାସ ପରେ ଉକ୍ତ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ଅଧିକ ପଢ଼ନ୍ତୁ

mao poster spotted in kalahandi
କଳାହାଣ୍ଡିରେ ମାଓ ପୋଷ୍ଟର

କଳାହାଣ୍ଡିରେ ମାଓ ପୋଷ୍ଟର

ଭବାନୀପାଟଣା: ଦୀର୍ଘ ଦିନର ବ୍ୟବଧାନ ପରେ ନିଜ ସ୍ଥିତି ଜାହିର କରିଛି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ଟାପରେଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟଣାକୁ ନେଇ ତାତିଲେ ଲାଲବାହିନୀ । ଘଟଣାର ଦୁଇ ମାସ ପରେ ଉକ୍ତ ଗ୍ରାମର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଗତ ମେ' ମାସ ୯ ତାରିଖ ଦିନ ସକାଳ ପ୍ରାୟ ୮ ଟା ସମୟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ ଗ୍ରାମରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ତିନିଜଣ ମାଓବାଦୀ ନିହତ ହୋଇଥିଲେ । ତେବେ ଏହି ଘଟଣାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଛି । ସେପଟେ କ୍ରୁରତା ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ଘଟଣାର ଠିକ ଦୁଇ ମାସ ପରେ ଆଜି ସକାଳୁ ଟାପରେଙ୍ଗ ଗ୍ରାମର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଉକ୍ତ ଗୁଳି କାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ୩ ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ହୋଇଥିବା ବେଳେ ସମସ୍ତଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କରେ ଲାଲବାହିନୀ ପକ୍ଷରୁ ତଥ୍ୟ ଉଲ୍ଲେଖ କରାଯାଇଛି । ଲଳିତ ପ୍ରଥମ ପତ୍ନୀ ନମିତା ମୃତ୍ୟୁର ଦୁଇ ବର୍ଷ ପରେ ସେ ନିହତ ହେବାର ଏକ ସପ୍ତାହ ପୂର୍ବରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟରରେ ଲେଖା ହୋଇଛି । ସେହିପରି କମ୍ରେଡ୍ ରିତୁ ଓରଫ ଯୋଜା ସୁକମା ଜିଲ୍ଲାର କଣ୍ଡା ବ୍ଲକ ଅନ୍ତର୍ଗତ ବେଜି ପଞ୍ଚାୟତର ଏଲାଡମାଡଗୁ ଗ୍ରାମର ଏକ ଗରିବ କୋୟା ଆଦିବାସୀ ପରିବାରେ ଜନ୍ମ ହୋଇଥିଲା । ୨୦୦୮ ମସିହାରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷ ଧରି ପିଏଲଜିଏର ବେସ୍‌ ଫୋର୍ସ ଟ୍ରେନିଂ ଦେବା, ଯୁଦ୍ଧ ପାଇଁ ମାଓ କର୍ମୀଙ୍କୁ ପ୍ରସ୍ତୁତି କରିବା ଏବଂ ସେମାନଙ୍କୁ ସଞ୍ଚାଳନ କରିବାରେ ରିତୁ ମାହିର ଥିଲା ।

ସନ୍ଦେଶ ଓରଫ ଲାକ୍ଷୁ ଦାନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ବ୍ଲକ ଅନ୍ତର୍ଗତ ନାୟୁମ ଗ୍ରାମରେ ଏକ ଗରିବ କୋୟା ଆଦିବାସୀ ପରିବାରେ ଜନ୍ମ ହୋଇଥିଲା । ସେ ଏକ ଯୋଦ୍ଧା ଭାବେ ସଂଗଠନ ପାଇଁ ଲଢେଇ କରୁଥିଲା । ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ ଦେଇଛି ମାଓ ସଂଗଠନ । ତେବେ ଗତ ରାତିରେ ଉକ୍ତ ଅଞ୍ଚଳରେ ଅଳ୍ପ ବର୍ଷା କାରଣରୁ ପୋଷ୍ଟରର କିଛି ଲେଖା ଲିଭି ଯାଇଥିଲେ ହେଁ ମାଓବାଦୀଙ୍କ ପୁଣି ଉପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ସେପଟେ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.