ETV Bharat / state

ଝିଅର ମୃତଦେହକୁ ଛୁଇଁଲାନି ପରିବାର, ମାନବିକତା ଦେଖାଇ ଅନ୍ତିମ ସତ୍କାର କଲେ ସାମ୍ବାଦିକ

author img

By

Published : Apr 20, 2023, 9:58 AM IST

ମାନବିକତା ଦେଖାଇ ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ସାମ୍ବାଦିକ ସଙ୍ଘ । ଅଧିକ ପଢନ୍ତୁ

journalist association
journalist association

journalist association

ଭବାନୀପାଟଣା: ଅପ୍ରାପ୍ତ ବୟସର ପ୍ରେମରେ ପ୍ରତିବନ୍ଧକ ସାଜିଲା ଜାତି ପ୍ରଥା । ପ୍ରେମିକ ବଢ଼ାଇ ଦେଇଥିବା ବିଷ ପିଇ ପ୍ରେମିକା ଜୀବନ ହାରିବା ପରେ ମୃତଦେହକୁ ମଧ୍ୟ ଛୁଇଁଲେନି ପରିବାର ଲୋକ । ଶେଷରେ ମାନବିକତା ଦେଖାଇ ମୃତଦେହ ସତ୍କାର ପାଇଁ ଆଗେଇ ଆସିଲେ ସାମ୍ବାଦିକ ସଙ୍ଘ । ପୋଲିସର ସହାୟତା ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାବାଳିକାର ମୃତଦେହକୁ ରୀତିନୀତି ଅନୁଯାୟୀ ସତ୍କାର କରିଥିବା ଦେଖିବାକୁ ମିଳିଛି । ନୁନପାଣି ଗ୍ରାମର ପ୍ରେମ ପ୍ରତାରିତା ନାବାଳିକାଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଥିବା ବେଳେ ତାଙ୍କ ପରିବାର ପକ୍ଷରୁ ମୃତଦେହ ସତ୍କାର ପାଇଁ ମନା କରିଦେଇଥିଲେ । ଏଥିସହ ସହ ପ୍ରେମିକ ଯୁବକଙ୍କ ଘର ଆଗରେ ରଖିଥିବା ମୃତଦେହକୁ ପରିବାରଲୋକେ ଛୁଇଁ ନଥିଲେ ।‌

ଅନ୍ୟପଟେ ଭିନ୍ନ ଜାତି ହୋଇଥିବାରୁ ସାମାଜିକ ବାସନ୍ଦ ଭୟରେ ଯୁବକଙ୍କ ପରିବାର ଲୋକେ ମଧ୍ୟ ମୃତଦେହ ସତ୍କାର କରିବେ ନାହିଁ ବୋଲି କହିଥିଲେ । ଏଭଳି ଅଚଳାବସ୍ଥା ଥିବା ଦେଖି ସ୍ଥାନୀୟ ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ, ସାମ୍ବାଦିକ ଶୋଭିତ ଗାନ୍ଧୀ, ସାମ୍ବାଦିକ ସୁଧିର ଗୋପାଳ, ସାମ୍ବାଦିକ ସୁବାସ ବାଗ, ସାମ୍ବାଦିକ ଦିଲ୍ଲୀପ ଦୁରିଆ ସମେତ ବେହେରା ପ୍ଯାକ୍ସ ସଭାପତି ଭବେଶ ଗଇନ୍ତା, ସମାଜସେବୀ ଚିତ୍ତ ପୁଝାରୀ, ପିଣ୍ଟୁ ତିଓ୍ଵାରୀ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ପ୍ରମୁଖ ଘର ଘର ବୁଲି କାଠ ସଂଗ୍ରହ କରି ଦୁଇ କିମି ଦୂରରେ ଥିବା ଗାଁ ମଶାଣିକୁ କୋକେଇରେ ନେଇ ମୃତଦେହ ସତ୍କାର ସଂପୂର୍ଣ୍ଣ ମର୍ଯ୍ୟାଦାର ସହ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ନୁନପାଣି ଗ୍ରାମରେ ଜନୈକା ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ନାବାଳିକା ସହ ପ୍ରେମ ସମ୍ପର୍କ ରଖିଥିବା ଜନୈକ ଯୁବକ ତାଙ୍କୁ ବିଷ ପାନ କରି ପ୍ରାଣ ହରାଇବାକୁ ପ୍ରରୋଚିତ କରିଥିଲେ । ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଯୁବକଙ୍କ ଗିରଫ ଦାବିରେ ଯୁବକଙ୍କ ଘର ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ପୋଲିସ ରାତି ୧ଟାରେ ଯୁବକ ସମିରଙ୍କୁ ଗିରଫ କରିବା ନେଇ ସୂଚନା ଦେବା ପରେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ ମୃତଦେହ ଉଠେଇବାକୁ ରାଜି ହୋଇନଥିଲେ । ଏନେଇ ବାଧ୍ୟ ହୋଇ ଗତକାଲି(ବୁଧବାର) ଦିନ ୧୧ଟା ବେଳେ ସାମ୍ବାଦିକମାନେ ଘଟଣାରେ ହସ୍ତକ୍ଷେପ କରି ମାନବିକତା ପ୍ରଦର୍ଶନ ପୂର୍ବକ ନିଜ କାନ୍ଧରେ ନେଇ ମୃତଦେହ ସତ୍କାର କରିଥିଲେ । ମୃତଦେହ ସତ୍କାର ସମୟରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଉପସ୍ଥିତ ଥିବା ବେଳେ ସାମ୍ବାଦିକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.