ETV Bharat / state

ଅଲୋଡା ଇନ୍ଦ୍ରାବତୀ ବିସ୍ଥାପିତ: ପହଞ୍ଚିପାରିଲାନି ବିକାଶ, ମାଳମାଳ ସମସ୍ୟା ଘେରରେ ଜୀବନ

author img

By

Published : Mar 3, 2023, 9:32 AM IST

Updated : Mar 3, 2023, 9:43 AM IST

ଜୀବନ ଜୀବିକାକୁ ତୁଚ୍ଛ କରି ସର୍ବସ୍ବ ଦେଲେ । ସ୍ବପ୍ନ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ମାଳମାଳ ସମସ୍ୟାରେ ଘେରି ହୋଇଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ । ନା ଅଛି ଖଣ୍ଡିଏ ରାସ୍ତା ନା ମିଳୁଛି ସ୍ବାସ୍ଥ୍ୟସେବା । ମୌଳିକ ସୁବିଧା ପାଇଁ ଅହରହ ଲଢେଇ କରୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ । ଦେଖନ୍ତୁ ଆମର ଏହି ରିପୋର୍ଟ ।

ଇନ୍ଦ୍ରାବତୀ ବିସ୍ଥାପିତ
indravati displaced people facing several problem

ଇନ୍ଦ୍ରାବତୀ ଜଳଭଣ୍ଡାର ବିସ୍ଥାପିତଙ୍କ ଦୁଃଖ

ଭବାନୀପାଟଣା: ଇନ୍ଦ୍ରାବତୀ ଜଳ ଭଣ୍ଡାର । ଭାରତବର୍ଷର ସର୍ବବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଭାବେ ପରିଚିତ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଏବଂ ବିତ୍ୟୁତ ଉତ୍ପାଦନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହୋଇଛି । ଏହା ହେବା ଦିନଠୁ ଦୁଃଖରେ ଦିନ କାଟୁଛନ୍ତି ବିସ୍ଥାପିତ । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ବିସ୍ଥାପିତଙ୍କ ପାଇଁ ଦୁଃଖ ଆଣି ଦେଇଛି । ଡ୍ୟାମ ହେବା ଦିନୁ 42 ଖଣ୍ଡ ଗାଁ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛନ୍ତି । ମୌଳିକ ଅଧିକାର ପାଇଁ ଅହରହ ଲଢେଇ କରୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ । ବୁଡି ଯାଇଛି ବୁଡି ଅଞ୍ଚଳବାସୀଙ୍କ ସ୍ବପ୍ନ ଓ ଭବିଷ୍ୟତ ।

ଡ୍ୟାମ ନିର୍ମାଣ ହେବାକୁ ଅନେକ ବର୍ଷ ବିତିଛି ହେଲେ ବିସ୍ଥାପିତଙ୍କ ଦୁଃଖ ସରିନାହିଁ । ଡ୍ୟାମ ପାଇଁ ଦୁର୍ଦ୍ଦିନରେ ବୁଡିଛନ୍ତି ହଜାର ହଜାର ବିସ୍ଥାପିତ । ଜଳବନ୍ଦୀ ଜୀବନ ବିତାଉଛନ୍ତି ବୁଡି ଅଞ୍ଚଳବାସୀ । ମୌଳିକ ସୁବିଧାଠୁ ସାମାଜିକ ସୁରକ୍ଷା ଏଠାକାର ଗରିବ ଆଦିବାସୀଙ୍କ ପାଇଁ ଅପହଞ୍ଚ । ଜିଲ୍ଲାର ୧ ଲକ୍ଷ ୨୮ ହଜାର ହେକ୍ଟର ଚାଷ ଜମିରେ କେନାଲ ଯୋଗେ ଚାଷ ପାଇଁ ପାଣି ଯୋଗାଇ ଦିଆ ଯାଉଥିବା ବେଳେ ଜଳ ବିଦ୍ୟୁତ ପ୍ରକଳ୍ପରୁ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଅଞ୍ଚଳ ଆଲୋକିତ ହେଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଆଜି ବି ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ଇନ୍ଦ୍ରାବତୀ ଜଳଭଣ୍ଡାରର ୧୧୦ ବର୍ଗ କିମି ପ୍ରଶସ୍ତ ଜଳରାଶି ମଧ୍ୟରେ ସତେ ଯେମିତି ବିଲୀନ ଯାଇଛି କଳାହାଣ୍ଡିର ୪ ଗୋଟି ପଞ୍ଚାୟତର ୪୨ ଖଣ୍ଡ ଗାଁ ।

2630 ବର୍ଗ କିମି ଜଙ୍ଗଲ ଜମିର ଭୌଗଳିକ ପରିସୀମା ପାଲଟିଗଲା ବୁଡି ଅଞ୍ଚଳ ଭାବରେ । ଏଥିରେ ଯେଉଁମାନେ ବିସ୍ଥାପିତ ହେଲେ ସେତେବେଳେ ସେମାନେ ଆଶା କରିଥିଲେ କଳାହାଣ୍ଡିର ବିସ୍ତିର୍ଣ୍ଣ ଅଞ୍ଚଳ ଜଳସେଚିତ ହେବ,ବିଦ୍ୟୁତ ଉତ୍ପାଦନ ହେବ, ରାଜ୍ୟର ରାଜକୋଷ ବଢିବ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ ହେଲେ ଯେଉଁମାନେ ନିଜ ଭିଟାମାଟି ହରାଇଲେ ସେମାନେ ପାଇଲେ କଣ ? ଜଳବନ୍ଦୀ ଜୀବନ ବିତାଉଥିବା ଏହି ଅଭିଶପ୍ତ ମଣିଷ ମାନଙ୍କର ଏଯାବତ ମାନବ ସମ୍ବଳର ବିକାଶ ହୋଇପାରିଲା ନାହିଁ । ଯେଉଁ ମାନେ ଇନ୍ଦ୍ରାବତୀ ପାଇଁ ନିଜର ଜୀବନ ଜୀବିକାକୁ ତୁଚ୍ଛ କରି ସର୍ବସ୍ବ ଦେଇ ନିସ୍ବ ହୋଇଗଲେ ସେମାନଙ୍କ ହାଲଚାଲ ବୁଝିବା ବେଳକୁ ସମସ୍ତେ ପଛଘୁଞ୍ଚା ଦେଉଛନ୍ତି ।

ନା ଅଛି ରାସ୍ତା ନା ମିଳୁଛି ସ୍ବାସ୍ଥ୍ୟସେବା । ସଂଘର୍ଷମୟ ଜୀବନ ଭିତରେ ଜୀବିକା, ସ୍ବାସ୍ଥ୍ୟ ସେବା, ଶିକ୍ଷା ବିଜୁଳି ଭଳି ମୌଳିକ ସମସ୍ୟା ସହ ଜୁଝି ହେଉଛନ୍ତି ବିସ୍ଥାପିତ । ମିଳିଛି ତ କେବଳ ମିଛ ପ୍ରତିଶ୍ରୁତି । କିଛି କାମ ପାଇଁ ବାହାରକୁ ଯିବାକୁ ହେଲେ ଡଙ୍ଗା ହିଁ ସାହାରା । ବିପଦପୂର୍ଣ୍ଣ ଭାବରେ ଡଙ୍ଗା ଯାତାୟତ କରୁଛନ୍ତି । ବଢି ଆସିଲେ ବର୍ଷା ଦିନରେ ଅଘଟଣ ଘଟିଥାଏ । ଡଙ୍ଗା ବୁଡିରେ 220ଜଣଙ୍କ ଜୀବନ ଗଲାଣି । ହେଲେ ପ୍ରଶାସନର ନିଘା ନାହିଁ । ଇନ୍ଦ୍ରାବତୀ କଡରେ ଯାଇଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡିରହିଛି ।

ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ବୋଟ ଆମ୍ବୁଲାନ୍ସ ହୋଇଥିଲା ତାହା ମଧ୍ୟ ଲୋକଙ୍କ ପାଖାରେ ଅପହଞ୍ଚ । ସେପଟେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ ନେଇ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲା ଯାହାକୁ ନେଇ ଏବେ ଡି ଚେପ୍ଟା ଘାଟ ଓ କେନ୍ଦୁଗୁଡା ଘାଟରେ ଦୁଇଟି ପୋଲ ନିର୍ମାଣ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି । ଏନେଇ ଲାଞ୍ଜିଗଡ଼ ବିଧାୟକଙ୍କୁ ପଚାରିବାରୁ ସେହି ଚିରାଚରିତ ବିକାଶ ପାଇଁ ପଦକ୍ଷେପ ନିଆ ଯାଉଥିବା ଉତ୍ତର ଦେଇଛନ୍ତି । କେବେ ଏ ବିସ୍ଥାପିତଙ୍କ ଦୁଃଖ ସରୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 3, 2023, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.