ETV Bharat / state

ମୋ ଟମିକୁ ମାରି ଦେଲେ ଡାକ୍ତର ବାବୁ, ଥାନାରେ ଅଭିଯୋଗ କଲେ ମାଲିକ

author img

By

Published : Apr 19, 2023, 9:55 AM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୀତାରାମ କର ତାଙ୍କର ପୋଷା କୁକୁର ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

dog owner filed complaint against doctor
dog owner filed complaint against doctor

dog owner filed complaint against doctor

ଭବାନୀପାଟଣା: ଟମିକୁ ମାରିଦେଲେ ଡାକ୍ତର । ଟମି ମୋ ପରିବାରର ଜଣେ ସଦସ୍ୟ । ସେ କୁକୁର ହେଲେ ବି ମୋ ପୁଅ ଭଳି ଥିଲା । ଅନେକ ଗେହ୍ଲା କରି ତାକୁ ମୁଁ ଘରେ ରଖିଥିଲି । ନିଜ ପୁଅ ଝିଅ ଭଳି ତାକୁ ସ୍ନେହ ଦେଇ ଆସୁଥିଲି । ହେଲେ ହଠାତ୍‌ ତାର ଦେହ ଖରାପ ହେବାରୁ ମେଡ଼ିକାଲ ନେଲି ହେଲେ ଡାକ୍ତର ବାବୁଙ୍କ ଅବହେଳା ଯୋଗୁଁ ଆଜି ମୋ ଟମି ଆଉ ନାହିଁ । ଏମିତି କାନ୍ଦି କାନ୍ଦି କୋହ ଭରା କଣ୍ଠରେ କହିଛନ୍ତି କୁକୁର ମାଲିକ ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୀତାରାମ କର ଗତ ୫ ବର୍ଷ ହେଲା ତାଙ୍କ ଘରେ କୁକୁର ପୋଷି ଥିଲେ । ଯାହାର ନାଁ ଦେଇଥିଲେ ଟମି । ନିଜ ପୁଅ ଝିଅଙ୍କୁ ଯେତିକି ସ୍ନେହ କରନ୍ତି ସେତିକି ସ୍ନେହ ଟମିକୁ ମଧ୍ୟ କରନ୍ତି । ଆଉ ଟମି ସମସ୍ତଙ୍କ ପାଖରେ ଘୁରି ବୁଲେ ସମସ୍ତଙ୍କ ସହ ମିଶେ ବଜାରକୁ ବୁଲିବାକୁ ଯାଉଥିଲା । ଆଉ ସୀତାରାମ ଅଫିସରୁ ଫେରିଲେ ଘର ଲୋକଙ୍କ ଡାକି ଆଣି ଗେଟ ଖୋଲିବାକୁ କହୁଥିଲା । ଏମିତି ଚାଲିଥିବା ଭିତରେ ଟମି ହଠାତ ଅସୁସ୍ଥ ହେବାରୁ ସୀତାରାମ ତାଙ୍କୁ ତୁରନ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ନେଇ ଯାଇଥିଲେ ହେଲେ ସେଠାରେ ମେଡ଼ିକାଲ ବନ୍ଦ ଥିବା ଦେଖି ଡାକ୍ତର ବାବୁଙ୍କୁ ଫୋନ କରି ଚାଲିଲେ ।

ହେଲେ ଡାକ୍ତର ବାବୁ କୌଣସି ଉତ୍ତର ଦେଇ ନ ଥିଲେ ଏବଂ ପ୍ରାୟ ୪ ଘଣ୍ଟା ବିଳମ୍ବରେ ମେଡ଼ିକାଲରେ ପହଞ୍ଚିଥିଲେ ଡାକ୍ତର । ଆଉ ସେତିକି ବେଳକୁ ଟମିର ପ୍ରାଣବାୟୁ ଉଡି ସାରିଥିଲା । ନିଜ ସ୍ନେହର ମାଲିକ ଓ ଘରକୁ ଛାଡି ଚାଲି ଯାଇଥିଲା ଟମି । ଆଉ ଡାକ୍ତର ଆସିବା ପରେ କୋହକୁ ସମ୍ଭାଳି ନ ପାରି ମେଡ଼ିକାଲ ରେ କାନ୍ଦି କାନ୍ଦି ନୟାନ୍ତ ହୋଇ ପଡିଥିଲେ ସୀତାରାମ । ଶେଷରେ ଡାକ୍ତରଙ୍କ ବିରୁଦ୍ଧରେ ଭବାନୀପାଟଣା ଟାଉନ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

ତାଙ୍କର କହିବା ଅନୁଯାୟୀ ସମ୍ପୃକ୍ତ ଡାକ୍ତର ନିଜ କର୍ତ୍ତବ୍ୟରେ ଅବହେଳା କରିବାରୁ ଆଜି ଟମିର ମୃତ୍ୟୁ ହୋଇଛି । ଆଉ ଟମିର ମୃତ୍ୟୁ ପାଇଁ ଡାକ୍ତର ହିଁ ଦାୟୀ । ତେଣୁ ତୁରନ୍ତ ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତେବେ ଏହା କେବଳ ଯେ ଗୋଟିଏ ଘଟଣା କିମ୍ବା ଦିନର ନୁହେଁ ବରଂ ଅନେକ ସମୟରେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଠିକ ଭାବରେ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଏହି ଘଟଣା ଓ ଡାକ୍ତରଙ୍କ ଅବହେଳାକୁ ସ୍ୱୀକାର କରିଥିବା ବେଳେ ସମ୍ପୃକ୍ତ ପ୍ରାଣୀ ଡାକ୍ତରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.