ETV Bharat / state

କଳାହାଣ୍ଡିରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ ଯାତ୍ରା, ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

author img

By

Published : Jan 25, 2023, 10:36 PM IST

କଳାହାଣ୍ଡିରେ ଭାରତ ଯୋଡ ଯାତ୍ରା କଲା କଂଗ୍ରେସ । ସାମିଲ ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

କଳାହାଣ୍ଡିରେ କଂଗ୍ରେସର ଭାରତ ଯୋଡ ଯାତ୍ରା
କଳାହାଣ୍ଡିରେ କଂଗ୍ରେସର ଭାରତ ଯୋଡ ଯାତ୍ରା

କଳାହାଣ୍ଡିରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଭବାନୀପାଟଣା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା ଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଓଡିଶାରେ ମଧ୍ୟ ସଂଗଠନ ମଜବୁତ କରିବାକୁ କସରତ ଚଳାଇଛି ପ୍ରଦେଶ କଂଗ୍ରେସ । ରାଜ୍ୟରେ ତୃଣମୂଳ ସ୍ତରରୁ ସୁଦୃଢ କରିବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଏଥିରେ ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହାସହିତ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଯୁବନେତା ସାଗର ଚରଣ ଦାସ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ସାମିଲ ହୋଇଛନ୍ତି ।

ପ୍ରଥମେ ଜିଲ୍ଲାର ପ୍ରବେଶ ପଥ କେସିଙ୍ଗାରେ ଏହି ଭାରତ ଯୋଡ ଯାତ୍ରା ପହଞ୍ଚିବା ପରେ ସେଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କେସିଙ୍ଗା ସହରରୁ ପଦଯାତ୍ରା ଭବାନୀପାଟଣାରେ ପହଞ୍ଚିଥିଲା । ଏହାପରେ ସହରର କଲେଜ ଛକରୁ ଏହି ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇ ନକଟିଗୁଡା ଛକରେ ପହଞ୍ଚିଥିଲା । ଏଥିରେ କଳାହାଣ୍ଡି କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ଏହି ପଦଯାତ୍ରା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ।


କଳାହାଣ୍ଡିରେ ଭାରତ ଯୋଡ ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "କେନ୍ଦ୍ର ସରକାର କେବଳ ଲୋକଙ୍କୁ ସ୍ବପ୍ନ ଦେଖାଉଛନ୍ତି । ଦେଶବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଅଚ୍ଛା ଦିନ୍‌ ନାଁ ଲୋକଙ୍କୁ ଠକୁଛି କେନ୍ଦ୍ର । ବର୍ତ୍ତମାନ ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ଦର ଆକାଶ ଛୁଆଁ ରହିଛି । ପନିପରିବା ସାଙ୍ଗକୁ ଲୁଣ ଦର ମଧ୍ୟ ବଢ଼ିବାରେ ଲାଗିଛି । ସାଧାରଣ ଲୋକେ ଦରଦାମ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଯୁବବର୍ଗଙ୍କୁ ଚାକିରି ମିଳୁନାହିଁ । କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରିଥିବା ବେଳେ ରାଜ୍ୟରେ ଥିବା ବିଜେଡି ସରକାର ମଧ୍ୟ ଏସବୁ କ୍ଷେତ୍ରରେ ଫେଲ୍ ମାରିଛି । ବର୍ତ୍ତମାନ ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷାର ବ୍ୟବସ୍ଥା ବିଫଳ ହୋଇଛି । ଯୁବକମାନେ ଚାକିରି ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଚାଷୀ ଆତ୍ମହତ୍ୟା କରୁଛନ୍ତି ।''

କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ସହ କଂଗ୍ରେସ ପୂର୍ବଭଳି ଲୋକଙ୍କ ସହ ଯୋଡି ହେବା ପାଇଁ ଏହି ପଦଯାତ୍ରା କରୁଥିବା ପିସିସି ସଭାପତି କହିଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି ଯେ, '' କଂଗ୍ରେସ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି । ଦେଶରେ ଚାଲିଥିବା ଗଣତନ୍ତ୍ର ବିରୋଧୀ ଶାସନ ବା ବିଜେପି ସରକାରର ପତନ ହେବାକୁ ଯାଉଛି । ଲୋକେ ଏ ଦିଗରେ ସଚେତନ ହେଲେଣି ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.