ETV Bharat / state

ଅସହ୍ୟ ହେଉଛି ଯନ୍ତ୍ରଣା, ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ସାରଥୀ

author img

By

Published : Mar 11, 2023, 4:38 PM IST

ଯନ୍ତ୍ରଣାରେ ଛଟପଟ ସାରଥୀ ବେହେରା । ରୋଗ ଭଲ ନହେବାରୁ ଶେଷରେ ସରକାରଙ୍କୁ ଇଚ୍ଛା ମୃତ୍ୟୁ ମାଗଲେ ସାରଥୀ । ଅଧିକ ପଢନ୍ତୁ

young woman sarathi behera wish for euthanasia
young woman sarathi behera wish for euthanasia

ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ସାରଥୀ

ଯାଜପୁର: କେହି ମୋତେ ଭଲ କରିପାରୁନାହାନ୍ତି । ମୋତେ ବହୁତ ଯନ୍ତ୍ରଣା ହେଉଛି । ଦୟା କରି ମୋତେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ। ମୁଁ ମରିବାକୁ ଚାଁହୁଛି। ଜୀବନ ଠାରୁ ମୃତ୍ୟୁ ମୋ ପାଇଁ ଅଧିକ ଶାନ୍ତିଦାୟକ । କାନ୍ଦି କାନ୍ଦି ସରକାରଙ୍କୁ ଏପରି କୋହଭରା କଣ୍ଠରେ ଇଚ୍ଛା ମୃତ୍ୟୁ ମାଗିଛନ୍ତି ସାରଥୀ ବେହେରା ।

ଯାଜପୁର ଜିଲ୍ଲା ଧନେଶ୍ୱର ପଞ୍ଚାୟତ ଆଲିଆ ଗ୍ରାମର ଅର୍ଜୁନ ବେହେରାଙ୍କ ଝିଅ ସାରଥୀ ବେହେରା। ଗତ 2016 ମସିହାରୁ ପରିଶ୍ରା ଓ ମଳତ୍ୟାଗ ସମସ୍ୟା ରୋଗରେ ପୀଡିତ ଅଛନ୍ତି ସାରଥୀ । ଯନ୍ତ୍ରଣା ଏତେ ଯେ ନା କହି ହେଉଛି ନା ସହି ହେଉଛି । ମେଡିକାଲ ଧାଇଁ ନୟାନ୍ତ ହେବା ସହ ମେଡିସିନ ଖାଇ ଖାଇ ଥକି ଗଲେଣି। କିନ୍ତୁ ଯନ୍ତ୍ରଣା କମିବାର ନା ଧୁରୁନି। ସରକାରୀ ତଥା ବେସରକାରୀ ଡାକ୍ତରଖାନାରୁ ନିରାଶ ହେବା ପରେ ଶେଷରେ ସେ ଇଚ୍ଛା ମୃତ୍ୟୁ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମଳତ୍ୟାଗ ଓ ପରିସ୍ରା ଜନିତ ସମସ୍ୟା ରୋଗରେ ପୀଡିତ ଅଛନ୍ତି ସାରଥୀ । ଅନେକ ସରକାରୀ ଠାରୁ ଆରମ୍ଭ କରି ଘରୋଇ ଡାକ୍ତରଖାନା ଯାଇ ଡାକ୍ତର ଙ୍କୁ ନିଜ ସମସ୍ୟା କହି ଔଷଧ ଖାଇ ଥିଲେ ମଧ୍ୟ ରୋଗରୁ ମୁକ୍ତି ପାଇନାହାନ୍ତି। ଶେଷରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇ ଦୁଇଟି ଅପରେସନ କରିସାରିଲେଣି । ମାତ୍ର ରୋଗରୁ ଯନ୍ତ୍ରଣା କମିବା ପରିବର୍ତ୍ତେ ବୃଦ୍ଧି ପାଉଛି ।

ସାରଥୀଙ୍କୁ ତାଙ୍କ ପରିବାର ଲୋକେ ଭଲ କରିବା ପାଇଁ ବିଭିନ୍ନ ଡାକ୍ତର ଓ ଡାକ୍ତରଖାନାରେ ନେଇ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ରୋଗ ଭଲ ହେଉନାହିଁ। ଗୋଟେପଟେ ଡାକ୍ତର ରୋଗର କାରଣ ନିରୂପଣ କରିପାରୁନଥିବା ବେଳେ ଅନ୍ୟ ପଟେ ଅସହ୍ୟ ଯନ୍ତ୍ରଣା ସାରଥୀଙ୍କୁ ନିରାଶ କରିଦେଇଛି । ଶେଷରେ ସାରଥୀ ବାଧ୍ୟ ହୋଇ ସେ ଇଚ୍ଛାମୃତ୍ୟୁକୁ ଆପଣେଇଛନ୍ତି l ଏନେଇ ସୋସିଆଲ ମିଡ଼ିଆ ଓ ମେଲ ସହାୟତାରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି । ଏ ସମ୍ପର୍କରେ କୋରେଇ ଚିକିତ୍ସା ଅଧିକାରୀଙ୍କ ପଚାରିବାରୁ ସେ ଏହାକୁ ଗୁରୁତ୍ୱର ସହ ନେବା ସହିତ ସାରଥୀଙ୍କୁ ସମସ୍ତ ଚିକିତ୍ସା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ସାରଥୀଙ୍କ ରୋଗ ନିରୂପଣ କରି ଉଚ୍ଚତର ଚିକିତ୍ସା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଆଶା ଚିକିତ୍ସା ପରେ ସାରଥୀଙ୍କ ଯନ୍ତ୍ରଣା ଦୂର ହେବ ଓ ପୁଣି ଥରେ ସେ ପୂର୍ବ ପରି ହସ ଖୁସୀରେ ଜୀବନ ବିତାଇବେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.