ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ, ମୃତକଙ୍କୁ ଝୁରୁଛନ୍ତି ସମ୍ପର୍କୀୟ

author img

By

Published : Jan 2, 2023, 3:51 PM IST

ଜାନୁଆରୀ 2, 2006 ମସିହାରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ହୋଇଥିବା କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ

kalinga nagar firing incident
kalinga nagar firing incident

କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ

ଯାଜପୁର: ଛାତି ଥରାଇଥିବା କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି 17 ବର୍ଷ ପୂରଣ ହୋଇଛି । ଏଥିରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶହୀଦ ସ୍ମୃତି ଦିବସ ପାଳନ କରିଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଶହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଳିଙ୍ଗନଗର ଗୁଳିକାଣ୍ଡରେ ମୃତ ଆଦିବାସୀଙ୍କ ସ୍ମୃତିରେ ଜାନୁଆରୀ 2 ତାରିଖକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ ।

ଜନମଞ୍ଚ ପକ୍ଷରୁ ସ୍ମୃତିସଭା, ସମାବେଶ ଓ ଆଦିବାସୀ ପାରମ୍ପରିକ କାର୍ଯ୍ୟକ୍ରମ କରାଯାଇଛି । ମାୟାମଲିଙ୍ଗି ଓ ଶହୀଦ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା ସହ 108 କଳସ ଶୋଭାଯାତ୍ରା କରାଯାଇଛି । ଶହୀଦ ପରିବାର ପକ୍ଷରୁ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଆଦିବାସୀ । ତେବେ ଏହି ସମୟରେ ସୁରକ୍ଷା ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ ଜାନୁଆରୀ 2, 2006 ମସିହାରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଆଦିବାସୀ ଓ ପୋଲିସ । ଏକ ପ୍ରକାର କୁରୁକ୍ଷେତ୍ର ପାଲଟିଯାଇଥିଲା କଳିଙ୍ଗନଗର । ପୋଲିସ ଗୁଳିରେ ଟଳି ପଡିଥିଲେ 14 ଜଣ ଆଦିବାସୀ । ସେପଟେ ଆଦିବାସୀଙ୍କ ତୀର ମାଡରେ ମଧ୍ୟ ଜଣେ ପୋଲିସ କର୍ମୀଙ୍କ ଜୀବନ ଯାଇଥିଲା । ସେତେବେଳେ ମୃତକଙ୍କ ପାପୁଲି କଟା ପ୍ରସଙ୍ଗ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏଥିପାଇଁ ତଦନ୍ତ କମିଶନ ମଧ୍ୟ ବସିଥିଲା । ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସରକାର ବିଭିନ୍ନ ଖଣ୍ଡପୀଠ ଗଠନ କରି ତଦନ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାରେ କାହାର ଦୋଷ ନଥିବା ସରକାର ଦର୍ଶାଇଥିଲେ ।

ତେବେ ଏହି ଘଟଣା ଧୀରେଧୀରେ ଲୋକଙ୍କ ମନରୁ ଲିଭୁଥିଲେ ମଧ୍ୟ ପ୍ରାଣ ହରାଇଥିବା ଆତ୍ମୀୟମାନଙ୍କୁ ଆଜିବି ଝୁରୁଛନ୍ତି ପରିବାର ଲୋକେ । ସେଦିନର ସେହି ଲୋମଟାଙ୍କୁରା ଘଟଣା ଆଜି ବି ଆଖି ଆଗରେ ନାଚି ଉଠୁଛି । ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରିବାବେଳେ ଭାବବିହ୍ବଳ ହୋଇପଡିଥିଲେ ଆତ୍ମୀୟ ସ୍ବଜନ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେଣେ ଏହି ଶହୀଦ ସ୍ମାରକୀ କାର୍ଯ୍ୟକ୍ରମରେ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନି ସୋରେନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଆଜି ବି ଏହି ଦିନକୁ ମନେପକାଇ ଦୁଃଖ ଆଉ କ୍ରୋଧରେ ଜର୍ଜରିତ ମୃତକଙ୍କ ସମ୍ପର୍କୀୟ । ଘଟଣାର ନ୍ୟାୟିକ ତଦନ୍ତ ସହ ନ୍ୟାୟ ପାଇଁ ସାଧାରଣରେ ଦାବି ମଧ୍ୟ ହୋଇଛି । ଶିଳ୍ପ ନାମରେ ଆଦିବାସୀଙ୍କ ବିକାଶ ହୋଇନାହିଁ ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିସ୍ଥାପିତ ଜନମଞ୍ଚ ସଦସ୍ୟ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.