ETV Bharat / state

ବିଞ୍ଝାରପୁରରେ ମନେରଗା ଦୁର୍ନୀତି, ଅଧିକାରୀଙ୍କ ଠାରୁ ଆଦାୟ ହୋଇପାରୁନି ଟଙ୍କା !

author img

By

Published : Nov 15, 2022, 8:18 PM IST

ବିଞ୍ଝାରପୁରରେ ମନେରଗା ଦୁର୍ନୀତି । ହରି ଲୁଟ୍‌ କରି ଖାଇଗଲେ ମନରେଗା ଟଙ୍କା । ବାରମ୍ବାର ସରକାରୀ ନୋଟିସ ଦିଆଯାଉଥିଲେ ସୁଦ୍ଧା ଖାତିର୍‌ କରୁନାହାନ୍ତି ଅଧିକାରୀ ଓ ସରପଞ୍ଚ । ଯାଜପୁର ଜିଲ୍ଲା ବଞ୍ଝାରପୁର ବ୍ଲକ୍‌ରେ ମନରେଗା ଯୋଜନାରେ ୧୫ ଲକ୍ଷ ୭୨ ହଜାର ଟଙ୍କା ଦୁର୍ନୀତି ହୋଇଥିଲା । ଅଧିକ ପଢ଼ନ୍ତୁ

Binjharpur block administration failed to collect MGNREGA corruption money from corrupted officers and leaders in Jajpur
ବିଞ୍ଝାରପୁରରେ ମନେରଗା ଦୁର୍ନୀତି, ଅଧିକାରୀଙ୍କଠାରୁ ଆଦାୟ ହୋଇପାରୁନି ଟଙ୍କା !

ଯାଜପୁର: ବିଞ୍ଝାରପୁରରେ ମନେରଗା ଦୁର୍ନୀତି । ଦୁର୍ନୀତି କରି ଟଙ୍କା ଲୁଟ କରିଥିବା ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ? ଟଙ୍କା ଆଦାୟ ପାଇଁ ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର ନାଁ ଧରୁନାହାଁନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସରପଞ୍ଚ । ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ମନରେଗା ଯୋଜନାରେ ହୋଇଥିବା ମହାଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ୧୫ ଲକ୍ଷ ୭୨ ହଜାର ଟଙ୍କା ଆଦାୟ ପାଇଁ ନୋଟିସ ଦିଆଯାଇଥିଲେ ସୁଦ୍ଧା ଅଦ୍ୟାବଧି ଟଙ୍କାଟିଏ ଆଦାୟ ହୋଇପାରିନି । ସେପଟେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ବିଞ୍ଝାରପୁରରେ ମନେରଗା ଦୁର୍ନୀତି, ଅଧିକାରୀଙ୍କଠାରୁ ଆଦାୟ ହୋଇପାରୁନି ଟଙ୍କା !

ମନରେଗାରେ ଦୁର୍ନୀତି

ବିଞ୍ଝାରପୁର ବ୍ଳକରେ ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇବା ପରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୋଟ ୬ଟି ପଞ୍ଚାୟତରେ ତଦନ୍ତ କରିଥିଲା କେନ୍ଦ୍ରୀୟ ଟିମ୍‌ । ପରେ ତିନୋଟି ପଞ୍ଚାୟତରକ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଦୁର୍ନୀତିରେ ଲିପ୍ତ ଥିବା ତତ୍କାଳୀନ ସରକାରୀ ଅଧିକାରୀ ଓ ସରପଞ୍ଚଙ୍କଠାରୁ ଟଙ୍କା ଆଦାୟ ହୋଇନଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଅଭିଯୋଗକାରୀ କହିଛନ୍ତି, "ମନରେଗା ଦୁର୍ନୀତି ବିଞ୍ଝାରପୁରରେ ଚର୍ଚ୍ଚାକୁ ଆସିଲା । ମନରେଗା ଯୋଜନାରେ ଟଙ୍କା ଆତ୍ମସାତ୍‌ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ ପରେ ଏଠାରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଡିଜିଟାଲ୍‌ ମାଧ୍ୟମରେ ବିଲ୍‌ କରି ଦୁର୍ନୀତି କରାଯାଉଥିଲା । ଏବେ କେବଳ ପେପରରେ ଦୁର୍ନୀତି ହୋଇଛି । RTI ବଳରେ କେଉଁ କେଉଁ ପଞ୍ଚାୟତ କେଉଁ କେଉଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଯାଇଛି ତାହା ଜାଣିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଆମକୁ ସମ୍ପୂର୍ଣ୍ଣ RTI ରିପୋର୍ଟ ପ୍ରଦାନ କରାଯାନଥିଲା । ଦୁର୍ନୀତିଗ୍ରସ୍ତଙ୍କ ଘଣ୍ଟ ଘଡ଼ାଉଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କୁ ପଚାରିବାରୁ କହିଛନ୍ତି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।"

ଆଦାୟ ହେଉନି ଟଙ୍କା !

ବିଞ୍ଝାରପୁର ବ୍ଲକର ଆଉଁରି, ସିଂହପୁର, ଜରି, ବାଙ୍ଗରା, ଫତେପୁର ଏବଂ ଓଳେଇଚନ୍ଦନପୁର ପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନିତୀର ତଦନ୍ତ କରିଥିଲା କେନ୍ଦ୍ରୀୟ ଟିମ । ତଦନ୍ତ କରିବା ପରେ ବାଙ୍ଗରା, ଆଉଁରି ଓ ଓଳେଇଚନ୍ଦନପୁର ପଞ୍ଚାୟତର ତତ୍କାଳୀନ ସରପଞ୍ଚ, ପିଇଓ, GRSଙ୍କଠାରୁ ୧୫ ଲକ୍ଷ ୭୨ ହଜାର ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାଏଁ ଟଙ୍କା ଆଦାୟ ହୋଇ ପାରିନାହିଁ ।

ବିଞ୍ଝାରପୁର ବ୍ଲକ ପ୍ରଶାସନ ଏହି ଦୁର୍ନୀତିକୁ ଚାପି ଦେଇଥିବା ଅଭିଯୋଗ ହୋଇଛି । ତା ସହିତ RTI ବଳରେ ସୂଚନା ମଗାଯାଇଥିଲେ ସୁଦ୍ଧା ବ୍ଲକ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇନାହିଁ । ୬୭ ପୃଷ୍ଠା ବଦଳରେ ୬୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରାଯାଇଛି । ଦିଆଯାଇନଥିବା ୫ ପୃଷ୍ଠାରେ ପ୍ରଶାସନର କଳାକାରନାମା ଲୁଚି ରହିଥିବା ଅଭିଯୋଗ ହୋଇଛି । ସେପଟେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, "ଦୁର୍ନୀତିଗସ୍ତ କର୍ମଚାରୀଙ୍କଠାରୁ ଟଙ୍କା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି । କିଛି କର୍ମଚାରୀଙ୍କଠାରୁ ଟଙ୍କା ମଧ୍ୟ ଆଦାୟ ହୋଇଛି । କିଛି ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।" ତେବେ RTI ବଳରେ ସୂଚନା ମଗାଯାଇଥିବା ବେଳେ ୬୭ ପୃଷ୍ଠା ବଦଳରେ ୬୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ପ୍ରଶ୍ନରେ ଜିଲ୍ଲାପାଳ କହିଛନ୍ତି, "ସୂଚନା ଅଧିକାର ଆଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । "

ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ଲୁଟ କରି ଅଏସ କରୁଛନ୍ତି ଦୁର୍ନୀତିଗସ୍ତ ଅଧିକାରୀ ଓ ସରପଞ୍ଚ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବ୍କକ ପ୍ରଶାସନ ଘଣ୍ଟ ଘଡ଼ାଉଥିବା ଅଭିଯୋଗ ହୋଇଛି । ତାହାକୁ ନେଇ ସାଧାରଣରେ ଆଲୋଡ଼ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.