ETV Bharat / state

ସରିଲା ପାରାଦ୍ୱୀପ ବିଶ୍ଵକର୍ମା ପୂଜା, ଶେଷ ଦିନରେ ଲକ୍ଷାଧିକ ଜନ ସମାଗମ

author img

By ETV Bharat Odisha Team

Published : Sep 24, 2023, 7:03 AM IST

ପାରାଦ୍ୱୀପଠାରେ ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆଜି ଶେଷ ହୋଇଛି । ଶେଷ ଦିନରେ ଲକ୍ଷାଧିକ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

vishwakarma puja celebrated
ବିଶ୍ଵକର୍ମା ପୂଜା ଉଦଯାପନୀ ଉତ୍ସବ

ବିଶ୍ଵକର୍ମା ପୂଜା ଉଦଯାପନୀ ଉତ୍ସବ

ଜଗତସିଂହପୁର: ପାରାଦ୍ୱୀପଠାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆଜି ଶେଷ ହୋଇଛି । ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଚଳିତ ବର୍ଷ ପାରାଦ୍ୱୀପ ସହରରେ ମୋଟ ୧୬ଟି ପୂଜା ମଣ୍ଡପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଥିଲା । ଗଗନଚୁମ୍ବି ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ବନ୍ଦର ସହର ଝଲସି ଉଠିଥିଲା । କୋରୋନା କଟକଣା ହେତୁ ବିଶ୍ୱକର୍ମା ପୂଜା ଗତ 3 ବର୍ଷ ଧରି ନିରାଡ଼ମ୍ବର ଭାବେ ପାଳନ ହେଉଥିଲା । ହେଲେ ଚଳିତ ବର୍ଷ ଧୁମଧାମରେ ପୂଜାର ଆୟୋଜନ କରାଯାଇଥିବାବେଳେ ଏଥର ପୂଜା ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ଆଇଟିଆଇ ପରିସରରେ ପୂଜା ପାଉଛନ୍ତି ରୋବୋଟିକ୍ ବିଶ୍ବକର୍ମା

ଆଜିର ଏହି ଉଦଯାପନୀ ଉତ୍ସବରେ ପାରାଦ୍ୱୀପ ପ୍ରଶାସନ ଓ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜାରେ କରାଯାଇଥିବା ସାଜସଜ୍ଜା ପାଇଁ ପୂଜା ମଣ୍ଡପଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ବିଶ୍ୱକର୍ମା ପୂଜାରେ ସାଜସଜ୍ଜା ପାଇଁ OMFPA ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଡ଼ମ୍ଫର ଆସୋସିଏସନ ଓ ତୃତୀୟ ସ୍ଥାନରେ ପାରାଦ୍ୱୀପ ଡକ୍ ଆସୋସିଏସନ ପୁରସ୍କୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ଉପସ୍ଥିତ ରହି ପୂଜା ମଣ୍ଡପର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହା ବି ପଢନ୍ତୁ...Vishwakarma Puja: ଚର୍ଚ୍ଚାରେ ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼

ଦୀର୍ଘ ୭ ଦିନ ଧରି ଚାଲିଥିବା ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ଓ ଚଟପଟି ଖାଦ୍ୟର ଆସର ଜମିଥିଲା । ସଞ୍ଜ ହେବାମାତ୍ରେ ଚଳ ଚଞ୍ଚଳ ହୋଇ ଉଠୁଥିଲା ସହର । କେତେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ପ୍ରସାଦ ବିତରଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲା ପ୍ରଶାସନ । ସେହିପରି ପୂଜାର ସୁପରିଚାଳନା ପାଇଁ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପୂଜାର ସୁପରିଚାଳନା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଓ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରାଯାଇଛି । ଶେଷ ଦିନରେ ଲକ୍ଷାଧିକ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.