ETV Bharat / state

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାଜରାସ୍ତାରେ ଗ୍ରାମବାସୀ

author img

By

Published : Jun 15, 2023, 7:53 AM IST

ଅଘୋଷିତ ବିଦ୍ୟୁତକାଟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଇଟପଡାର ଗ୍ରାମବାସୀ । ଅଧିକ ପଢନ୍ତୁ

villagers protest
villagers protest

villagers protest

ଜଗତସିଂହପୁର: ଜୋର ଧରିଲା ବିଦ୍ୟୁତ୍‌ ବିଭ୍ରାଟ ବିରୋଧରେ ଆନ୍ଦୋଳନ । ଅଘୋଷିତ ବିଦ୍ୟୁତକାଟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଇଟପଡାର ଗ୍ରାମବାସୀ । ତେବେ ଦିନ ହେଉ କି ରାତି ଘଣ୍ଟାଘଣ୍ଟା ଧରି ବିଜୁଳି କାଟ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ଗତକାଲି (ବୁଧବାର) ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା । ଏନେଇ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଇଟାପଡା ନିକଟରେ ସାଧାରଣ ଲୋକେ 55 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ 4 ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ କରିଥିଲେ ।

ଏଥି ସହିତ ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେଇଥିଲେ । ଏନେଇ ଇଟାପଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଗାଁକୁ 24 ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ଯୋଗାଣ ହୋଇପାରିନାହିଁ । କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ ତାର ଛିଡିଯାଇଥିବା ବେଳେ ଏହାକୁ ମରାମତି କରିବା ପାଇଁ ଟାଟା ପାୱାର କର୍ତ୍ତୃପକ୍ଷ 24 ଘଣ୍ଟା ସମୟ ନେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ।

ଅନ୍ୟପଟେ ରାସ୍ତା ରୋକ ଫଳରେ ଜଗତସିଂହପୁର ଓ ନାଉଗାଁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା । ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ବିଦ୍ୟୁତ୍‌ କାଟର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ଦାବିରେ ଅଡ଼ି ବସିଥିଲେ । ପରେ ଟାଟା ପାୱାର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଗତକାଲି ସନ୍ଧ୍ୟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସେହିପରି ଜଗତସିଂହପୁର ସହରରେ 4ରୁ 5 ଘଣ୍ଟା ବିଦ୍ୟୁତ କାଟକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଅଘୋଷିତ ବିଦ୍ୟୁତ କାଟକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି । ଜଗତସିଂହପୁରର ବରିଷ୍ଠ ଆଇନଜୀବୀ ବାସୁଦେବ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଗର୍ଜିଥିଲେ । ପ୍ରତ୍ୟେକ ଦିନ ଜଗତସିଂହପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।


ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.