ETV Bharat / state

ମଧ୍ୟାହ୍ନ ଭୋଜନ ଚାଉଳ ହେରଫର ଘଟଣା, 2 ଶିକ୍ଷକ ନିଲମ୍ବିତ

author img

By

Published : May 3, 2023, 10:39 AM IST

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବିବି ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଘଟଣାରେ ଦୁଇଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ବିଭାଗ । ଅଧିକ ପଢନ୍ଚୁ

mid day meal rice corruption
ମଧ୍ଯାହ୍ନ ଭୋଜନ ଚାଉଳ ହେରଫର ଘଟଣା

ମଧ୍ଯାହ୍ନ ଭୋଜନ ଚାଉଳ ହେରଫର ଘଟଣା

ଜଗତସିଂହପୁର: ଚାଉଳ ଚୋରି ପଡିଲା ଭାରି । ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ଚାକିରି ହରାଇଲେ ଶିକ୍ଷକ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହଡପ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଏଥିରେ ସମ୍ପୃକ୍ତ ଦୁଇଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି ବିଭାଗ । ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ 27 ତାରିଖ ଦିନ କୁଜଙ୍ଗ ସ୍ଥିତ ବିବି ହାଇସ୍କୁଲର ଗୋଦାମ ଘରେ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳକୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଓ ତାଙ୍କ ସହ ଅନ୍ୟଜଣେ ଶିକ୍ଷକ ଏକ ଡାଲା ଅଟୋରେ ଲୋଡ଼ କରୁଥିଲେ । ଏହି ସମୟରେ କେତେକ ଗ୍ରାମବାସୀ ଓ ଅନ୍ୟ ଶିକ୍ଷକ ଏହା ଜାଣିବାକୁ ପାଇଥିଲେ । ଏହି ଘଟଣା ଜାଣିବା ପରେ ସେମାନେ ସ୍କୁଲକୁ ଆସି ଶିକ୍ଷକଙ୍କୁ ଧରିବା ସହ ଅଟୋକୁ ଅଟକ ରଖିଥିଲେ । ଚାଉଳ ଚୋରି ଘଟଣାକୁ ପ୍ରଥମେ ପ୍ରଧାନ ଶିକ୍ଷକ ଅସ୍ବୀକାର କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଚାଉଳ ଚୋରି କରୁଥିବା ମାନି ଯାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ସହକାରୀ ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ସେନାପତି କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଚୋରି ହେଉଥିବା ଚାଉଳ ଓ ଡାଲାଅଟୋକୁ ଜବତ କରି ଥାନାକୁ ଆଣିଥିଲା । ଏଥିରେ ସମ୍ପୃକ୍ତ ଶିକ୍ଷକଙ୍କୁ ମଧ୍ୟ ପୋଲିସ ଥାନାକୁ ଡାକି ପଚରାଉଚରା କରିଥିଲା । ପରେ ଦୁଇ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଘଟଣା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଥିଲା । ରିପୋର୍ଟ ଆସିବା ପରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫର ଘଟଣାରେ ସମ୍ପୃକ୍ତ ଦୁଇ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ଏହା ବି ପଢନ୍ତୁ...ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲା: ଦୁଇ ଶିକ୍ଷକଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ କରୁଛି ପୋଲିସ

ଶିକ୍ଷକଙ୍କ ଉପରେ କରାଯାଇଥିବା କାର୍ଯ୍ୟନୁଷ୍ଠାନକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ । ଏହିପରି ଶିକ୍ଷକମାନଙ୍କ ପାଇଁ ବିବି ହାଇସ୍କୁଲ ଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନ ନିଜର ଗାରିମା ହରାଉଛି । ସେଥିପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଅଞ୍ଚଳବାସୀ । ଏହି ଘଟଣା ପରେ ନିଲମ୍ବିତ ହୋଇଥିବା ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.