ETV Bharat / state

ଅଜଣା ରୋଗରେ ପୀଡିତ ପିଣ୍ଟୁ, ବୟସ ଅନୁସାରେ ବଦଳୁନି ଶାରୀରିକ ଗଠନ

author img

By

Published : Mar 30, 2023, 4:54 PM IST

ଅଜଣା ରୋଗରେ ପୀଡିତ 17 ବର୍ଷିୟ ନାବାଳକ ପିଣ୍ଟୁ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଲୋଡା ସରକାରୀ ସହାୟତା। ଅଧିକ ପଢନ୍ତୁ

minor boy affected with unknown disease
minor boy affected with unknown disease

ବୟସ ଅନୁସାରେ ବଦଳୁନି ଶାରୀରିକ ଗଠନ

ଜଗତସିଂହପୁର: ଘରେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦ ଖେଳିଯାଏ। ପୁଅ ବଡ ହେବ ଆମର ସାହାରା ପାଲଟିବ। କିନ୍ତୁ ଏସବୁ ଆଶା ଓ ସ୍ବପ୍ନ ପୂରଣ ହେବା ନେଇ ଏବେ ଆଶଙ୍କାରେ ପରିବାର । କୋଳରେ ପୁଅ ଜନ୍ମ ହେଲା ନିଶ୍ଚୟ କିନ୍ତୁ ସେ ଅକ୍ଷମ। ଯେଉଁ ବୟସରେ ଶ୍ରେଣୀ ଗୃହରେ ପାଠ ପଢିବା କଥା ସେହି ବୟସରେ ମାଆଙ୍କ କୋଳରେ ଶୋଇଛି। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ମଧୁସୂଦନପୁର ଶାସନ ପଞ୍ଚାୟତ କେନ୍ଦାଳ ଗ୍ରାମର ବାଦଲ ଭୋଇଙ୍କ ପୁଅ ପିଣ୍ଟୁଙ୍କ କଥା। 17 ବର୍ଷ ଧରି ପୁଅ ପାଇଁ ଜୀବନ ଯନ୍ତ୍ରଣାରେ ଛଟପଟ ବାପା ଓ ମାଆ। କାହିଁକିନା ଅଜଣା ରୋଗରେ ପୀଡିତ ପିଣ୍ଟୁ।

ପିଣ୍ଟୁଙ୍କ ବୟସ ବଢୁଛି ସତ କିନ୍ତୁ ଶାରୀରିକ ଗଠନରେ କୌଣସି ପରିବର୍ତ୍ତନ ଆସୁନାହିଁ। ଆଜି ସେ ଛୋଟ ପିଲା ପରି ଦିଶୁଛନ୍ତି । ନା କଥା କହି ପାରୁଛି ନା ହାତ ଗୋଡ ଚାଲୁଛି। ଛୋଟ ଦିନରୁ ଅଜଣା ରୋଗରେ ପୀଡିତ ଥିବାରୁ ପିଣ୍ଟୁଙ୍କୁ ନେଇ ଚିନ୍ତାରେ ପରିବାର । ପିଣ୍ଟୁ ଙ୍କ ବାପା ବାଦଲ ଭୋଇ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ଏକ ନୁଆଁଣିଆ ଚାଳଘରେ ବାପା ମାଆଙ୍କ ସହ ପାଞ୍ଚପ୍ରାଣୀ କୁଟୁମ୍ବ ତାଙ୍କ ଉପରେ ନିର୍ଭରଶୀଳ । 2007 ମସିହାରେ ବାଦଲଙ୍କ ସ୍ତ୍ରୀ ଝୁମି କୋଳରେ ଜନ୍ମ ନେଇଥିଲେ ପିଣ୍ଟୁ । ଏକ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକଠାକ ଚାଲିଥିଲା । ପରେ ମାଡି ଆସିଥିଲା ଅଜଣା ରୋଗ ।

ପିଲାଟିର ହଠାତ ଗୋଡ଼ହାତ ଅଚଳ ହୋଇ ଯାଇଥିଲା । ପୁଅର ଏପରି ଅବସ୍ଥା ଦେଖି ବାପା ବାଦଲ ଓ ମାଆ ଝୁମି ପ୍ରଥମେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ବର୍ଷ ଔଷଧ ଖାଇଲା ପରେ ବି ରୋଗ ଭଲ ହୋଇ ନଥିଲା । ପରେ ପରିବାର ଲୋକେ ପିଣ୍ଟୁଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ବିଭିନ୍ନ ପରୀକ୍ଷା କରାଇ କିଛି ରୋଗ ନଥିବା କହିବା ସହିତ ଅଧିକ ଚିକିତ୍ସା ପାଇଁ କଟକ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ ବାଦଲ ଆଉ କଟକ ଯିବାକୁ ସାହସ କରି ପାରିଲେ ନାହିଁ । ଦିନେ ମୂଲ ନଲାଗିଲେ ଏପଟେ ପରିବାର ଭୋକରେ ରହୁଛନ୍ତି, ଅନ୍ୟପଟେ ଅଜଣା ରୋଗରେ ଆକ୍ରାନ୍ତ ପୁଅ ।

ପାଖରେ ସମ୍ବଳ ଅଭାବ ହେତୁ ପୁଅ ପିଣ୍ଟୁର ଅଧିକ ଚିକିତ୍ସା କରାଇ ପାରିଲେନି ବାଦଲ । ଏହା ଭିତରେ ବିତି ଯାଇଛି 17 ବର୍ଷ । 17 ବର୍ଷ ପରେ ପିଣ୍ଟୁର ଶାରୀରିକ ଗଠନ ବଢୁ ନଥିବା ବେଳେ ଗୋଡ଼ ହାତଗୁଡିକ ସବୁ ଅଚଳ ହୋଇ ଗଲାଣି । ପିଣ୍ଟୁ ଏହା ମଧ୍ୟରେ କଥା କହିବା ଶକ୍ତି ମଧ୍ୟ ହରାଇ ବସିଲାଣି । ଦିନକୁ ଦିନ ଶରୀର ବିକଳାଙ୍ଗ ହୋଇ ଯାଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ସମ୍ପର୍କରେ ଜଣା ପଡିବା ପରେ ପ୍ରଥମେ ଆମ ପ୍ରତିନିଧି ପିଣ୍ଟୁଙ୍କ ବାପା ବାଦଲ ଭୋଇଙ୍କ ଘରେ ପହଞ୍ଚି ସ୍ଥିତି ଦେଖିଲା ପରେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କ୍ଷେତ୍ରବାସୀ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଏ ସମ୍ପର୍କରେ ଜାଣିବାପରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଖୁବଶୀଘ୍ର ପିଣ୍ଟୁଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

ତେବେ ଏଠି ପ୍ରଶ୍ନ ଉଠେ ବିଜୁ ସ୍ୱାସ୍ଥ୍ୟ ସେବା କାହାପାଇଁ । କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ମାଳମାଳ ଯୋଜନା କରିଛନ୍ତି । କିନ୍ତୁ ଏହା ଲୋକଙ୍କ ପାଖରେ କେତେଦୂର ପହଞ୍ଚିଛି ତାହାକୁ ନେଇ ଉଠିଛି ପ୍ରଶ୍ନ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.