ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସାରଳାଙ୍କ ମନ୍ଦିରରେ ଗୁରୁବାର ପବିତ୍ର ରାମ ନବମୀ ଓ ବାସନ୍ତୀ ପୂଜା ନିରାଡମ୍ବର ସହକାରେ ପାଳିତ ହୋଇଛି । ତେବେ ଲକଡାଉନ କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିଲା । ଫଳରେ ଅନେକ ଭକ୍ତ ନିରାଶ ହୋଇଥିଲେ ।
ନବ ଦିନାତ୍ମକ ବାସନ୍ତୀ ପୂଜାର ଶେଷ ଦିନରେ ମହାସ୍ନାନ ଓ ମଧୁସ୍ନାନ ପରେ ଷୋଡଶ ଉପଚାର ପୂଜା ହୋଇଥିଲା । ଏହାପରେ ଚଣ୍ଡୀପାଠ କରାଯାଇ ମହିଷା ମର୍ଦ୍ଦିନୀ ବେଶ କରାଯାଇଥିଲା । ପରେ ଯଜ୍ଞ ମଣ୍ଡପରେ ଆହୁତି ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ମନ୍ଦିରର ପାଳିଆ ସେବାୟତଙ୍କୁ ଛାଡିଦେଲେ ମନ୍ଦିର ମଧ୍ୟକୁ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ଅନ୍ୟପକ୍ଷରେ ଚୈତ୍ର ଶେଷ ମଙ୍ଗଳବାର ହେବାକୁ ଥିବା ପ୍ରସିଦ୍ଧ ଘଣ୍ଟ ପଟୁଆ ଓ ଝାମୁ ଯାତ୍ରାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ଚୈତ୍ର ମାସକୁ ଦୃଷ୍ଟିରେ ରଖି ସାରଳା ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି । ଏହାସହିତ ପୋଲିସ ପକ୍ଷରୁ କାହାରିକୁ ମନ୍ଦିର ପର୍ଯ୍ୟନ୍ତ ଆସିବାକୁ ଦିଆଯାଉନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ