ETV Bharat / state

ଅଘୋଷିତ ବିଦ୍ୟୁତ କାଟ ଏବଂ ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

author img

By

Published : Jun 27, 2023, 9:53 PM IST

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗୋପାଳସାଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଘୋଷିତ ବିଦ୍ୟୁତ କାଟ ଏବଂ ବର୍ଦ୍ଧିତ ବିଦ୍ୟୁତ ବିଲକୁ ନେଇ ବର୍ଷିଛି କଂଗ୍ରେସ। ଅଧିକ ପଢନ୍ତୁ

ଟାଟା ପାୱାର ଅଫିସ ଆଗରେ ଗର୍ଜିଲା କଂଗ୍ରେସ
ଟାଟା ପାୱାର ଅଫିସ ଆଗରେ ଗର୍ଜିଲା କଂଗ୍ରେସ

ଟାଟା ପାୱାର ଅଫିସ ଆଗରେ ଗର୍ଜିଲା କଂଗ୍ରେସ

ଜଗତସିଂହପୁର: ବିଦ୍ୟୁତ ବିଭ୍ରାଟକୁ ନେଇ ଟାଟା ପାୱାର ଅଫିସ ଆଗରେ ଗର୍ଜିଛି ଜିଲ୍ଲା କଂଗ୍ରେସ। କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାବଣା ମଧ୍ୟରେ ଏହିଭଳି କାର୍ଯ୍ୟ କରାଯାଉଛି। ବିଦ୍ୟୁତ ବିଭାଗକୁ ଟାଟା ପାୱାର ହାତକୁ ଟେକିଦେଇ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଫଳରେ ରାଜ୍ୟବାସୀଙ୍କୁ କମ୍ପାନୀ ଶୋଷଣ କରୁଛି। ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲକୁ ନେଇ ଟାଟା ପାୱାର ଏକଚାଟିଆ ଶାସନ କରୁଥିବାବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଥିବା କହି ବର୍ଷିଛି କଂଗ୍ରେସ। ଏହାକୁ ଜୋରଦାର ବିରୋଧ କରିବା ସହ ଆଗାମୀ ଦିନରେ ଯଦି ଲୋକଙ୍କୁ ଶୋଷଣ କରିବାରୁ କମ୍ପାନୀ ନିବୃତ୍ତ ନରହେ ତେବେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ଗୋପାଳସାଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ କଲେଜ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ପରେ ଗୋପାଳ ସାଗର ନିକଟସ୍ଥ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ପରେ କଂଗ୍ରେସ କର୍ମୀମାନେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାର ଓ ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗୁଗୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପିଲାମାନେ ଲଣ୍ଠନ ଜାଳି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଏହା ରାଜ୍ୟ ସରକାର ଦେଖି ମଧ୍ୟ ନ ଦେଖିଲା ଭଳି ଅଭିନୟ କରୁଛନ୍ତି ବୋଲି କହି ବର୍ଷିଛି କଂଗ୍ରେସ । ଟାଟା ପାୱାରର ଏହି ମନମୁଖୀ କାର୍ଯ୍ୟକୁ ରାଜ୍ୟବ୍ୟାପୀ ବିରୋଧ କରାଯାଉଛି। ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ଭିତିରି ବୁଝାବଣା ମଧ୍ୟରେ ଏହି କାର୍ଯ୍ୟ ଚାଲୁଥିବା କଂଗ୍ରେସ ଅଭିଯୋଗ କରିଛି।

ଏହି ବିକ୍ଷୋଭ ସମୟରେ ବାଲିକୁଦାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର କହିଛନ୍ତି, 'ଟାଟା ପାୱାରକୁ ବିଜୁଳି ବିଭାଗ ଦେଇ ରାଜ୍ୟ ସରକାର ଏବେ ଶୋଇ ରହିଛି। 23 ବର୍ଷର ଶାସନ କାଳରେ ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମିର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ବ୍ୟୟ କରିଥିବା କହୁଛନ୍ତି, ତେବେ ଏହା କଣ ଭିତ୍ତିଭୂମିର ବିକାଶ?" ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.