ETV Bharat / state

MKCGରେ ଚିକିତ୍ସା ଅବହେଳା: ଡାକ୍ତର ଦେଖୁଥିଲେ କ୍ରିକେଟ ମ୍ୟାଚ୍ ! ଚାଲିଗଲା ରୋଗୀଙ୍କ ଜୀବନ

author img

By ETV Bharat Odisha Team

Published : Nov 17, 2023, 10:44 PM IST

MKCGରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଚିକିତ୍ସା ନକରି ଡାକ୍ତର କ୍ରିକେଟ ମ୍ୟାଚ୍ ଦେଖୁଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଅଧିକ ପଢନ୍ତୁ

youth dies due to medical negligence
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ

ବ୍ରହ୍ମପୁର: MKCGରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଚିକିତ୍ସା ନକରି ଡାକ୍ତର କ୍ରିକେଟ ଦେଖୁଥିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରାପଡାର ଗ୍ରାମର ହିମାଂଶୁ ଶେଖର ପ୍ରଧାନଙ୍କ ଗୋଡରେ ଦୁଇ ମାସ ପୂର୍ବରୁ ଆଘାତ ଲାଗିଥିଲା । ଗତ 15 ତାରିଖ ଦିନ ପୁଣି ଥରେ ସମାନ ସ୍ଥାନରେ ଏକ କଣ୍ଟା ବାଜିବାରୁ ହିମାଂଶୁଙ୍କ ଗୋଡରୁ ରକ୍ତସ୍ରାବ ହୋଇଥିଲା ।

ପରିବାର ଲୋକେ ହିମାଂଶୁଙ୍କୁ MKCG ମେଡିକାଲର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ପରିବାରଲୋକେ ହିମାଂଶୁଙ୍କ ପୂର୍ବ ଦୁର୍ଘଟଣା ବିଷୟରେ କହିଥିଲେ । ହେଲେ ସେଠାରେ ଉପସ୍ଥିତ ଡାକ୍ତରମାନେ ରୋଗୀ କିମ୍ୱା ତାଙ୍କ ପରିବାରବର୍ଗଙ୍କ ଠାରୁ କଥା ଭଲ ଭାବେ ନଶୁଣି ନିଜର ମୋବାଇଲରେ କ୍ରିକେଟ ଖେଳ ଦେଖିବାରେ ବ୍ୟସ୍ତ ରହିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହିମାଂଶୁଙ୍କୁ ସଠିକ ଭାବେ ନଦେଖି ୨ ମାସ ଔଷଧ ଖାଇଦିଅ ଏବଂ ନିୟମିତ ଡ୍ରେସିଂ କରିଲେ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ ।

ଏହାପରେ ପରିବାର ଲୋକେ ଡାକ୍ତର ଲେଖିଥିବା ଔଷଧ ଧରି ଘରକୁ ଚାଲିଯାଇଥିଲେ । ହେଲେ ଗୁରୁବାର ସକାଳୁ ହିମାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରିବାରଲୋକେ ତାଙ୍କୁ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ତାଙ୍କୁ ବ୍ରହ୍ମପୁର MKCGକୁ ଅଣାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ "ଡାକ୍ତରଙ୍କ ଅବହେଳାରୁ ଭାଇଙ୍କ ମୃତ୍ୟୁ ହେଲା" ବୋଲି ହିମାଂଶୁଙ୍କ ସାନ ଭାଇ ସୁଭ୍ରାଂଶୁ ପ୍ରଧାନ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ମରିଗଲାଣି ମାନବିକତା: ଚିକିତ୍ସା ନାଁରେ ଆଣି ମେଡିକାଲ ଛାଡି ଦେଲେ, ଆଶ୍ରୟସ୍ଥଳ ପାଲଟିଛି MKCG

ଏନେଇ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହିତ ଏପରି ଅନ୍ୟ କାହା ସହିତ ଏପରି ଘଟଣା ନଘଟୁ ସେନେଇ ଦାବି କରିଛନ୍ତି ମୃତକଙ୍କ ଭାଇ । ସେପଟେ ଏହି ଅଭିଯୋଗ ପରେ ମେଡିକାଲ ଅଧୀକ୍ଷକ କହିଛନ୍ତି, "ଘଟଣାର ତଦନ୍ତ କରାଯାଇ କୌଣସି ଅବହେଳା ରହିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ କିପରି ନିଜର ଭାଇଙ୍କର ମୃତ୍ୟୁ ଘଟିଲା ସେନେଇ ମୃତକଙ୍କ ଭାଇ ଜାରି କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.