ETV Bharat / state

ପୂରଣ ହେବ ଦୀର୍ଘ ବର୍ଷର ସ୍ବପ୍ନ, BeMC ସାମିଲ ହେବ ସହରତଳି ପଞ୍ଚାୟତ

author img

By

Published : Jan 8, 2023, 9:06 AM IST

ଖୁବଶୀଘ୍ର ପୂରଣ ହେବ ସହର ତଳି ପଞ୍ଚାୟତବାସୀଙ୍କ ସ୍ବପ୍ନ । ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ସହରତଳି ପଞ୍ଚାୟତ । ପ୍ରଥମ ପର୍ଯ୍ୟାୟରେ କେତେକ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିବାକୁ ବିଜ୍ଞପ୍ତି ଜାରି ହୋଇଛି ।

berhampur tali panchayat
ବ୍ରହ୍ମପୁର ସହର ତଳି ପଞ୍ଚାୟତ

ବ୍ରହ୍ମପୁର ମହାନଗରରେ ସାମିଲ ହେବ ସହରତଳି ପଞ୍ଚାୟତ

ବ୍ରହ୍ମପୁର: ସହରର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ପଞ୍ଚାୟତଗୁଡିକୁ ମହାନଗର ନିଗମରେ ସାମିଲ କରିବାକୁ ଗତ କିଛି ବର୍ଷ ଧରି ଲଗାତର ଭାବରେ ଜାରି ରହିଛି ଉଦ୍ୟମ । ସହରତଳି ବିଭିନ୍ନ ଅଞ୍ଚଳର ଜନସାଧାରଣ ଏହି ଦାବିକୁ ନେଇ ଉଭୟ ପ୍ରଶାସନିକ ଏବଂ ରାଜନୈତିକସ୍ତର ଠାରୁ ଆରମ୍ଭ କରି ନ୍ୟାୟାଳୟ ପର୍ଯ୍ୟନ୍ତ ଏହାକୁ ବିଭିନ୍ନ ଫୋରମରେ ଉପସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଦାବିକୁ ଗୁରୁତ୍ୱର ସହ ବିଚାର କରି ବିଭିନ୍ନ ପଞ୍ଚାୟତ ଠାରୁ ସଂଙ୍କଳ୍ପ ପତ୍ର ଗ୍ରହଣ କରିବାର ଦୀର୍ଘ ବର୍ଷ ପରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କେତେକ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିବାକୁ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ସଂପର୍କରେ ବିଜ୍ଞପ୍ତି ଜାରି ହୋଇଛି । ସେପଟେ ସହରତଳିରେ ରହିଥିବା ୧୮ ଟି ପଞ୍ଚାୟତକୁ ନିଗମରେ ସାମିଲ କରିବାକୁ ଦାବି କରିଛି କ୍ରିୟାନୁଷ୍ଠାନ କମିଟି ।

ରାଜ୍ୟର ସର୍ବପୁରାତନ ବ୍ରହ୍ମପୁର ସହର ସହିତ ସହରତଳିରେ ରହିଥିବା ସମସ୍ତ ପଞ୍ଚାୟତକୁ ସାମିଲ କରିବାକୁ ଦୀର୍ଘ ବର୍ଷ ଧରି ଦାବି କରାଯାଇଆସୁଅଛି । ଏପରିକି ବ୍ରହ୍ମପୁର ସହରକୁ ୨୦୦୮ ମସିହାରେ ମହାନଗର ନିଗମ ଘୋଷଣା କରାଯିବା ପରେ ଏହି ଦାବି ଆହୁରୀ ଯୋର ଧରିଥିଲା । ମୁଖ୍ୟତଃ ସହର ତଳିରେ ରହିଥିବା ୧୮ ଗୋଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବାକୁ ଦାବି କରି ଶେଷରେ ସହର ତଳି ମିଳିତ କ୍ରିୟାନୁଷ୍ଠାନ ଗଠନ କରାଯାଇ ଏହାକୁ ବିଭିନ୍ନ ଫୋରମରେ ଦାବି କରାଯିବା ପରେ ସରକାର ଏହାକୁ ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ କେଉଁ କେଉଁ ପଞ୍ଚାୟତ ସାମିଲ ହେବାକୁ ଆଗ୍ରହ ରହିଛନ୍ତି ସେମାନଙ୍କ ପଞ୍ଚାୟତର ସଂଙ୍କଳ୍ପ ପତ୍ର ପ୍ରଦାନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହାରି ମଧ୍ୟରେ ଅନେକ ଥର ପଞ୍ଚାୟତ ଏବଂ ପୌର ନିଗମ ନିର୍ବାଚନ ହୋଇଯାଇଥିଲେ ମଧ୍ୟ ମହାନଗର ନିଗମରେ ସାମିଲ ହୋଇପାରିନାହିଁ ସହରତଳି ପଞ୍ଚାୟତ । ଶେଷରେ ଏହାକୁ ନେଇ ଉଚ୍ଚ ନ୍ୟାୟଳୟର ଆଦେଶ ପରେ ସରକାର ପୂର୍ବରୁ ସଂଙ୍କଳ୍ପ ପତ୍ର ପ୍ରଦାନ କରିଥିବା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡା ପଞ୍ଚାୟତ, ରଙ୍ଗେଇଲୁଣ୍ଡା ବ୍ଲକର ବଡକୁଶସ୍ଥଳୀ ପଞ୍ଚାୟତର ସାନକୁଶସ୍ଥଳୀ ଗ୍ରାମ ଏବଂ ଗଉଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲୀ ଏବଂ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଆର୍ମି କଲେଜକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ପାଇଁ ସାଧାରଣ ଜନତାଙ୍କର ଆପତ୍ତି ଅଭିଯୋଗ ସଂପର୍କରେ ଅବଗତ କରାଇବାକୁ ସରକାର ଶେଷରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେପଟେ ସହରତଳି କ୍ରିୟାନୁଷ୍ଠାନ କମିଟିର କହିବା କଥା, " ସରକାରଙ୍କ ବିଜ୍ଞପ୍ତି ପରେ ଏହି ଗ୍ରାମ ଗୁଡିକ ମହାନଗର ନିଗମରେ ସାମିଲ ହେବ ବୋଲି ଆଶା କରାଯାଉଛି । ଏଥିସହ ପାର୍ଶ୍ୱବର୍ତ୍ତୀ ସମସ୍ତ ୧୮ଟି ପଞ୍ଚାୟତକୁ ଏଥିରେ ସାମିଲ କରାଯାଉ । "

ସେପଟେ ସହରତଳି ଅଞ୍ଚଳ ଗୁଡିକ ବ୍ରହ୍ମପୁର ମହାନଗର ନିଗମର ପାର୍ଶ୍ୱବର୍ତ୍ତୀରେ ରହିଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ, ବିଦ୍ୟୁତ ପରିମଳ ଠାରୁ ଆରମ୍ଭ କରି ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହୁଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅନେକ ଦାବି ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ଏଣୁ ତୁରନ୍ତ ମହାନଗର ନିଗମରେ ସାମିଲ ହେଲେ ଏହି ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଆଶା ରଖିଛନ୍ତି ସହରତଳି ଅଞ୍ଚଳ ବାସିନ୍ଦା ।

ଗୋଟିଏ ପଟେ ରାଜ୍ୟ ସରକାର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମରେ କେତେକ ପଞ୍ଚାୟତ ଏବଂ ଗ୍ରାମକୁ ସାମିଲ କରାଯିବାକୁ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଥିବା ବେଳେ ଏନେଇ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, " ସରକାରଙ୍କ ପକ୍ଷରୁ ସାମିଲ କରାଯିବାକୁ ନିର୍ଦ୍ଦେଶ ଆସିଲେ ସେମାନଙ୍କ ପାଇଁ କଣ ନିୟମ ଆସିବ ତାହାକୁ ଅନୁଧ୍ଯାନ କରାଯିବ । ମହାନଗର ନିଗମ ଅଞ୍ଚଳରେ ବିକାଶ ପାଇଁ କରାଯାଉଥିବା ବିଭିନ୍ନ ଯୋଜନାକୁ ନୂତନ ଅଞ୍ଚଳରେ କିପରି ପରିବ୍ୟାପ୍ତ କରାଯିବ ଏବଂ ପାଇଲଟ୍ ପ୍ରଜେକ୍ଟ ଭାବରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଅଞ୍ଚଳରେ କିପରି ପହଞ୍ଚିବ ସେନେଇ ସମସ୍ତ ପ୍ରକାର ଉଦ୍ୟମ କରାଯିବ । "

ଦୀର୍ଘ ବର୍ଷର ଦାବି ଏବଂ ଆନ୍ଦୋଳନ ପରେ ସହରତଳି ଅଞ୍ଚଳରେ ରହିଥିବା କେତେକ ଗ୍ରାମ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରାଯିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସହରତଳି ଅଞ୍ଚଳ କ୍ରିଯାନୁଷ୍ଠାନ କମିଟି ପକ୍ଷରୁ ସେମାନଙ୍କ ମୂଳ ଦାବି ୧୮ ଗୋଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରାଯାଇ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ କରିବାକୁ ରହିଥିବା ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.