ETV Bharat / state

MKCG ମେଡିକାଲରେ ପାର୍କିଂ ଫି ଆଦାୟ ଅଭିଯୋଗ, SUCIର ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 31, 2023, 8:36 PM IST

ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ । ଡାକ୍ତରଖାନା ପରିସରରେ ପାର୍କିଂ ଫି ଆଦାୟକୁ ବିରୋଧ କରି ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

SUCI protest in MKCG hospital
MKCG ମେଡିକାଲରେ SUCIର ଆନ୍ଦୋଳନ

MKCG ମେଡିକାଲରେ SUCIର ଆନ୍ଦୋଳନ

ବ୍ରହ୍ମପୁର: ଏମ୍‌.କେ.ସି.ଜି ମେଡିକାଲରେ ଆଦାୟ ହେଉଛି ପାର୍କିଂ ଫି । ଗତ କିଛି ଦିନ ଧରି ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ପରିସରରେ ଗାଡ଼ି ରଖିବା ପାଇଁ ପାର୍କିଂ ଫି ଆଦାୟ ହେଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏମ୍‌.କେ.ସି.ଜି କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ । ସରକାରୀ ଡାକ୍ତରଖାନରେ ଏଭଳି ଫି' ଆଦାୟକୁ ନେଇ ଦୃଢ ନିନ୍ଦା ପ୍ରକାଶ କରିବା ସହ ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଧାରଣା ଦିଆଯାଇଛି ।

ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାବାସୀ ଏମ୍‌.କେ.ସି.ଜି ମେଡିକାଲ ଉପରେ ନିର୍ଭର କରିଥାଆନ୍ତି । ପ୍ରତିଦିନ ହଜାରହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ପୂର୍ବରୁ ବିଭିନ୍ନ ସମସ୍ୟା ସହ ଜୁଝି ହେଉଥିବା ଏହି ଡାକ୍ତରଖାନାକୁ ନେଇ ପୁଣି ବିବାଦ ଦେଖାଦେଇଛି । ଗତ କିଛି ଦିନ ଧରି ଯାନବାହାନ ରଖିବା ପାଇଁ ପାର୍କିଂ ଫି' ଆଦାୟ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ ସଂସ୍ଥା ହାତକୁ ଟେକିଦେଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି ।

ଡାକ୍ତରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ସୋମନାଥ ବେହେରାଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏନେଇ ଏସ୍.ୟୁ.ସି.ଆଇ କର୍ମକର୍ତ୍ତା କହିଛନ୍ତି, " ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ମେଡିକାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ନେଇ ଘୋଷଣା କରାଯାଉଥିବା ବେଳେ ଗତ କିଛିଦିନ ଧରି ମେଡିକାଲ ପରିସରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଯାନବାହାନ ମେଡିକାଲ ପରିସରରେ ରଖିବା ପାଇଁ ଏକ ଘରୋଇ ସଂସ୍ଥା ୧୦ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ କରୁଛି । ଏଥିସହ ରୋଗୀଙ୍କ ଆବଶ୍ୟକୀୟ ପରୀକ୍ଷା ଗୁଡିକ ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଉଛି । ଯାହା ସ୍ୱାସ୍ଥ୍ୟ ସେବାର ଘରୋଇକରଣ କରିବାର ପ୍ରଥମ ପଦକ୍ଷେପ ।"

ଏମ୍‌.କେ.ସି.ଜି ମେଡିକାଲରେ ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଡାକ୍ତରୀ ଉପକରଣ ଏବଂ ଔଷଧପତ୍ରର ଘୋର ଅଭାବ ରହିଛି । ବିଭିନ୍ନ କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ ନକରି ଆଉଟସୋର୍ସିଂ ମାଧ୍ୟମରେ ପ୍ରଦାନ କରାଯାଉଥିବା ବେଳେ ଏହା ସମୂହ ଉତ୍ତମ ଚିକିତ୍ସା ଯୋଗାଇବାରେ ବାଧ୍ୟକ ସାଜିଛି ବୋଲି କୁହାଯାଇଛି । ମେଡିକାଲର ଅବ୍ୟବସ୍ଥା ନେଇ ନିକଟ ଅତୀତରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଥର ବିକ୍ଷୋଭ କରାଯାଇଥିବା ଦେଖାଯାଇଛି । ହେଲେ କୌଣସି ଦାବି ପୂରଣ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.