ETV Bharat / state

ଛତ୍ରପୁର ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ସ୍ବାମୀ ହିଁ ଥିଲା ସଇତାନ

author img

By

Published : Mar 5, 2023, 9:42 AM IST

ଗଞ୍ଜାମ ଛତ୍ରପୁରରେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା । ସ୍ବାମୀ ହିଁ ଘଟାଇଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଗଞ୍ଜାମ ଛତ୍ରପୁରରେ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ବାମୀ ଗିରଫ
ଗଞ୍ଜାମ ଛତ୍ରପୁରରେ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ବାମୀ ଗିରଫ

ଗଞ୍ଜାମ ଛତ୍ରପୁରରେ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ବାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣା । ସ୍ବାମୀ ହିଁ ସାଜିଥିଲା ସଇତାନ । ସ୍ତ୍ରୀକୁ ଅମାନୁଷିକ ଭାବେ ହତ୍ୟା କରିବା ପରେ ନିଜେ ଥାନାରେ ଅଭିଯୋଗ କରିଥିଲା । କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସେ ଥାନାରେ ଏତଲା ଦେଇଥିଲା । ହେଲେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ତଦନ୍ତ ପରେ ସ୍ବାମୀ ରାଧାଶ୍ୟାମ ଚୌଧୁରୀ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ଗତ ଫେବୃୟାରୀ ୧୫ ତାରିଖ ବିଳମ୍ୱିତ ରାତିରେ ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସୁପ୍ରଭା ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା । ୧୬ ତାରିଖ ସକାଳେ ଘରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ମୃତକଙ୍କ ସ୍ବାମୀ ରାଧାଶ୍ୟାମ ଚୌଧୁରୀ ତାଙ୍କ ଘରେ କେହି ପଶି ପତ୍ନୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିଥିଲା ।

ପାରିପାଶ୍ବିକ ସ୍ଥିତି ଏବଂ ତଦନ୍ତ ସମୟରେ ରାଧାଶ୍ୟାମ ବାରମ୍ବାର ନିଜର ବୟାନ ବଦଳାଇବା ଯୋଗୁଁ ପୋଲିସର ସନ୍ଦେହ ହୋଇଥିଲା । ସେ ହିଁ ହତ୍ୟା କରିଥିବା ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଶନିବାର ଛତ୍ରପୁର ଏସ୍.ଡି.ପି.ଓ ଗୌତମ କିଶାନି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ଖୋଳତାଡ କରିବା ପାଇଁ ଅଭିଯୁକ୍ତ ସ୍ୱାମୀକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ଦିଆଯାଇଛି ।

ତେବେ ସୁପ୍ରଭାଙ୍କ ହତ୍ୟାର ୧୩ ଦିନ ପରେ ତାଙ୍କର ୨୬ ବର୍ଷୀୟ ସାନ ପୁଅ ଦେବାଶିଷ ପଣ୍ଡା ଆତ୍ମହତ୍ୟା କରିଥିଲେ । ବାପା ରାଧାଶ୍ୟାମ ହିଁ ଦେବାଶିଷଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିବା ମୃତକଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହା ସୂଚନା ମିଳିଛି, ଗିରଫ ରାଧାଶ୍ୟାମ ଚୌଧୁରୀଙ୍କ ତିନି ପୁଅ ବାହାର ରାଜ୍ୟରେ ରହୁଥିବା ବେଳେ ମାଆଙ୍କ ଦେହନ୍ତ ପରେ ଘରକୁ ଫେରିଥିଲେ । ମାଆଙ୍କ ମୃତ୍ୟୁକୁ ନେଇ ଦେବାଶିଷ ଖୁବ୍ ଚିନ୍ତାରେ ରହିଥିଲେ । ଏଥିପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷରେ ସୁପ୍ରଭା ଚୌଧୁରୀଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୋଗକାରୀ ସ୍ବାମୀକୁ ଗିରଫ କରିଛି । ତେବେ କାହିଁକି ସେ ହତ୍ୟା କଲା ପୋଲିସ ଜଣାଇନଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତ ରହିଛି ନା ନାହିଁ ସେନେଇ ତଦନ୍ତ ଚାଲିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.