ETV Bharat / state

ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, 4 ପୋଲିସ କର୍ମୀ ଆହତ

author img

By ETV Bharat Odisha Team

Published : Oct 27, 2023, 10:08 AM IST

ଜୁଆ ଆଡ୍ଡାରେ ଚଢାଉ ବେଳେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସକୁ ଆକ୍ରମଣ ଘଟଣା । ଥାନାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ

ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ତଦନ୍ତ ଜାରି
ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ତଦନ୍ତ ଜାରି

ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ତଦନ୍ତ ଜାରି

ବ୍ରହ୍ମପୁର: ଜୁଆ ଆଡ୍ଡାରେ ଚଢାଉ ବେଳେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସକୁ ଆକ୍ରମଣ ଘଟଣା । ଥାନାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କେ ଶ୍ରବଣ ବିବେକ୍‌ ଏମ୍ । ତେବେ ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ସିଏଚ୍.ଟିକରପଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ ଚଢାଉ କରିଥିଲା ।ଏହି ସମୟରେ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଜୁଆଡିମାନେ ।

ବ୍ରହ୍ମପୁରରେ ବେଧଢକ ଚାଲିଛି ଅପରାଧ । ପୋଲିସକୁ ଖୁଲମଖୁଲା ଚାଲେଞ୍ଜ୍‌ ଦେଇ ଗୋଟିଏ ପରେ ଗୋଟିଏ ଅପରାଧିକ କାର୍ଯ୍ୟ କରିଚାଲିଛନ୍ତି ଅପରାଧୀ । ଏଭଳିକି ପୋଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି ଦୁର୍ବୃତ୍ତ । ତେବେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାର କେ.ନୂଆଗାଁ ଥାନା ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ସିଏଚ୍.ଟିକରପଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହାମଧ୍ୟ ପଢନ୍ତୁ..ବେଆଇନ କୁକୁଡା ଲଢେଇ ଓ ଜୁଆ ଆଡ୍ଡା ଉପରେ ଚଢାଉ, 36 ଜୁଆଡି ଗିରଫ

ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କୌଣସି ମତେ ଖବର ପାଇ ଯାଇଥିଲେ ଜୁଆ ଖେଳରେ ସାମିଲ ରହିଥିବା ବ୍ୟକ୍ତିବିଶେଷମାନେ । ଯାହାକୁ ନେଇ ଏକ ପ୍ରକାର ସଜାଗ ହୋଇଯାଇଥିଲେ । କିଛି ଯୁବକ ଟଙ୍କାକୁ ନିଜ ପକେଟରେ ପୁରାଇ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରୁଥିବା ବେଳେ ଆଉ କେତେକ ଜୁଆ ଆଡ୍ଡାରୁ ଟଙ୍କା ସବୁ ଝରକା ପଟେ ବାହାରକୁ ଫୋପାଡ଼ୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଲ୍ୟାଣ ମଣ୍ଡପ ଗ୍ରୀଲ୍‌ ପକାଇ ସେମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିବା ବେଳେ ସମସ୍ତେ ସଙ୍ଗଠିତ ହୋଇ ପୋଲିସକୁ ଆକ୍ରମଣ କରିଥିବା ସୂଚନା ରହିଛି । ପୋଲିସ ଗାଡ଼ି ଉପରକୁ ମଧ୍ୟ ଟେକାପଥର ମାଡ଼ ହୋଇଥିବା ବେଳେ ଏକ ପ୍ରକାର ମୁହାମୁହିଁ ପରିସ୍ଥିତି ଉପୁଜିଥିଲା ।

ଯେଉଁଥିରେ 4 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପଟେ ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କେ. ଶ୍ରବଣ ବିବେକ୍‌ ଏମ୍ ।

ଏହାମଧ୍ୟ ପଢନ୍ତୁ..ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡି ବସିଲା ପୋଲିସ, 9 ଜୁଆଡି ଗିରଫ

ତେବେ ପୂଜା ଋତୁରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ମାତ୍ରାଧିକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଜିଲ୍ଲାରେ ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜୋରଦାର କରାଯାଉଥିବା ଦେଖାଯାଇଛି । ଗୋଟିଏ ପଟେ ପରମ୍ପରା ଆଳରେ ଗଞ୍ଜାମରେ ବ୍ୟାପକ ଜୁଆ ଖେଳ ହେଉଥିବା ବେଳେ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଥିବା ଯୋଗୁଁ ପୋଲିସ ପକ୍ଷରୁ ଆହୁରି ବ୍ୟାପକ ଚଢ଼ାଉ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.