ETV Bharat / state

ମା' ତାରାତାରିଣୀଙ୍କ ପୀଠରେ ୪୨୦୦ ଦୀପଦାନ, ନିଆରା ଉପାୟରେ ସରକାରଙ୍କୁ ଦାବି ଜଣାଇଲା ଅମଲା ସଙ୍ଘ

author img

By

Published : Jun 13, 2023, 10:28 PM IST

ପ୍ରସିଦ୍ଧ ମା' ତାରାତାରିଣୀ ପୀଠରେ ୪ ହଜାର ୨୦୦ ଦୀପଦାନ କରି ସରକାରଙ୍କ ନିକଟରେ ଦାବି ଜଣାଇଲା ମିଳିତ ଅମଲା ମଞ୍ଚ। ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଅମଲାଙ୍କ ଏହି ସମସ୍ୟା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଅଧିକ ପଢନ୍ତୁ

ଦୀପଦାନ ସହ ପ୍ରତିବାଦ
ଦୀପଦାନ ସହ ପ୍ରତିବାଦ

ଦୀପଦାନ ସହ ପ୍ରତିବାଦ

ବ୍ରହ୍ମପୁର: ସରକାରଙ୍କ ନିକଟରେ ଗ୍ରେଡ୍ ପେ ପ୍ରଦାନ ଦାବିରେ ମା' ତାରାତାରିଣୀଙ୍କ ପୀଠରେ ଦୀପଦାନ କରିଛନ୍ତି ଅମଲା ମଞ୍ଚର କର୍ମକର୍ତ୍ତା । ସାରା ରାଜ୍ୟରେ ଅମଲା ସଙ୍ଘର ଆନ୍ଦୋଳନ 13 ଦିନରେ ପହଞ୍ଚିଲାଣି । ଅନ୍ୟ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ଭଳି ଅମଲାମାନଙ୍କୁ ସ୍ନାତକ ଯୋଗ୍ୟତା ହାରରେ ଦରମା ପ୍ରଦାନ କରିବାକୁ ଅମଲାମାନେ ଜାରି ରଖିଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ । ସରକାରଙ୍କ ସମସ୍ତ ବିଭାଗର ଅମଲାମାନେ ଏହି ଆନ୍ଦୋଳନ ଜାରି ରଖିଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ୪,୨୦୦ ଦୀପଦାନ କରି ପ୍ରସିଦ୍ଧ ମା' ତାରାତାରିଣୀ ପୀଠରୁ ସରକାରଙ୍କ ନିକଟରେ ଗ୍ରେଡ୍ ପେ ପ୍ରଦାନ କରିବା ନେଇ ଦାବି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ମିଳିତ ଅମଲା ମଞ୍ଚ ସଦସ୍ୟ। ଗଞ୍ଜାମ ଜିଲ୍ଲାର ମିଳିତ ଅମଲା ସଙ୍ଘ ପକ୍ଷରୁ ଛତ୍ରପୁର ସମେତ ବ୍ରହ୍ମପୁର ଏବଂ ଭଞ୍ଜନଗର ଭଳି 3 ଟି ଉପଖଣ୍ଡରେ ଜାରି ରହିଛି ଆନ୍ଦୋଳନ । ଜିଲ୍ଲାର ପ୍ରାୟ ୩୨ଟି ବିଭାଗରେ କାର୍ଯ୍ୟରତ ହଜାରରୁ ଉର୍ଦ୍ଧ୍ୱ ଅମଲାମାନେ ନିଜ ଦାବି ନେଇ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କୌଣସି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି।

ନିଜସ୍ୱ ଜିଲ୍ଲା ଗଞ୍ଜାମକୁ ମା' ଙ୍କ ପୀଠକୁ ଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଏଭଳି 4,200 ଦୀପଦାନ କରିବା ସହ ଅମଲାମାନେ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗତ କିଛି ମାସ ଧରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ଆସୁଥିବା ରାଜ୍ୟର ମିଳିତ ଅମଲା ସଙ୍ଘର ଦାବି ପ୍ରତି ସରକାର ଦୃଷ୍ଟି ନଦେବାରୁ ଜୁନ ପହିଲାରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ସଙ୍ଘ ପକ୍ଷରୁ ବିଭିନ୍ନ ଫୋରମରେ ଚେତାବନୀ ଦିଆଯାଇଥିଲା ।

ଏଣୁ ସରକାର ଅମଲାମାନଙ୍କ ଦାବି ପୂରଣ ପ୍ରସଙ୍ଗରେ ଖୁବଶୀଘ୍ର ଆଲୋଚନା କରିବା ନେଇ ଆଶା ରଖିଛନ୍ତି ସଙ୍ଘର କର୍ମକର୍ତ୍ତା । ଗତ ୨୦୦୦ ମସିହାରୁ ଜିଲ୍ଲା ସ୍ତରୀୟ ଅମଲାମାନଙ୍କୁ ନିଯୁକ୍ତି ନିମନ୍ତେ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିଥିଲେ ମଧ୍ୟ ସେହି ହାରରେ ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ରହିଥିବା ଅମଲାମାନଙ୍କୁ ପୁରାତନ ମ୍ୟାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ୧୯୦୦ ଗ୍ରେଡ ପେରେ ହିଁ ଦରମା ପ୍ରଦାନ କରାଯାଉଛି ।

ଅନ୍ୟ ବର୍ଗରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ସ୍ନାତ୍ତକ ଯୋଗ୍ୟତା ହାରରେ ୪୨୦୦ ଗ୍ରେଡ ପେ ପ୍ରଦାନ କରାଯାଉଥିବ ବେଳେ ଅମଲା ମାନଙ୍କୁ କାହିଁକି ପାତର ଅନ୍ତର କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି । ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଅମଲାଙ୍କ ଏହି ସମସ୍ୟା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.