ETV Bharat / state

ଦେବଗଡ ଦୁର୍ଗମ ଅଞ୍ଚଳକୁ ଫେଲ ମାରିଛି ଯୋଗଯୋଗ, ଖତ ଖାଉଛି ବିଜୁ ଗାଁ ଗାଡି

author img

By

Published : May 16, 2023, 10:24 AM IST

ଦୁର୍ଗମ ଅଞ୍ଚଳକୁ ଫେଲ୍‌ ମାରିଛି ବସ ସେବା । ଦେବଗଡ ଜିଲ୍ଲାରେ 7 ବର୍ଷ ହେବ ଖତ ଖାଉଛି ବିଜୁ ଗାଁ ଗାଡି । ଦୁର୍ଗମ ଅଞ୍ଚଳକୁ ଫେଲ ମାରିଛି ବସ୍‌ ସେବା । ଅଧିକ ପଢନ୍ତୁ

poor condition of govt bus in deogarh
ଖତ ଖାଉଛି ବିଜୁ ଗାଁ ଗାଡି

ଦେବଗଡ ଦୁର୍ଗମ ଅଞ୍ଚଳକୁ ଫେଲ ମାରିଛି ଯୋଗଯୋଗ

ଦେବଗଡ: ସାତ ବର୍ଷ ହେଲା ଲୋକଙ୍କ କାର୍ଯ୍ୟରେ ନ ଆସି ଖତ ଖାଉଛି ବିଜୁ ଗାଁ ଗାଡି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଜିଲ୍ଲାରେ ପ୍ରହସନରେ ପରିଣତ ହୋଇଛି ବିଜୁ ଗାଁ ଗାଡି ଯୋଜନା । ସେପଟେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍‌ ସେବା ଉପଲବ୍ଧ ନଥିବାରୁ ଯାତାୟତରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।

ବଣ ପାହାଡ ଘେରା ଦେବଗଡ଼ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷ୍ୟରେ ଗତ 2016 ମସିହାରେ ରାଜ୍ୟ ସରକାର ବିଜୁ ଗାଁ ଗାଡି ଯୋଜନାରେ 5 ଖଣ୍ଡ ବସ ଯୋଗାଇ ଦେଇଥିଲେ । ଏହି ବସ୍‌ ଆସିବା ପରେ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ବସ୍‌ ସେବା ଉପଲବ୍ଧ ହେବା ନେଇ ଲୋକଙ୍କ ମନରେ ଆଶା ସଞ୍ଚାର କରିଥିଲା । ଗତ 2016 ମସିହାରେ 5 ଖଣ୍ଡ ନୂଆଁ ବସ୍‌ ଆସିବା ପରେ ସେଥିମଧ୍ୟରୁ 4 ଖଣ୍ଡ ବସ୍‌ ଜିଲ୍ଲାର ବିଭିନ୍ନ ଦୁର୍ଗମା ଅଞ୍ଚଳକୁ ଚଳାଚଳ କରିଥିଲା । ଗୋଟିଏ ମାତ୍ର ବସ୍‌ ଜରୁରୀକାଳୀନ ସେବା ପାଇଁ ରଖାଯାଇଥିଲା । ଦେବଗଡ଼ରୁ କୁଚିଣ୍ଡା ଭାୟା ଲାଇମୁରା ଦେଇ ଝରାଗୋଗୁଆ, ଦେବଗଡ଼ରୁ ତେଲିକୁସୁମ, ଟୁହିଲାମାଲ ଓ ସଡୋ ଆଦି 4ଟି ରୁଟ୍‌ରେ ବସ୍‌ ଚଳାଚଳ କରୁଥିଲା । ଏଥି ଯୋଗୁଁ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ସୁଗମ ହେବା ସହ ଲୋକେ ଯାତାୟତରେ ସୁବିଧା ପାଉଥିଲେ । ମାତ୍ର କିଛିଦିନ ପରେ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ଆଳରେ ବସ୍‌ ଚଳାଚଳ ବନ୍ଦ କରିଦେଲେ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।

ବର୍ତ୍ତମାନ କେବଳ ଜିଲ୍ଲାର କଂସର ଓ ସଡୋ ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳକୁ ଏହି ବସ୍‌ ଚଳାଚଳ କରୁନାହିଁ । ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଲଇମୁରା, ପାରପୋଷି, ଝରାଗୋଗୁଆ, ଡିମିରିକୁଦା, ଝାରମୁଣ୍ଡା, ଗଣ୍ଡମ ଆଦି ପଞ୍ଚାୟତକୁ ଏହି ବସ୍‌ସେବା ଉପଲବ୍ଧ ହୋଇ ପାରୁ ନଥିବାରୁ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଉଁଠି ରାସ୍ତା ଖରାପ ତ ପୁଣି କୋଉଁଠି କର୍ମଚାରୀ ଅଭାବ, ଏମିତି ବିଭିନ୍ନ ଆଳ ଦେଖାଇ ବିଭାଗୀୟ କର୍ତ୍ତୃପକ୍ଷ 3ଖଣ୍ଡ ବସ ବନ୍ଦ କରି ଦେଇଛନ୍ତି । ଦୀର୍ଘ ସମୟ ହେଲା ବସ୍‌ଗୁଡିକ ଲୋକଙ୍କ ସେବାରେ ନଆସି ପରିତ୍ୟକ୍ତ ଭାବେ ପଡିରହିଛି । ଏସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ସଠିକ ତଥ୍ୟ ମିଳି ପାରୁନାହିଁ । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଦେବଗଡ଼ ଜିଲ୍ଲାର ଅଧିକାଂଶ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ବସ୍ ସେବା ନାହିଁ । ଦୀର୍ଘ ସମୟ ଧରି ସରକାରୀ ବସ୍‌ଗୁଡିକୁ ପକାଇ ରଖାଯିବା ବିଭାଗୀୟ କତ୍ତୃପକ୍ଷଙ୍କ ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.