ETV Bharat / state

ଏମିତି ଚାଲିଛି ୫T ସ୍କୁଲ: ନୂଆ ବିଦ୍ୟାଳୟରେ ପଡ଼ିଛି ତାଲା, ପଲିଥିନ ଘରେ ଚାଲିଛି ପାଠଶାଳା

author img

By

Published : Jul 23, 2023, 7:38 AM IST

ସରକାର କୋଟିକୋଟି ଟଙ୍କା ବ୍ୟୟକରି 5T ସ୍କୁଲ ନିର୍ମାଣ କଲେ । ଉଦଘାଟନ ପରଠୁ ନୂଆ ସ୍କୁଲରେ ତାଲା ପଡ଼ିଥିବା ବେଳେ ପଲିଥିନ ଟଣା ଦଦରା ଛାତ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ମହାସିନ୍ଧୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୂରାବସ୍ଥା । ଅଧିକ ପଢ଼ନ୍ତୁ

students study in unsafe classroom
ପଲିଥିନ ଘରେ ଚାଲିଛି ପାଠଶାଳା

ପଲିଥିନ ଘରେ ଚାଲିଛି ପାଠଶାଳା

ଦେବଗଡ଼: ସରକାରୀ ସ୍କୁଲକୁ ୫T ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେଲା । ସରକାର କୋଟିକୋଟି ଟଙ୍କା ବ୍ୟୟକରି ସ୍ମାର୍ଟସ୍କୁଲ, ସ୍ମାର୍ଟ କ୍ଳାସରୁମ, ସ୍ମାର୍ଟ ଲାଇବ୍ରେରୀ ଆଦି ନିର୍ମାଣ କରାଇ ବିଭିନ୍ନ ଅତ୍ୟାଧୁନିକ ଶିକ୍ଷା ଉପକରଣ ଯୋଗାଇ ଦେଲେ । ହେଲେ ପିଲାଏ ଆଜି ବି ପାଠ ପଢୁଛନ୍ତି ସେହି ପଲିଥିନ ଟଣା ଦଦରା ଛାତ ତଳେ । ସ୍ମାର୍ଟ ସ୍କୁଲ ରହିଯାଇଛି ପିଲାଙ୍କ ଠାରୁ ଅନେକ ଦୂରରେ । ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ । ମହାସିନ୍ଧୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୂରାବସ୍ଥା ।

ଏ ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ମହାସିନ୍ଧୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି 89 ଜଣ ଛାତ୍ରଛାତ୍ରୀ । ଶିକ୍ଷାଦାନ ପାଇଁ ଅଛନ୍ତି ୫ ଜଣ ଶିକ୍ଷକ । ୧୯୫୪ ମସିହାରୁ ସ୍ଥାପିତ ହୋଇଥିବା ଜିଲ୍ଲାର ଏହି ପୁରାତନ ବିଦ୍ୟାଳୟର ଦୂରାବସ୍ଥା ଦେଖିଲେ ସରକାରଙ୍କ ୫T ସ୍ମାର୍ଟ ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ଏଠାରେ ଉପହାସିତ ହେଲାଭଳି ମନେହୁଏ । ବିଦ୍ୟାଳୟ କୋଠାଟି ମରାମତି ଅଭାବରୁ ଅତ୍ୟନ୍ତ ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ, ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀ ଏଠାରେ ଅତି ଦୟନୀୟ ସ୍ଥିତିରେ ପାଠ ପଢୁଛନ୍ତି । ମୁଖ୍ୟତଃ ବର୍ଷାଋତୁରେ ଦଦରା ଟାଇଲ ଛାତରୁ ବର୍ଷା ପାଣି ଗଳୁଛି । ତେଣୁ କ୍ଳାସରୁମରେ ପଲିଥିନ ଟାଣି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: କାହା ସ୍ବାର୍ଥରେ ୫T ସ୍କୁଲ ? ଖର୍ଚ୍ଚ ହେଲାଣି କୋଟିଏ, ପିଲା ନାହାନ୍ତି ଗୋଟିଏ

ସେପଟେ ଆଜକୁ ଦୀର୍ଘ ଦୁଇବର୍ଷ ହେଲା କାର୍ଯ୍ୟକ୍ଷମ ହୋଇନପାରି ପରିତ୍ୟକ୍ତ ଭାବେ ପଡିରହିଛି ଏହି ବିଦ୍ୟାଳୟ ନାମରେ ନିର୍ମିତ ହୋଇଥିବା ନୂତନ ୫T ସ୍ମାର୍ଟସ୍କୁଲ କୋଠା ଓ କୋଟିକୋଟି ଟଙ୍କାର ଶିକ୍ଷା ଉପକରଣ । ସ୍କୁଲରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାଠ ପଢ଼ିବାକୁ କରିବାକୁ ଆଗ୍ରହୀ ନଥିବାରୁ କୋଟିକୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ବିଦ୍ୟାଳୟ କୋଠାଟି ପରିତ୍ୟକ୍ତ ଭାବେ ପଡିରହି ଖତ ଖାଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୁରଦୃଷ୍ଟିର ଅଭାବ ଓ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି ।

ଏନେଇ ଗ୍ରାମବାସୀ କହିଛନ୍ତି,"ବିଦ୍ୟାଳୟଟି ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ପରାମର୍ଶ ନିଆନଯାଇ ଉପଯୁକ୍ତ ସ୍ଥାନ ନିରୂପଣ କରାନଯିବା ଓ ବିଦ୍ୟାଳୟରେ ପାଠ ପଢିବାକୁ ଆବଶ୍ୟକ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରତି ଦୃଷ୍ଟି ନଦେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରିବା କାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବିଦ୍ୟାଳୟଟି ମହାସିନ୍ଧୁ ଗାଁ ଠାରୁ ଅତ୍ୟଧିକ ଦୂରରେ ଅର୍ଥାତ ରେଙ୍ଗାତା ଗ୍ରାମରେ ନିର୍ମାଣ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ପିଲାଙ୍କୁ ଛାଡିବାକୁ ନିରାପଦ ମଣୁ ନାହାନ୍ତି ।" ଫଳରେ ୫T ସ୍ମାର୍ଟ ସ୍କୁଲ ନାମରେ ଏଠାରେ ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ଅଯଥା ବ୍ୟୟ ହୋଇଛି ସିନା, ଏହାର କୌଣସି ସୁଫଳ ଛାତ୍ରଛାତ୍ରୀ ପାଇପାରୁନାହାନ୍ତି ।

ଏଠାରେ ପ୍ରଶ୍ନଉଠେ, ନବନିର୍ମିତ ୫T ବିଦ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ବେଳେ ବିଭାଗୀୟ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ପରାମର୍ଶ ନନେଇ କିମ୍ବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ନଦେଇ କୋଟିକୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କଲେ କାହା ସ୍ୱାର୍ଥରେ ? ଏଥିପାଇଁ କିଏ ରହିବେ ଉତ୍ତରଦାୟୀ ? ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.