ETV Bharat / state

ଉଦଘାଟନ ହୋଇପାରୁନି ନବନିର୍ମିତ ବସଷ୍ଟାଣ୍ଡ, ବଢୁଛି ଜନଅସନ୍ତୋଷ

author img

By

Published : Apr 30, 2023, 12:27 PM IST

Updated : Apr 30, 2023, 7:38 PM IST

ନିର୍ମାଣକୁ ବର୍ଷେ ପୁରିଲାଣି ହେଲେ ଦେବଗଡ ସହରରେ ଉଦଘାଟନ ହୋଇପାରୁନି ନୂତନ ବସଷ୍ଟାଣ୍ଡ । ସ୍ଥାୟୀ ବସଷ୍ଟାଣ୍ଡଟିଏ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ଉଦଘାଟନ ହୋଇପାରୁନି ନବନିର୍ମିତ ବସଷ୍ଟାଣ୍ଡ
ଉଦଘାଟନ ହୋଇପାରୁନି ନବନିର୍ମିତ ବସଷ୍ଟାଣ୍ଡ

ଉଦଘାଟନ ହୋଇପାରୁନି ନବନିର୍ମିତ ବସଷ୍ଟାଣ୍ଡ

ଦେବଗଡ଼: କୋଟି କୋଟି ଟଙ୍କା ବ୍ୟୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେଲା । ବର୍ଷେ ହେଲାଣି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଲୋକାର୍ପିତ ହୋଇପାରୁନି ଦେବଗଡ ସହରରେ ନବନିର୍ମିତ ବସଷ୍ଟାଣ୍ଡ । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛି ପ୍ରଶାସନ । ସେପଟେ ସହରରେ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଉନଥିବାରୁ ଆଜକୁ ଦୀର୍ଘ ବର୍ଷ ହେଲା ଏକ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଅସ୍ଥାୟୀ ବସଷ୍ଟାଣ୍ଡ ଚାଲିଆସୁଛି । ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ପାନୀୟଜଳ, ଶୌଚାଳୟ ଓ ବିଶ୍ରାମଗାର ଆଦି କୌଣସି ସୁବିଧା ଉପଲବ୍ଧ ନଥିବାରୁ ଦୂରଦୁରାନ୍ତରୁ ଆସୁଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦେବଗଡ ଜିଲ୍ଲା ସଦର ମହକୁମାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଦୈନିକ ଶତାଧିକ ବସ ଚଳାଚଳ କରୁଛି । ରାସ୍ତା ଉପରେ ଅସ୍ଥାୟୀ ବସଷ୍ଟାଣ୍ଡ ଥିବାରୁ ବସଗୁଡିକ ପାର୍କିଂ ପାଇଁ ସମସ୍ୟା ହେଉଛି । ବସ ଗୁଡିକ ରାସ୍ତାରେ ବହୁ ସମୟ ଧରି ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଥିବାବେଳେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଗତ 2017-18 ମସିହାରେ ରାଜ୍ୟ ସରକାର ଦେବଗଡ଼ ସହରାଞ୍ଚଳ ରଜାମୁଣ୍ଡା ଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ଏଥିପାଇଁ ପ୍ରାୟ 3 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇଥିଲା । ଦେବଗଡ଼ ସହରର ଜଣେ ଠିକାଦାର ଏହି ଟେଣ୍ଡରଟି ପାଇବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥଲେ । ସମ୍ପୃକ୍ତ ଠିକାଦାର ଜଣକ ନିର୍ମାଣ କାର୍ଯ୍ୟ ସାରିବାରେ ଅହେତୁକ ବିଳମ୍ବ କରିଥିଲେ ।

ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ତାଗିଦ ପରେ ବର୍ଷେ ହେଲା ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି । ଏହି ନବନିର୍ମିତ ବସଷ୍ଟାଣ୍ଡକୁ ହସ୍ତାନ୍ତର କରିବା ପାଇଁ ଆଜକୁ ତିନି ମାସ ହେଲା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ପ୍ରଶାସନକୁ ବାରମ୍ବାର ପତ୍ରାଳାପ କରିଆସୁଛନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅବଗତ କରିବା ସତ୍ତ୍ବେ ମଧ୍ୟ ପ୍ରଶାସନ ଏହାକୁ ଗ୍ରହଣ ନକରି ସମୟ ଗଡାଇ ଚାଲିଛି । ଯାହାଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇନପାରି ପରିତ୍ୟକ୍ତ ଭାବେ ପଡିରହିଛି ।

ରାତ୍ର ସମୟରେ ଏହା ଚୋର ତସ୍କର ଓ ମଦୁଆଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି । ଏଠାରେ ନାନା ଅନୈତିକ କାର୍ଯ୍ୟ ଚାଲିଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରଶାସନ ଏହାକୁ କାର୍ଯ୍ୟକ୍ଷମ କରିବାରେ କାହିଁକି ବିଳମ୍ବ କରୁଛି ତାହା ବୁଝାପଡୁ ନଥିଲେ ହେଁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚାପ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ଓ ନିର୍ବାଚନ ପାଖେଇ ଆସୁଥିବାରୁ ନେତା ମନ୍ତ୍ରୀ ଆସି ଫିତା କାଟି ଉଦଘାଟନ କରିବା ସମୟକୁ ପ୍ରଶାସନ ଅପେକ୍ଷା କରିଥିବା ସବୁଠି ଚର୍ଚ୍ଚା ହେଉଛି । ଆହୁରି ମଧ୍ୟ, ଅସ୍ଥାୟୀ ବସଷ୍ଟାଣ୍ଡ ସ୍ଥାନାନ୍ତରିତ ହେବା ଯୋଗୁଁ ଏଠାରେ କୋଠାବାଡି କରି ବ୍ୟବସାୟ କରିଆସୁଥିବା କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନେ ପ୍ରଶାସନ ଉପରେ ରାଜନୈତିକ ଚାପ ପ୍ରୟୋଗ କରି ସ୍ଥାନାନ୍ତରିତ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।


ସେପଟେ ଅସ୍ଥାୟୀ ବସଷ୍ଟାଣ୍ଡରେ ପାନୀୟଜଳ, ଶୌଚାଳୟ କିମ୍ବା ବିଶ୍ରାମଗାର ଆଦି ସୁବିଧା ଉପଲବ୍ଧ ନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀଙ୍କ ସୁବିଧା ପାଇ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଓ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ

Last Updated : Apr 30, 2023, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.