ETV Bharat / state

ବିଦ୍ୟୁତ ଆଘାତରେ ୨ ହାତ ହରାଇଥିବା ଶିଶୁକୁ ୭ଲକ୍ଷ କ୍ଷତିପୂରଣ ଦେଉ ବିଭାଗ: NHRC

author img

By

Published : Apr 27, 2023, 9:45 PM IST

ଦେବଗଡ଼ରେ ବିଦ୍ୟୁତ ଆଘାତରେ ଦୁଇଟି ହାତ ହରାଇଥିବା ଶିଶୁକୁ ୭ଲକ୍ଷ କ୍ଷତିପୂରଣ ଦେବାକୁ ଶକ୍ତି ବିଭାଗକୁ ଜାତୀୟ ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ଦେବଗଡ଼: ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇଟି ହାତ । ହାତ ୨ଟି ହରାଇ ୮ ମାସ ହେଲା ଭିନ୍ନକ୍ଷମ ହୋଇ ଜୀବନ ବିତାଇ ଆସୁଛନ୍ତି ଜଣେ ୭ବର୍ଷର ନିଷ୍ପାପ ଶିଶୁ । ଏହି ଦୁଃଖଦ ଘଟଣା ପାଇଁ ଶକ୍ତି ବିଭାଗକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରି ୭ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର କମିଶନ (NHRC) ।

ବିଦ୍ୟୁତ ଆଘାତର ଶିକାର ଶିଶୁ ମୁନା ମାଝୀ
ବିଦ୍ୟୁତ ଆଘାତର ଶିକାର ଶିଶୁ ମୁନା ମାଝୀ

ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ବରଡାନାଳୀ ଗ୍ରାମର ଜିଲୁ ମାଝୀଙ୍କ ୭ ବର୍ଷର ପୁଅ ମୁନା ମାଝୀ ଗତ ଜୁଲାଇ ମାସ ୧ ତାରିଖ ରଥଯାତ୍ରା ଦିନ ଗ୍ରାମରେ ଥିବା ସମ୍ପର୍କୀୟ ପବନୀ ବେହେରାଙ୍କ ଘରକୁ ଯାଇଥିଲା । ତାଙ୍କ ଛାତ ଉପରେ ଖେଳୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ମୁନା । ଫଳରେ ବିଦ୍ୟୁତ ଆଘାତରେ ହାତ ୨ଟି ପୋଡିଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାର ୨ଟି ହାତକୁ କାଟିବାକୁ ପଡ଼ିଥିଲା । ତେବେ ଉକ୍ତ ଦୁଃଖଦ ଘଟଣା ସମ୍ପର୍କରେ ଇଟିଭି ଭାରତ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡିର ମାନବ ଅଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମା‌ନବଧିକାର କମିଶନ ନିକଟରେ ଅଭିଯୋଗ କରିଥିଲେ ।

ବିଦ୍ୟୁତ ଆଘାତରେ ୨ ହାତ ହରାଇଥିବା ଶିଶୁକୁ ୭ଲକ୍ଷ କ୍ଷତିପୂରଣ ଦେଉ ବିଭାଗ: NHRC
ବିଦ୍ୟୁତ ଆଘାତରେ ୨ ହାତ ହରାଇଥିବା ଶିଶୁକୁ ୭ଲକ୍ଷ କ୍ଷତିପୂରଣ ଦେଉ ବିଭାଗ: NHRC

ପୀଡିତ ମୁନା ମାଝୀଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ମାମଲାକୁ ବିଚାର ମାନବାଧିକାର କମିଶନ କେସ ନଂ -୨୫୬୪/୧୮/୨୦/୨୦୨୨ରେ ପଞ୍ଜିକରଣ କରି ୨୦୨୨ ଜୁଲାଇ ୧୯ ତାରିଖ, ଅକ୍ଟୋବର ୨୭ ତାରିଖ ଓ ୨୦୨୩ ମସିହା ୮ତାରିଖ ଦିନ ୩ ଦଫା ନୋଟିସ ଜାରି କରି ରିପୋର୍ଟ ତଲବ ଜା‌ରି କରିଥିଲେ । ଅନ୍ୟ ପକ୍ଷରେ ନିଜ ଦୋଷ ଲୁଚାଇବାକୁ ଯାଇ ଟାଟା ପାୱାର ପକ୍ଷରୁ ଅଗଷ୍ଟ ୧୯ ତାରିଖରେ ଏକ ରିପ‌ୋର୍ଟ ଦାଖଲ ହୋଇଥିଲା ।

ଏହା ବି ପଢନ୍ତୁ- ବିଦ୍ୟୁତ୍‌ ବିଭାଗର ଅବହେଳାରୁ ମୁନା ପାଲଟିଲା ଦିବ୍ୟାଙ୍ଗ, ସହାୟତା ଅପେକ୍ଷାରେ ପରିବାର

ଶକ୍ତି ବିଭାଗ ରିପୋର୍ଟରେ ଦର୍ଶାଇଯାଇଥିଲା ଯେ, ଆଘାତ ପ୍ରାପ୍ତ ଶିଶୁ ମୁନ୍ନା ମାଝୀ ପବନି ବେହେରାଙ୍କ ବିନା ଅନୁମତିରେ ୧୧ କେଭି ତାର ତଳେ ଖେଳୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାରୁ ଏଥିପାଇଁ ଶକ୍ତି ବିଭାଗ କିମ୍ବା ଟାଟା ପ‌ାୱାର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ । କିନ୍ତୁ ବିଦ୍ୟୁତ ବିଭାଗର ତଦନ୍ତକାରୀ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ଟାଟାପାୱାର କମ୍ପାନୀର ଅବହେଳା ଯୋଗଁ ୨ଟି କଂକ୍ରିଟ ଖୁଣ୍ଟ ତଳେ ରହିଥିବାରୁ ଘଟଣାସ୍ଥଳରେ ବହୁ ତାର ଝୁଲି ରହିଥିଲା, ଯାହା ଫଳରେ ଶିଶୁଟିକୁ ବିଦ୍ୟୁତ ଆଘାତ ଲାଗିଥିଲା ।

ଏହାସହିତ ଟାଟା ପାୱାର ପକ୍ଷରୁ ନିୟମିତ ତଦାରଖ କରାଯାଉ ନଥିବାରୁ ଏହା କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ(ବିଦ୍ୟୁତ ସଂଚାରଣ ଓ ସୁରକ୍ଷା ବ୍ୟବସ୍ଥା) ଅଧିନିୟମ-୨୦୧୦ର ଧାରା ଅନୁସାରେ ଏହାକୁ ଉଲ୍ଲଘଂନ କରୁଛି ଏବଂ ଏଭଳି ଦୁର୍ଘଟଣା ପାଇଁ ଟାଟା ପାୱାର ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ଜାତୀୟ ମାନବ ଅଧିକାର କମିଶନ ତଦନ୍ତରେ ଜାଣିବାକୁ ପାଇଥିଲେ । ତେବେ ଏହି ରିପୋର୍ଟକୁ ଆଧାର କରି ଜାତୀୟ ମାନବଧିକାର କମିଶନ ଟାଟା ପାୱାରର ଅବହେଳା ସ୍ପଷ୍ଟ ଜଣା ପଡୁଥିବାରୁ ଏହି ଘଟଣାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ଏବଂ ଏଥିପାଇଁ ପୀଡିତ ପରିବାରକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଦେବା ପାଇଁ ଆଜି କମିଶନ ରାୟ ପ୍ରକାଶ କରିଛନ୍ତି ।

ଏହାସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଆସନ୍ତା ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ଆହାତ ମୁନ୍ନାଙ୍କୁ ପ୍ରଦାନ କରିବା ସହିତ କ୍ଷତିପୂରଣ ରାଶି ପ୍ରଦାନର ପ୍ରମାଣ ମଧ୍ୟ କମିଶନ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉ କି ଗତ ଫେବୃଆରୀ ମାସରେ ଓଡ଼ିଶା-ମୋ ପରିବାର ସହଯୋଗରେ କୃତ୍ରିମ ହାତ ପାଇଛି ମୁନ୍ନା । ତେବେ ଜାତୀୟ ମାନବ ଅଧିକାର କମିଶନଙ୍କ ଏହି ନିର୍ଦ୍ଦେଶ ପୀଡିତଙ୍କ ପରିବାରକୁ କିଛି ମାତ୍ରାରେ ଆଶ୍ବସ୍ତି ପ୍ରଦାନ କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.