ETV Bharat / state

ଦାବି ଶୁଣିଲେ ସରକାର, ସହରବାସୀଙ୍କ ଶୋଷ ମେଣ୍ଟାଇବ କୁରୁଡ଼କୋଟ ଜଳପ୍ରପାତ

author img

By ETV Bharat Odisha Team

Published : Sep 1, 2023, 9:48 AM IST

ପାନୀୟ ଜଳ ରୂପେ ବ୍ୟବହାର ହେବ କୁରୁଡ଼କୋଟ ଜଳପ୍ରପାତ ଝରଣାର ଜଳ । ସାଢ଼େ ତିନି କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ପାଇବା ସହ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Kurudkut Waterfall
Kurudkut Waterfall

Kurudkut Waterfall

ଦେବଗଡ: ଜିଲ୍ଲାବାସୀଙ୍କ ଦୁଃଖ ଶୁଣିଲେ ରାଜ୍ୟ ସରକାର । ଦୀର୍ଘ ବର୍ଷର ସମସ୍ୟାର ହେବ ସମାଧାନ । ସହରବାସୀଙ୍କ ତୃଷା ମେଣ୍ଟାଇବ କୁରୁଡ଼କୋଟ ଜଳପ୍ରପାତ । ଦେବଗଡ଼ ଗସ୍ତରେ ଆସିଥିବା 5ଟି ସଚିବ ସହରବାସୀଙ୍କ ପାନୀୟଜଳ ଆବଶ୍ୟକତାକୁ ଉପଲବ୍ଧି କରି କୁରୁଡ଼କୋଟ ଠାରେ ସାଢ଼େ 3 କୋଟି ଟଙ୍କାର ଏକ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।

କୁରୁଡ଼କୋଟ ଠାରେ ରାଜାରାଜୁଡା ସମୟରୁ ଥିବା ଏକ ଚେକ ଡ୍ୟାମର ପୁନରୁଦ୍ଧାର କରାଯିବା ସହ ସେଠାରୁ ପାଇପ ଯୋଗେ ଜଳଯୋଗାଣ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହ କୁରୁଡ଼କୋଟକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ନାନ ପାଇଁ ମଧ୍ୟ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ପ୍ରକଳ୍ପ ଦ୍ବାରା ଯେପରି କୁରୁଡ଼କୋଟ ଜଳପ୍ରପାତର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ନହେବ ସେଥିପାଇଁ ଉଭୟ ଜନସ୍ୱାସ୍ଥ୍ୟ ବିଭାଗ ଓ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୁରୁଡ଼କୋଟ ଝରଣା ଜଳକୁ 8 .5 କିଲୋମିଟର ପାଇପ ଯୋଗେ ନୁଆଁବାଲିରୋଇ ଠାରେ ନବନିର୍ମିତ ହାଇଟେକ ମେଡିକାଲକୁ ଯୋଗାଇ ଦିଆଯିବା ସହ ସହରର 6 ନମ୍ବର ୱାର୍ଡ ସମେତ ଅନ୍ୟ କେତେକ ଅଞ୍ଚଳକୁ ମଧ୍ୟ ସୁଚାରୁରୂପେ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାଯାଇଛି । ଏତଦ୍ୱାରା ନବନିର୍ମିତ 300 ଶଯ୍ୟା ବିଶିଷ୍ଟ ହାଇଟେକ ମେଡିକାଲରେ ଜଳ ଆବଶ୍ୟକତା ପୂରଣ ହେବା ସହିତ ସହରବାସୀଙ୍କ ପାନୀୟଜଳ ସଙ୍କଟ କିଛିମାତ୍ରାରେ ଦୂର ହେବ ବୋଲି ସହରବାସୀ ଆଶାବ୍ୟକ୍ତ କରିଛନ୍ତି ।

କୁରୁଡ଼କୋଟ ଜଳ ପ୍ରପାତ ଦେବଗଡ଼ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ । ରାଜାରାଜୁଡା ସମୟରେ ଅର୍ଥାତ 1917 ମସିହାରେ ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ଜଳପ୍ରପାତ ଠାରେ ରାଜ୍ୟରେ ସର୍ବ ପ୍ରଥମ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଥିଲେ । କୁରୁଡ଼କୋଟ ଝରଣାର ଜଳରୁ ଜଳବିଦ୍ୟୁତ ଉତ୍ପାଦନ ହେଉଥିଲା । ମାତ୍ର ରାଜତନ୍ତ୍ରର ବିଲୋପ ପରେ ଏହି ପ୍ରକଳ୍ପଟି ଆଉ ନାହିଁ । ଯେଉଁ ଝରଣାର ଜଳରୁ ଦିନେ ଜଳ ବିଦ୍ୟୁତ ଉତ୍ପାଦନ ହେଉଥିଲା, ଆଜି ସେହି ଜଳ ବୋହିଯାଇ କିଛିଦୂର ପରେ ପାତାଳ ଗାମୀ ହୋଇ ଯାଉଛି । ଫଳରେ ଏହା ଲୋକଙ୍କ ବ୍ୟବହାରରେ ଆସିପାରୁନଥିଲା । ସହରବାସୀଙ୍କୁ ପାନୀୟଜଳ ଯୋଗାଇ ଆସୁଥିବା ପ୍ରଧାନପାଟ ଜଳପ୍ରପାତର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଥିବାରୁ ସହରରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଥିଲା । ତେଣୁ କୁରୁଡ଼କୋଟ ଜଳପ୍ରପାତର ଜଳକୁ ପାନୀୟ ଜଳ ଭାବରେ ବିନିଯୋଗ କରିବା ପାଇଁ ସହରବାସୀ ଓ ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଦୀର୍ଘବର୍ଷ ହେବ ବାରମ୍ବାର ଦାବି ହୋଇ ଆସୁଥିଲା । ବିଳମ୍ବରେ ହେଲେ ମଧ୍ୟ ଲୋକଙ୍କ ଦାବି ଶୁଣିଛନ୍ତି ସରକାର ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.