ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦେବଗଡ ଟାଉନହଲ ପାଖରେ ନିର୍ମାଣ ହେବନି ଭେଣ୍ଡିଂ ଜୋନ

author img

By

Published : Jul 29, 2023, 10:46 AM IST

ଦେବଗଡ଼ ଭେଣ୍ଡିଂ ଜୋନ ବିବାଦ ମାମଲା । ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଦେବଗଡ଼ ଭେଣ୍ଡିଂ ଜୋନ ବିବାଦ ମାମଲା
ଦେବଗଡ଼ ଭେଣ୍ଡିଂ ଜୋନ ବିବାଦ ମାମଲା

ଦେବଗଡ଼: ଦେବଗଡ଼ ଟାଉନହଲ ସାମ୍ନାରେ ଚାଲିଥିବା ଭେଣ୍ଡିଂ ଜୋନ ନିର୍ମାଣ ଉପରେ ରୋକ । ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇ ହାଇକୋର୍ଟ । ପ୍ରବଳ ବିରୋଧାଭାଷ ସତ୍ତ୍ବେ ଟାଉନହଲ ପାଖ ଜନଗହଳିପୂର୍ଣ୍ଣ ରାସ୍ଥାରେ ପୌର କର୍ତ୍ତୃପକ୍ଷ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା । ଏହାକୁ ନେଇ ଉଚ୍ଚ ଅଦାଲତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ମିଳିଛି । ଯାହାକି ସହରବାସୀଙ୍କୁ ବଡ ଆଶ୍ବସ୍ତି ଦେଇଛି ।

ସୂଚନାଯୋଗ୍ୟ ଯେ, ଦେବଗଡ଼ ସ୍ଥିତ ଟାଉନହଲ ଓ ରାଜା ବାସୁଦେବ ହାଇସ୍କୁଲ ହଷ୍ଟେଲ ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ବରେ ପୌର କର୍ତ୍ତୃପକ୍ଷ ଏକ ଭେଣ୍ଡିଂ ଜୋନ ନିର୍ମାଣ କରିଆସୁଥିଲେ । ପୌର କାଉନସିଲର ବୈଠକରେ ଏହା ଅନୁମୋଦିତ ହୋଇନଥିବାରୁ ଏନେଇ ପୌର ପରିଷଦର ଅଧିକାଂଶ କାଉନସିଲର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଉକ୍ତ ସ୍ଥାନଟି ଉପଯୁକ୍ତ ନୁହେଁ ଓ ଏହା ନିର୍ମାଣ ହେଲେ ସହରର ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରି ଏହାକୁ ବିରୋଧ କରିଥିଲେ ସହରବାସୀ । ଏପରିକି ସମ୍ଭାବ୍ୟ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦେବଗଡ଼ ଏସପି ଏବଂ ରାଜା ବାସୁଦେବ ହାଇସ୍କୁଲ ପ୍ରଧାନ ଶିକ୍ଷକ ପୃଥକ ପୃଥକ ଭାବେ ପୌର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଇଟିଭି ଭାରତ ସମେତ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ମଧ୍ୟ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଦେବଗଡ଼ ପୌର ପରିଷଦର ଏକଛତ୍ରବାଦୀ ଶାସନ ! ବିରୋଧ ସତ୍ତ୍ୱେ ପାର୍କିଂ ସ୍ଥଳରେ ଚାଲିଛି ଭେଣ୍ଡିଂ ଜୋନ ନିର୍ମାଣ

ମାତ୍ର ସମ୍ପୃକ୍ତ କର୍ତ୍ତୃପକ୍ଷ କାହା କଥାକୁ ଖାତିର ନକରି ଟାଉନହଲ ପାଖରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ଭେଣ୍ଡିଂ ଜୋନ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ପୌର କର୍ତ୍ତୃପକ୍ଷ ଆଉ କିଛି ଦିନ ପରେ ଏହାର ଉଦଘାଟନ କରିବାକୁ ଯୋଜନା କରୁଥିଲେ । ଇତିମଧ୍ୟରେ ଏହାକୁ ବିରୋଧ କରି ଦେବଗଡ଼ ଜିଲ୍ଲା ନାଗରିକ କମିଟି ସଭାପତି ସୁଶୀଲ କୁମାର କପରଦାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ଏହି ମାମଲାର ବିଚାର କରି ଭେଣ୍ଡିଂ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପୌର କର୍ତ୍ତୃପକ୍ଷ ପାଇଁ ବଡ ଝଟକା ହୋଇଛି ।

ଇଟିଭି ଭାରତ ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.