ETV Bharat / state

ଅବହେଳିତ ପର୍ଯ୍ୟଟନସ୍ଥଳୀ; ବିକାଶ ଅପେକ୍ଷାରେ ଦେଓଝରଣ ଜଳପ୍ରପାତ

author img

By ETV Bharat Odisha Team

Published : Nov 14, 2023, 7:34 AM IST

ଅବହେଳିତ ଦେଓଝରଣ ଜଳପ୍ରପାତ । ବଣ ମଲ୍ଲୀ ବଣରେ ଫୁଟି ମଉଳି ଗଲା ଭଳି ଏହି ଜଳପ୍ରପାତଟି ପ୍ରଶାସନିକ ଅବହେଳା କାରଣରୁ ଏପର୍ଯ୍ୟନ୍ତ ଲୋକଲୋଚନରୁ ଦୂରରେ ରହିଯାଇଛି । ଅଧିକ ପଢ଼ନ୍ତୁ

Deojharan Waterfall
Deojharan Waterfall

Deojharan Waterfall

ଦେବଗଡ଼: ପର୍ଯ୍ୟଟନ ସ୍ଥଳର ଗନ୍ତାଘର ଦେବଗଡ଼ ଜିଲ୍ଲା । ସବୁଜ ବଣ ପାହାଡ଼ ପରିବେଷ୍ଟିତ ଏହି ଜିଲ୍ଲାରେ ରହିଛି ଛୋଟ ବଡ଼ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ । ସେଥିମଧ୍ୟରୁ ଦେଓଝରଣ ଜଳପ୍ରପାତ ଅନ୍ୟତମ । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ସୁନ୍ଦର ଜଳପ୍ରପାତକୁ ପ୍ରକୃତିରାଣୀର ଅନନ୍ୟ ଉପହାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏହା 'ବଣ ମଲ୍ଲୀ ବଣରେ ଫୁଟି ମଉଳି ଯିବା' ଭଳି ଅବସ୍ଥା ହୋଇଛି ।

ଦେବଗଡ଼ ସହର ଠାରୁ ସମ୍ବଲପୁର ଅଭିମୁଖେ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝରଣ ଜଳପ୍ରପାତ । ସବୁଜ ବନାନୀ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଥିବା ଏହି ଜଳପ୍ରପାତର ଶୋଭା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଚିରସ୍ରୋତା ପାହାଡିଆ ଝରଣା କୁଳୁକୁଳୁ ନାଦରେ ପ୍ରସ୍ତରମାଳା ଅତିକ୍ରମ କରି ଭୂପୃଷ୍ଟ ଉପରକୁ ଝରି ପଡୁଥିବା ଓ ସେଠାରେ ସୃଷ୍ଟି ହୋଇଥିବା ଏକ ଅଗଭୀର ଗଣ୍ଡର ନୀଳ ଜଳରାଶିର ଅପୂର୍ବ ଦୃଶ୍ୟ ଦେଖଣାହାରୀଙ୍କୁ ଆମୋଦିତ କରିଥାଏ । ପ୍ରପାତ ଚତୁଃପାର୍ଶ୍ଵକୁ ଘେରି ରହିଥିବା ସବୁଜ ବନାନୀ ଓ ପଶୁପକ୍ଷୀଙ୍କ କଳରାବ ପରିବେଶକୁ ଆହୁରି ଅଧିକ ଆକର୍ଷଣୀୟ କରିଥାଏ ।

ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଏହି ସ୍ଥଳୀକୁ ବଣଭୋଜି କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ବିଶେଷକରି ନୂଆବର୍ଷ ଦିନ ଏହି ପର୍ଯ୍ୟଟନସ୍ଥଳୀଟି ଲୋକାରଣ୍ୟ ହୋଇଥାଏ । ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଯେ, ଏହି ମନୋରମ ପର୍ଯ୍ୟଟନସ୍ଥଳୀଟି ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳକୁ ଆସିପାରିନାହିଁ । ବଣ ମଲ୍ଲୀ ବଣରେ ଫୁଟି ମଉଳି ଗଲା ଭଳି ଏହି ଜଳପ୍ରପାତଟି ପ୍ରଶାସନିକ ଅବହେଳା କାରଣରୁ ଏ ପର୍ଯ୍ୟନ୍ତ ଲୋକଲୋଚନରୁ ଦୂରରେ ରହିଯାଇଛି ।

ଏହାମଧ୍ୟ ପଢ଼ନ୍ତୁ: ଆଲୋକର ପର୍ବରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

ଆଜକୁ ଦୀର୍ଘ 12 ବର୍ଷ ପୂର୍ବରୁ ତିଳେଇବଣି ବ୍ଲକ କର୍ତ୍ତୃପକ୍ଷ ଏହାର ବିକାଶ ପାଇଁ ପଦକ୍ଷେପ ନେଇଥିଲେ । ପ୍ରପାତ ସ୍ଥଳୀରେ ବଣଭୋଜି କରିବା ପାଇଁ କେତୋଟି ପିଣ୍ଡି ନିର୍ମାଣ କରାଯିବା ସହ ପ୍ରପାତ ବୁଲି ଦେଖିବା ପାଇଁ ପାହାଡ଼ ଶୀର୍ଷକୁ ପାହାଚ ନିର୍ମାଣ କରାଯାଇଥିଲା । ଏହା ପରଠାରୁ ପ୍ରଶାସନ ପାଇଁ ସତେ ଯେପରି ଅଲୋଡା ହୋଇ ରହିଯାଇଛି ଏହି ଜଳପ୍ରପାତ । ଦୀର୍ଘ ବର୍ଷ ହେବ ଏହାର ବିକାଶ ଦିଗରେ କୌଣସି ଆନୁସଙ୍ଗିକ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ଏହା ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି ।

ଗତ କିଛି ମାସ ପୂର୍ବରୁ ତତ୍କାଳୀନ 5T ସଚିବ ଦେବଗଡ଼ ଗସ୍ତରେ ଆସିଥିବା ବେଳେ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବ ଏହାର ଗୁରୁତ୍ୱ ଉପଲବ୍ଧି କରି ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ 77 ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଜଣାଯାଏ । ଏହି ଅନୁଦାନ ଅର୍ଥକୁ ଠିକରେ ବିନିଯୋଗ କରାଯାଇ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ କରାଗଲେ ଏହା ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଗଣିତ ହେବ । ତେବେ ସ୍ଥାନୀୟ ପ୍ରଶାସନ ଆଗାମୀ ଦିନରେ ଏହି ମନୋରମ ପର୍ଯ୍ୟଟନସ୍ଥଳୀର କିଭଳି ବିକାଶ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.