ETV Bharat / state

କୋଠା ନିର୍ମାଣରେ ଖର୍ଚ୍ଚ ହେଲାଣି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା: ସ୍କୁଲରେ କେବେ ପାଠ ପଢିବେ ଛାତ୍ରଛାତ୍ରୀ?

author img

By

Published : May 15, 2022, 8:08 PM IST

କେବେ କାର୍ଯ୍ୟକ୍ଷମ ହେବ ରିଆମାଳ ବ୍ଲକ ରେଙ୍ଗାତା ଗାଁ ଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ଅଧିକ ପଢନ୍ତୁ

କୋଠା ନିର୍ମାଣରେ ଖର୍ଚ୍ଚ ହେଲାଣି କୋଟିଏରୁ ଉର୍ଦ୍ଧ ଟଙ୍କା: ସ୍କୁଲରେ କେବେ ପାଠ ପଢିବେ ଛାତ୍ରଛାତ୍ରୀ?
କୋଠା ନିର୍ମାଣରେ ଖର୍ଚ୍ଚ ହେଲାଣି କୋଟିଏରୁ ଉର୍ଦ୍ଧ ଟଙ୍କା: ସ୍କୁଲରେ କେବେ ପାଠ ପଢିବେ ଛାତ୍ରଛାତ୍ରୀ?

ଦେବଗଡ: ଶିକ୍ଷା ଭିତ୍ତିଭୂମିର ବିକାଶ କରିବା ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ଅତ୍ୟାଧୁନିକ ବିଦ୍ୟାଳୟ କୋଠା । ହେଲେ ବର୍ଷ ପରେ ବର୍ଷ ବିତି ଚାଲିଥିଲେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ବିଦ୍ୟାଳୟ । ଫଳରେ ସରକାରୀ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ ପରେ ବି ଶିକ୍ଷାଲାଭ କରିବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଏଭଳି ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ନୂଆଡ଼ିହି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ଚକାଚକ କୋଠା ସାଙ୍ଗକୁ ଭିତରେ ରହିଛି ସ୍ମାର୍ଟ କ୍ଲାସ ରୁମ , ଇ- ଲାଇବ୍ରେରୀ , ସାଇନ୍ସ ଲାବ୍ରୋଟୋରୀ, ଏଲସିଡ଼ି ବୋର୍ଡ଼ ଏମିତି କେତେ କଣ ଅତ୍ୟାଧୁନିକ ଉପକରଣ । ମାତ୍ର ସବୁକିଛି କେବଳ ଲୋକ ଦେଖାଣିଆ । ପରିତାପର ବିଷୟ ଯେ ଏହି ବିଦ୍ୟାଳୟରେ ନାହାନ୍ତି ଜଣେ ହେଲେ ବି ଛାତ୍ରଛାତ୍ରୀ କି ଶିକ୍ଷକ ଶିକ୍ଷୟିତ୍ରୀ ।

କୋଠା ନିର୍ମାଣରେ ଖର୍ଚ୍ଚ ହେଲାଣି କୋଟିଏରୁ ଉର୍ଦ୍ଧ ଟଙ୍କା: ସ୍କୁଲରେ କେବେ ପାଠ ପଢିବେ ଛାତ୍ରଛାତ୍ରୀ?

ଗତ 2016 ମସିହାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆଁଦିହି ପଞ୍ଚାୟତର ରେଙ୍ଗାତା ଗାଁ ଠାରେ ସରକାର ସ୍ଥାପନ କରିଥିଲେ ଏକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ( upgraded high school ) । ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପାଖାପାଖି 57 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ବିଦ୍ୟାଳୟ । ବିଦ୍ୟାଳୟଟି ନିର୍ମାଣ ହେବାପରେ କାର୍ଯ୍ୟକ୍ଷମ ହୋଇ ନ ପାରି କିଛି ବର୍ଷ ପରିତ୍ୟକ୍ତ ଭାବେ ପଡିରହିବା ପରେ ଗତ କିଛିମାସ ପୂର୍ବରୁ 5T ସ୍ମାର୍ଟ ସ୍କୁଲ ଯୋଜନାରେ ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟରେ ଏହାର ଉନ୍ନତିକରଣ କାର୍ଯ୍ୟ ସରିଛି ।

ଶିକ୍ଷା ପାଇଁ ସମସ୍ତ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ମାତ୍ର ବିଡମ୍ବନାର ବିଷୟ ଯେ ,ବିଗତ କିଛିବର୍ଷ ମଧ୍ୟରେ ଏହି ବିଦ୍ୟାଳୟ ନିର୍ମାଣ ଓ ଉନ୍ନତିକରଣ ବାବଦକୁ ସରକାରୀ ରାଜକୋଷରୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇ ସାରିଥିଲେ ସୁଦ୍ଧା ବିଦ୍ୟାଳୟଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେପଟେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ରେଙ୍ଗାତା , ଜନାର୍ଦ୍ଦନପାଲି , କଡମ୍ବଦରହ କଲୋନୀ , ଝରାଗୋଗୁଆ , ସଙ୍କରପୁର , ସୁନାପଶି , ଅନ୍ଧାରି ଖୋଳ ଆଦି ଆଠ ଖଣ୍ଡ ଗାଁର ଶତାଧିକ ଛାତ୍ରଛାତ୍ରୀ ଦୁରଦୁରାନ୍ତ ଅଞ୍ଚଳକୁ ଯାଇ ପାଠ ପଢୁଛନ୍ତି ।

ଅନେକ ଛାତ୍ରଛାତ୍ରୀ ଦୁରଦୁରାନ୍ତକୁ ଯାଇନପାରି ପାଠପଢିବାରୁ ବଞ୍ଚିତ ହେଉଛନ୍ତି । ଏହି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ବାରମ୍ବାର ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତିଳେ ହେଲେ ବି ଆନ୍ତରିକତା ଥିବା ଭଳି ପରିଲକ୍ଷିତ ହେଉନାହିଁ ।

ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଯଦି ଏହି ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି । ତାହେଲେ ଏଠାରେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଗଲା କାହିଁକି ? ଏଥିପାଇଁ କିଏ ଉତ୍ତରଦାୟୀ ରହିବେ ? ଏହା ସରକାରୀ ଅର୍ଥର ଅପବ୍ୟବହାର ନୁହେଁ ତ ଆଉ କଣ ହୋଇପାରେ ? ତାହା ବର୍ତ୍ତମାନ ମସ୍ତବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.