ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁନ୍ତୁରୁଘାଗି ଜଳପ୍ରପାତ, ପ୍ରଶାସନର ଅବହେଳାରୁ ପାଇନି ପରିଚୟ

author img

By ETV Bharat Odisha Team

Published : Dec 2, 2023, 9:21 AM IST

Updated : Dec 2, 2023, 12:57 PM IST

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଦେବଗଡ ଜିଲ୍ଲା । ହେଲେ ଏଭଳି ଅନେକ ସ୍ଥାନ ରହିଛି ଯାହା ପ୍ରଶାସନର କାର୍ଯ୍ୟଦକ୍ଷତା ଅଭାବରୁ ଦୃଷ୍ଟିକୁ ଆସିପାରିନାହିଁ । ସେଭଳି ଏକ ପର୍ଯ୍ୟଟନଲସ୍ଥଳୀ ହେଉଛି ତିଳେଇବଣି ବ୍ଲକର କୁନ୍ତୁରୁଘାଗି ଜଳପ୍ରପାତ । ଅଧିକ ପଢନ୍ତୁ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁନ୍ତୁରୁଘାଗି ଜଳପ୍ରପାତ
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁନ୍ତୁରୁଘାଗି ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁନ୍ତୁରୁଘାଗି ଜଳପ୍ରପାତ

ଦେବଗଡ: ଆସିଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ପିକନିକ ସ୍ପଟକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ । ହେଲେ ଦେବଗଡ଼ ଜିଲ୍ଲାର ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ ରହିଛି, ଯାହାକି ପ୍ରଶାସନିକ ଅବହେଳା କାରଣରୁ ଏପର୍ଯ୍ୟନ୍ତ ଦୃଷ୍ଟିଗୋଟକୁ ଆସିପାରିନାହିଁ । ସେଥିମଧ୍ୟରୁ ତିଳେଇବଣି ବ୍ଲକର କୁନ୍ତୁରୁଘାଗି ଜଳପ୍ରପାତ ଅନ୍ୟତମ ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଫୁଲପଥରଖୋଳ ଗାଁ ନିକଟରେ ରହିଛି କୁନ୍ତୁରୁଘାଗି ଜଳପ୍ରପାତ । ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଯେତିକି ମନୋରମ ଏହାର ପ୍ରାକୃତିକ ପରିବେଶ ସେତିକି ହୃଦୟସ୍ପର୍ଶୀ । ଏକ ସୁଉଚ୍ଚ ପର୍ବତ ଶିଖରରୁ ତିନୋଟି ସ୍ତର ଦେଇ ବୋହି ଆସୁଥିବା ପାହାଡିଆ ଝରଣାର ଜଳସ୍ରୋତ ଶେଷରେ ଗୋଟିଏ ବିଶାଳ ପ୍ରସ୍ତର ଗୁମ୍ଫା ମଧ୍ୟରୁ ଭୂପୃଷ୍ଟ ଉପରେ ପ୍ରବାହିତ ହୋଇଥାଏ । ଏହି ପାହାଡିଆ ଚିରସ୍ରୋତା ଝରଣାର ଅପରୂପ ସୌନ୍ଦର୍ଯ୍ୟ ସହଜେ ଦେଖଣାହାରୀଙ୍କୁ ଆମୋଦିତ କରିଥାଏ । ଏହାର ଚତୁପାର୍ଶ୍ଵ ଘଞ୍ଚ ଅରଣ୍ୟରେ ପରିବେଷ୍ଟିତ ହୋଇଥିବାରୁ ପଶୁପକ୍ଷୀଙ୍କ କଳରାବ ପରିବେଶକୁ ଅଧିକ ଆନନ୍ଦଦାୟକ କରିଥାଏ । ଏହି ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପ୍ରତି ଆକର୍ଷିତ ହୋଇ ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଏଠାକୁ ବଣଭୋଜି କରିବା ପାଇଁ ଜିଲ୍ଲା ତଥା ଆଖପାଖ ଅଞ୍ଚଳରୁ ଦର୍ଶକଙ୍କ ସୁଅ ଛୁଟିଥାଏ ।

ଏହାମଧ୍ୟ ପଢନ୍ତୁ.. ଆରମ୍ଭ ହେଲାଣି ପିକନିକ ଋତୁ, ବୌଦ୍ଧରେ ଦିଗହରା ଅକ୍ସି ଟୁରିଜିମ

କୁନ୍ତୁରୁଘାଗି ଜଳପ୍ରପାତକୁ ରାସ୍ତା: ଏହି ମନୋରମ ପର୍ଯ୍ୟଟନ ସ୍ଥଳୀକୁ ଯିବାକୁ ହେଲେ ଦେବଗଡ଼ ସହରରୁ ଦୂରତା ମାତ୍ର 24 କିଲୋମିଟର । ଦେବଗଡ଼ ସହର ଠାରୁ ସମ୍ବଲପୁର ଅଭିମୁଖେ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ 10 କିଲୋମିଟର ପରେ ପଡିଥାଏ କୈଳାସ ଛକ । ସେହି ଛକରୁ ଡାହାଣ ପାର୍ଶ୍ଵରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ରାସ୍ତାରେ 12 କିଲୋମିଟର ଗଲେ ଫୁଲପଥରଖୋଳ ଗ୍ରାମ । ଫୁଲପଥରଖୋଳ ଗାଁ ଠାରୁ ମାତ୍ର 2 କିଲୋମିଟର ପାଦ ଚଲା ରାସ୍ତାରେ ଅବସ୍ଥିତ ଏହି ମନୋରମ ପର୍ଯ୍ୟଟନ ସ୍ଥଳୀ କୁନ୍ତୁରୁଘାଗି ଜଳପ୍ରପାତ ।

ଅନେକ ସମସ୍ୟା ଘେରରେ ରହିଛି ଏହି ସୌନ୍ଦର୍ଯ୍ୟଭରା ଏହି କୁନ୍ତୁରୁଘାଗି ଜଳପ୍ରପାତ । ଫୁଲପଥରଖୋଳ ଠାରୁ ଏହି ପର୍ଯ୍ୟଟନ ସ୍ଥଳୀକୁ ଖଣ୍ଡିଏ ନିତିଦିନିଆ ରାସ୍ତା ନାହିଁ । ଫଳରେ ଏଠାକୁ ବିଶେଷ ଯାନବାହନ ଯାତାୟତ କରିନଥାଏ । ଯେଉଁଥିପାଇଁ ଏହି ପର୍ଯ୍ୟଟନ ସ୍ଥଳୀଟି ଏପର୍ଯ୍ୟନ୍ତ ବିଶେଷଭାବେ ଲୋକଲୋଚନକୁ ଆସିପାରିନାହିଁ । ତେବେ ଏହି ଜଳପ୍ରପାତକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ଏଠାରେ ପର୍ଯ୍ୟଟକଙ୍କ ପାଇଁ ରାସ୍ତାଘାଟ ଓ ଅନ୍ୟାନ୍ୟା ସୁବିଧା କରିବା ପାଇଁ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକମାନେ ଦାବି କରି ଆସୁଥିଲେ ବି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ବଣ ମଲ୍ଲୀ ବଣରେ ଫୁଟି ମଉଳି ଯିବା ସଦୃଶ୍ୟ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି କୁନ୍ତୁରୁଘାଗି ଜଳପ୍ରପାତ ।

ଈଟିଭି ଭାରତ ଦେବଗଡ଼

Last Updated : Dec 2, 2023, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.