ETV Bharat / state

ନାଳ ଗର୍ଭରେ ଲୀନ ହେଉଛି ଚାଷଜମି, ଚିନ୍ତାରେ ଚାଷୀକୂଳ

author img

By

Published : Jun 16, 2023, 12:44 PM IST

ଚାଷୀଙ୍କ ଉପରେ ଦାଉ ସାଧିଛି ନାଳ । ଏକର ଏକର ଚାଷଜମି ନାଳ ଗର୍ଭରେ ଲୀନ ହୋଇଯାଉଛି । ଉଜୁଡି ଯାଉଛି ଚାଷକାର୍ଯ୍ୟ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ନୂଆଭୂଇଁ ଗ୍ରାମରେ ଦେଖିବାକୁ ମିଳିଛି ଏହି ସମସ୍ୟା । ଅଧିକ ପଢନ୍ତୁ

ନାଳ ଗର୍ଭରେ ଲୀନ ହେଉଛି ଚାଷଜମି
ନାଳ ଗର୍ଭରେ ଲୀନ ହେଉଛି ଚାଷଜମି

ନାଳ ଗର୍ଭରେ ଲୀନ ହେଉଛି ଚାଷଜମି

ଦେବଗଡ଼: ନାଳ ଗର୍ଭରେ ଲୀନ ହେବାକୁ ବସିଛି ଏକର ଏକର ଉର୍ବର ଚାଷଜମି । ଦିନକୁ ଦିନ ନାଳ ଅଧିକ ପ୍ରଶସ୍ତ ହେଉଛି । ଏହାରି ସହ ପାଖରେ ଥିବା ଚାଷଜମି ଗୁଡିକ ଉଜୁଡି ଯାଉଛି । ଗୁଜୁରାଣ ମେଣ୍ଟାଇବା ପାଇଁ ଚାଷୀ ମୁଖ୍ୟତଃ ଚାଷକାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଜମି ସବୁ ନଷ୍ଟ ହେବାର ଦେଖି ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ନୂଆଭୂଇଁ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଏହାର ପ୍ରତିକାର ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ନୂଆଭୂଇଁ ଗାଁରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ଚାଷୀ ପରିବାର । ସମସ୍ତ ପରିବାର ମୁଖ୍ୟତଃ କୃଷିକାର୍ଯ୍ୟ ଉପରେ ନିର୍ଭରଶୀଳ । ଖରିଫ ପରେ ରବି ଜାତୀୟ ଫସଲ ଏବଂ ପନିପରିବା ଚାଷ କରି ଆସୁଛନ୍ତି । ବର୍ଷ ବର୍ଷ ହେଲା ଚାଷ କାର୍ଯ୍ୟ କରି ଗ୍ରାମର ସମସ୍ତ ପରିବାର ବାର୍ଷିକ ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଗ୍ରାମର ଚାଷୀକୁଳଙ୍କୁ ଦାଉ ସାଧୁଛି ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ । ବିଗତ କିଛିବର୍ଷ ହେଲା ଏହି ନାଳରେ ବନ୍ୟା ଆସିବା ଫଳରେ ଏହାର ଗତିପଥ ପରିବର୍ତ୍ତତ ହେବା ସହ ଅଧିକ ପ୍ରଶସ୍ତ ହେବାରେ ଲାଗିଛି । ଏହି କାରଣରୁ ନାଳ ତଟରେ ଥିବା ଅଧିକାଂଶ ଚାଷଜମି କ୍ଷତିଗ୍ରସ୍ତ ହେଉଛି ।

ବିଗତ କିଛିବର୍ଷ ମଧ୍ୟରେ ପ୍ରାୟ 60 ଏକରରୁ ଅଧିକ ଉର୍ବର ଚାଷଜମି ନାଳ ଗର୍ଭରେ ଲୀନ ହୋଇ ସାରିଲାଣି । ଆଗାମୀ ଦିନରେ ପାଖାପାଖି 100 ଏକରରୁ ଅଧିକ ଜମି ଲୀନ ହୋଇଯିବାର ଆଶଙ୍କା ରହିଛି । ନାଳ ପାଣି ଚାଷଜମିକୁ ମାଡି ଆସିବା ଯୋଗୁଁ ଜମି ବାଲିଚର ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । ଫଳରେ ଏଥିରେ ଗ୍ରାମର ଚାଷୀକୁଳ ଯଥେଷ୍ଟ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଜମି ହରାଉଥିବା ଅନେକ ଚାଷୀ ଚାଷ କରିନପାରି ହାତବାନ୍ଧି ବସିଛନ୍ତି । ଏହି ସମସ୍ୟା ନୂଆ ଭୂଇଁ ଗ୍ରାମର ଚାଷୀକୂଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଏହାର ପ୍ରତିକାର ସ୍ୱରୂପ ନାଳର ଉଭୟ ପାର୍ଶ୍ୱରେ ଏକ ରିଟର୍ଣ୍ଣିଂ ୱାଲ ଦିଆଯାଇ ଚାଷଜମିକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଆଜକୁ ଅନେକ ବର୍ଷ ହେଲା ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଆସୁଛନ୍ତି । ତିଳେଇବଣି ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ହେଲେ ପରିତାପର ବିଷୟ ଯେ, ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଏନେଇ ଚାଷୀକୂଳଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

କୃଷି ଓ କୃଷକଙ୍କ ଉନ୍ନତି ତଥା ବିଶେଷକରି ବନ୍ୟା ନିୟନ୍ତ୍ରଣ ପାଇଁ ସରକାର କେତେ କ'ଣ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଗ୍ରାମର ଚାଷୀକୂଳ ଜମି ହରାଇ ରୋଜଗାର ହେବାର ଆଶଙ୍କା ପ୍ରକାଶ ପାଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.