ETV Bharat / state

ମହଙ୍ଗା ପଡିଲା ବିବାହ ଭୋଜି, କନ୍ୟାପିତା ଗଣିଲେ 1 ଲକ୍ଷ ଫାଇନ

author img

By

Published : May 19, 2021, 9:58 PM IST

ମହଙ୍ଗା ପଡିଲା ବିବାହ ଭୋଜି । ଚଢାଉ କଲା ପୋଲିସ । 1 ଲକ୍ଷ ଟଙ୍କାର ଜୋରିମାନା ଗଣିଲେ କନ୍ୟାପିତା । ଅଧିକ ପଢନ୍ତୁ....

ମହଙ୍ଗା ପଡିଲା ବିବାହ ଭୋଜି , କନ୍ୟାପିତା ଗଣିଲେ ଏକଲକ୍ଷ ଫାଇନ
ମହଙ୍ଗା ପଡିଲା ବିବାହ ଭୋଜି , କନ୍ୟାପିତା ଗଣିଲେ ଏକଲକ୍ଷ ଫାଇନ

ଦେବଗଡ଼ : ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ସଂଖ୍ୟାଧିକ ଅତିଥିଙ୍କୁ ଆମନ୍ତ୍ରିତ କରିବା ଓ ବାହାଘର ଭୋଜି ଆୟୋଜନ କରିଥିବା ଜଣେ କନ୍ୟାପିତାଙ୍କୁ ମହଙ୍ଗା ପଡିଛି । ଏଥିପାଇଁ କନ୍ୟାପିତାଙ୍କ ଠାରୁ ଦେବଗଡ଼ ପୋଲିସ ଏକଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ଟ୍ୟାକ୍ସ କଲେକ୍ଟର ସୂର୍ଯ୍ୟ କୁମାର ସାହୁ ତାଙ୍କ ଝିଅର ବିବାହ ତାରିଖ ଧାର୍ଯ୍ୟ କରିଥିଲେ। ବିବାହ ପୂର୍ବରୁ ନିୟମ ଅନୁଯାୟୀ ଥାନାରୁ ୫୦ଜଣ ଲୋକଙ୍କୁ ବିବାହରେ ସାମିଲ ପାଇଁ ଅନୁମତି ଆଣିବା ସହ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କ ନାମ ତାଲିକା ବିବାହ ମଣ୍ଡପରେ ଝୁଲାଇବା ପାଇଁ ପୁଲିସକୁ ଲିଖିତ ସମ୍ମତି ଜଣାଇଥିଲେ। ମାତ୍ର ଆଜି ବିବାହ ପୂର୍ବରୁ ସୂର୍ଯ୍ୟ ଘରେ 200ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିବା ସହ ବିବାହ ମଣ୍ଡପରେ ସାମିଲ ବ୍ୟକ୍ତିଙ୍କ ନାମ ତାଲିକା ମଧ୍ୟ ଝୁଲାଇନଥିଲେ।

ଏନେଇ ଦେବଗଡ଼ ଥାନା ପୁଲିସକୁ ସୂଚନା ମିଳିବା ପରେ ଆଜି ଅପରାହ୍ନରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ପ୍ରତାପ ଦଳେଇ ଟିମ ସହ ଉକ୍ତ ସ୍ଥାନରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚବେଳେ ସୂର୍ଯ୍ୟ କୋଭିଡ ଗାଇଡ଼ଲାଇନ ଉଲଙ୍ଘନ କରି 200 ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଭୋଜି ଆୟୋଜନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା ନକରି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା । ଏହା ସହ ପୂର୍ବରୁ ପୁଲିସ ପକ୍ଷରୁ ପାଳନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିନଥିବା ମଧ୍ୟ ଦେଖିବାକୁ ପାଇଥିଲେ।

ଫଳରେ ପୋଲିସ ରନ୍ଧା ଖାଦ୍ୟ ଜବତ କରିବା ସହ କୋଭିଡ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଏକ ମାମଲା ରୁଜୁ କରିବା ସହ ଅମାନିଆ କନ୍ୟାପିତାଙ୍କ ଠାରୁ 1 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଥିବା ପୋଲିସ ସୁତ୍ରରୁ ଜଣାଯାଇଛି ।ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ଯେ, ରାଜ୍ଯରେ ଲକଡାଉନ ଅବଧି ଜୁନ ପହିଲାକୁ ବୃଦ୍ଧି ହୋଇଥିବା ବେଳେ ବିବାହ କାର୍ଯ୍ୟ ପାଇଁ ମାତ୍ର 25 ଜଣଙ୍କୁ ଅମୁମତି ମିଳିଛି ।

ଦେବଗଡ଼ରୁ ସରୋଜ ଶତପଥି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.