ETV Bharat / state

ବୁଣାକାରଙ୍କୁ ଆର୍ଥିକ ସ୍ବାବଲମ୍ବୀରେ ସହାୟକ ହୋଇଛି ବୁଣାକାର ବଜାର

author img

By

Published : Apr 3, 2023, 1:47 PM IST

ବୟନ ଶିଳ୍ପ ଦେଇଛି ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ । ଜିଲ୍ଲାର ହଜାର ହଜାର ବୁଣାକାର ପରିବାର ନିଜର କୌଳିକ ବୃତ୍ତିକୁ ଜାରି ରଖିବା ସହିତ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରୁଛନ୍ତି । ଜିଲ୍ଲାରେ ଏଥିପାଇଁ ପ୍ରତିଷ୍ଠା ହୋଇଛି ସାପ୍ତାହିକ ବୁଣାକାର ବଜାର ।

weekly handloom market
weekly handloom market

weekly handloom market

ବୌଦ୍ଧ: ବୟନ ଶିଳ୍ପ ଓ ବୁଣାକାର ହାଟ ଦେଇଛି ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ । ଶହ ଶହ ବର୍ଷର ପାରମ୍ପରିକ ହସ୍ତଶିଳ୍ପକୁ ମିଳିଛି ସ୍ବତନ୍ତ୍ର ବଜାର । ଫଳରେ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର ବୁଣାକାର ଓ ବ୍ୟବସାୟୀଙ୍କ ପାଇଁ ପ୍ରତ୍ୟେକ ରବିବାର ଆଉ ଛୁଟି ଦିବସ ନୁହେଁ, ସେମାନଙ୍କ ପାଇଁ ଭଲ ବ୍ୟବସାୟର ଦିନ ହୋଇଛି । ତେବେ ବର୍ତ୍ତମାନ ଏହି ସାପ୍ତାହିକ ବୁଣାକାର ବଜାରକୁ ଅଧିକ ଲୋକାଭିମୁଖୀ ତଥା ଗ୍ରାହକଙ୍କୁ ଆକର୍ଷିତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ହସ୍ତଶିଳ୍ପ କ୍ଷେତ୍ରରେ ବୟନଶିଳ୍ପର ସ୍ଥାନ ସର୍ବାଗ୍ରେ ରହି ଆସିଛି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକେ ଏହି ବୟନ କାରିଗରୀ ସହିତ ଜଡ଼ିତ ରହିଥିବା ବେଳେ ଅନେକ ଲୁପ୍ତ ପ୍ରାୟ ହସ୍ତକଳାକୁ ଏମାନେ ବଞ୍ଚାଇ ରଖିଛନ୍ତି । ଏଭଳି ପାରମ୍ପରିକ ବୁଣାକାରମାନଙ୍କ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ତଥା ବଜାର ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାର ଦ୍ବିତୀୟ ବୃହତ ସାପ୍ତାହିକ ବୁଣାକାର ବଜାର ବୌଦ୍ଧ ଠାରେ ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ମର୍ଜାକୁଦ ସେତୁ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ପ୍ରତ୍ୟେକ ରବିବାର ଏହି ବୁଣାକାର ବଜାର ଏକ ମେଳାର ଭ୍ରମ ସୃଷ୍ଟି କରୁଛି ।

ପ୍ରତ୍ୟେକ ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୁଣାକାରମାନଙ୍କ ସମେତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, କନ୍ଧମାଳ ଭଳି ଅନେକ ଜିଲ୍ଲାର ବୁଣାକାର ଓ ବ୍ୟବସାୟୀଙ୍କ ପ୍ରଥମ ପସନ୍ଦ ସ୍ଥାନ ହେଉଛି ଏହି ସାପ୍ତାହିକ ବୁଣାକାର ବଜାର । ଏଠାରେ ବଉଦିଆ ବାପ୍ତା ସହିତ ମନମୁଣ୍ଡିଆ ଓ ମର୍ଜାକୁଦିଆ ଗାମୁଛା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରର ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଉତ୍କୃଷ୍ଟ ସାମଗ୍ରୀ ବେଶ ମନଲୋଭା ତଥା ଗ୍ରାହକଙ୍କୁ ଆକୃଷ୍ଟ କରିପାରୁଛି ।

ବିଶେଷ ଭାବରେ ପାରମ୍ପରିକ ରଙ୍ଗ ଓ ସୂତାରୁ ପ୍ରସ୍ତୁତ ଏହି ବୟନ ସାମଗ୍ରୀ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାରେ ପ୍ରାୟ ସମସ୍ତ ବର୍ଗର ଲୁଗାପଟା ଉପଲବ୍ଧ ହୋଇପାରୁଛି । ପ୍ରତ୍ୟେକ ରବିବାର ବସୁଥିବା ଏହି ବୁଣାକାର ହାଟ ଉଭୟ ବ୍ୟବସାୟୀ ଓ ବୁଣାକାରମାନଙ୍କ ପ୍ରଥମ ପସନ୍ଦ ସ୍ଥାନ ହୋଇଥିବା ବେଳେ ବୁଣାକାର ମାନଙ୍କ ପାଇଁ ଏହା ଉପଯୁକ୍ତ ବଜାର ଯୋଗାଇ ଦେଇପାରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବସବାସ କରୁଥିବା ହଜାର ହଜାର ଭୁଲିଆ ନାମକ ବୁଣାକାର ସଂପ୍ରଦାୟର ପରିବାର ବର୍ତ୍ତମାନ ଏଭଳି ସାପ୍ତାହିକ ବଜାର ଦ୍ବାରା ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ।

ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଏଭଳି ଏକ ବୃହତ ବୁଣାକାର ହାଟ ଖୋଲାଯାଇ ଥିବାରୁ ପାରମ୍ପରିକ ବୁଣାକାର କାରିଗରଙ୍କୁ ପରୋକ୍ଷରେ ବେଶ ସହାୟକ ହୋଇ ପାରିଛି । ତେବେ ଏହାର ଅଧିକ ବିକାଶ ତଥା ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ସୌଭାଗ୍ୟ ବଶତଃ ବୌଦ୍ଧ ଜିଲ୍ଲାର ଜଣେ ଯୁବ ନେତା ଯେ କି ବୟନ ଶିଳ୍ପ ସହିତ ପୂର୍ବରୁ ଜଡ଼ିତ ଥିଲେ ସେ ବର୍ତ୍ତମାନ ରାଜ୍ୟ ବୟନିକାର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରବିବାର ରାଜ୍ୟ ସରକାରଙ୍କ ବୟନ ପରାମର୍ଶଦାତା ସୌଭାଗ୍ୟ ରଞ୍ଜନ ନାଏକ ଓ ବୟନିକାର ନୂତନ ସଭାପତି ପ୍ରକାଶ ମେହେରଙ୍କ ଉପସ୍ଥିତି ରେ ବୌଦ୍ଧ ଜିଲ୍ଲା ପ୍ରଶାସନ ବୁଣାକାର ଓ ବ୍ୟବସାୟୀଙ୍କୁ ନେଇ ସାପ୍ତାହିକ ବୁଣାକାର ବଜାରକୁ ଅଧିକ ଆକର୍ଷିତ ତଥା ଲୋକାଭିମୁଖୀ ପାଇଁ ଆଲୋଚନା କରାଯାଇଥିଲା ।

ତେବେ ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ତନ୍ତୁଵାୟ ସମିତି ବର୍ତ୍ତମାନ ଅକାମୀ ହୋଇପଡି ରହିଥିବା ବେଳେ ବୁଣାକାର ମାନଙ୍କୁ ବୌଦ୍ଧ ଠାରେ ଲୁଗାବୁଣା ସୂତା ଯୋଗାଇ ଦେବାକୁ ଦାବି ହୋଇଛି । ଏହାଛଡା ବୌଦ୍ଧ ଜିଲ୍ଲାରେ ବୟନିକାର ଏକ ବିକ୍ରୟ କେନ୍ଦ୍ର ଖୋଲାଯିବାକୁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.