ETV Bharat / state

ଆଦର୍ଶ ଗାଁ ଶ୍ମଶାନକୁ ନାହିଁ ରାସ୍ତା, ପ୍ରତିବାଦରେ ରାସ୍ତାରେ ଅନ୍ତିମ ସଂସ୍କାର ଉଦ୍ୟମ

author img

By ETV Bharat Odisha Team

Published : Sep 11, 2023, 9:45 PM IST

ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ତେଜିଲା ପ୍ରତିବାଦ। ରାସ୍ତା ଉପରେ ମୃତଦେହ ରଖି ପୋଡିବା ପାଇଁ ଉଦ୍ୟମ କରିଛନ୍ତି ଅଞ୍ଚଳବାସୀ ।‌ ଅଧିକ ପଢନ୍ତୁ

ରାସ୍ତାରେ ଅନ୍ତିମ ସଂସ୍କାର ଉଦ୍ୟମ
ରାସ୍ତାରେ ଅନ୍ତିମ ସଂସ୍କାର ଉଦ୍ୟମ

ଆଦର୍ଶ ଗାଁ ଶ୍ମଶାନକୁ ନାହିଁ ରାସ୍ତା

ନିଆଳି: ଆଦର୍ଶ ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ମୃତଦେହ ରାସ୍ତା ଉପରେ ରଖି ପ୍ରତିବାଦ କଲେ ସ୍ଥାନୀୟଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ତଥା ଗୋବିନ୍ଦପୁର ଥାନା ଆଦର୍ଶ ଗାଁ ବାଲିପଡା ଅଞ୍ଚଳରେ। ଖବର ପାଇ କଣ୍ଟାପଡ଼ା ବ୍ଲକ ବିଡିଓ ସାଗର ପାଲ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି। ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତ ଅଧୀନରେ ରହିଛି ଆଦର୍ଶ ଗାଁ ବାଲିପଡା । ବାଲିପଡା ଗାଁ ନିକଟରେ ରହିଛି ଏକ ଶ୍ମଶାନ। ଶ୍ମଶାନକୁ ଯିବା ପାଇଁ ବଡ଼ ବଡ଼ ଖାଲ ଥିବାବେଳେ ଶ୍ମଶାନ ଛାତ ନିର୍ମାଣ ହୋଇନଥିବାରୁ ବର୍ଷା ଦିନରେ ମୃତଦେହ ସତ୍କାରରେ ବାଧା ଉପୁଜିଥାଏ । ଏହିପରିଭାବେ ଦୀର୍ଗ ଦିନ ଧରି ମୃତଦେହ ପୋଡ଼ିବା ଏବଂ ଶ୍ମଶାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକମାନେ। ଏନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଗୋବିନ୍ଦପୁର ପଞ୍ଚାୟତ, କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ବାଲିପଡା ଶ୍ମଶାନର ସମସ୍ୟା ସମଧାନ ଦିଗରେ କୋୖଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଏହା ବି ପଢନ୍ତୁ...ଶେଷଯାତ୍ରା ପାଇଁ ଶ୍ମଶାନ ଅପହଞ୍ଚ, ଭରା ନଈରେ ମୃତଦେହ ବୋହିଲେ ଲୋକେ

ସେପଟେ ବାଲିପଡା ଗାଁର ନୟନା ମଲ୍ଲିକ ନାମକ ଜଣେ ବୃଦ୍ଧାଙ୍କର ଆଜି ମୃତ୍ୟୁ ଘଟିଥିଲା। ଶ୍ମଶାନକୁ ଯିବା ପାଇଁ ଅଣ୍ଟାଏ ଖାଲ ସାଙ୍ଗକୁ ପାଣି ଜମି ରହି ଥିବାରୁ ସ୍ଥାନୀୟ ଲୋକମାନେ ଗୋବିନ୍ଦପୁର ଫୁଲନଖରା ରାସ୍ତାର ବାଲିପଡ ଠାରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଏହାସହ ରାସ୍ତା ଉପରେ ହିଁ ମୃତଦେହ ପୋଡିବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ କଣ୍ଟାପଡ଼ା ବ୍ଲକ ବିଡିଓ ସାଗର ପାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଆସନ୍ତା 7 ଦିନ ମଧ୍ୟରେ ଆଦର୍ଶ ଗାଁ ବାଲିପଡା ଶ୍ମଶାନକୁ ପକ୍କା ରାସ୍ତା ଓ ଶ୍ମଶାନ ଛାତ ପକାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ଏହାପରେ ମୃତଦେହକୁ ନେଇ ଉକ୍ତ ଶ୍ମଶାନରେ ଦାହ କରିଥିବା ଜଣାପଡ଼ିଛି। ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ତେବେ ସ୍ଥାନୀୟ ଲୋକଙ୍କର ଏଭଳି ପ୍ରତିବାଦ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ବିଂଶ ଶତାବ୍ଦୀ ପରେ ବି ଗାଁ ଗହଳିରେ ଅନେକ ସମସ୍ୟା ରହିଥିବା ନଜର ଆସୁଛି।


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.