ETV Bharat / state

କଂଗ୍ରେସର ହାତ ଛାଡିଦେବେ କି ମୋକିମ, ଦଳରେ ଚାଲିଛି ଏମିତି ଚର୍ଚ୍ଚା

author img

By

Published : Apr 2, 2023, 12:08 PM IST

ଦଳ ଛାଡିବେ କି ମୋକିମ ? ଦଳରେ ବଢୁଛି କି ଅନ୍ତର୍ଦ୍ୱନ୍ଦ । ପାର୍ଟିରେ ଅନେକ କାର୍ଯ୍ୟକ୍ରମରେ ଯୋଗ ନଦେବା ଓ ପରେ ଅନ୍ୟ ଦଳର କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଉଛନ୍ତି ମୋକିମ । ସେ ଦଳରେ ଅଛନ୍ତି ନା ନାହାନ୍ତି କାହାକୁ ଜଣାନଥିବା କହିଲେ ନଗର କଂଗ୍ରେସ ସଭାପତି । ଅଧିକ ପଢନ୍ତୁ

cuttack congress president
cuttack congress president

cuttack congress president

କଟକ: ପୁଣି ପଦାରେ ପଡିଲା କଂଗ୍ରେସର ଅନ୍ତଃକନ୍ଦଳ । ମହମ୍ମଦ ମୋକିମ ଦଳରେ ଅଛନ୍ତି ନା ନାହାନ୍ତି ସମସ୍ତଙ୍କୁ ଅଗୋଚର ଥିବା କହିଲେ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । କଂଗ୍ରେସର ଅନେକ କାର୍ଯ୍ୟକ୍ରମରେ ଯୋଗ ନଦେଇ ବିଜେଡି ଓ ବିଜେପିର କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେବା ପରେ ମୋକିମ ହାତ ଛାଡିବା ନେଇ ଚର୍ଚ୍ଚା ହେଉଛି ।

ଏନେଇ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର କହିଛନ୍ତି କି, ''ମୋକିମ କଂଗ୍ରେସରେ ଅଛନ୍ତି ନାଁ ନାହାନ୍ତି ତାହା ମଧ୍ୟ ସ୍ପଷ୍ଟ ନାହିଁ । ଯେବେ ସେ ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ଦଳକୁ ଭୋଟ ଦେଲେ ତାହା ପରଠୁ ତାଙ୍କ ଗତି କଣ ତାହା କାହାକୁ ଜଣା ନାହିଁ । ତାଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ବି ଜାରି କରାଯାଇଥିଲା । ବର୍ତ୍ତମାନ ସେ ଦଳରେ ଅଛନ୍ତି ନାଁ ନାହାନ୍ତି ତାହା ସମସ୍ତଙ୍କୁ ଅଗୋଚର । ପୂର୍ବରୁ ତାଙ୍କୁ କଟକରେ ଯେବେ ନଗର କଂଗ୍ରେସର ନୂଆ ସଭାପତି ଚୟନ ହେଲା ଓ ଅନେକ କାର୍ଯ୍ୟକ୍ରମକୁ ଡକାଗଲା ସେ ଆସିଲେନି ।''

''ସେଥିପାଇଁ ତାଙ୍କୁ ଏବେ କୌଣସି କାର୍ଯ୍ୟକ୍ରମକୁ ଡ଼କାଯାଉନାହିଁ । ଯଦି ମୋକିମ 2024 ପୂର୍ବରୁ ଦଳରୁ ଯାଉଛନ୍ତି ତେବେ ଦଳ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବନି ବୋଲି ପରୋକ୍ଷରେ କହିଛନ୍ତି ସୁରେଶ ମହାପାତ୍ର । ଲୋକଙ୍କ ସହ ଅଛି କଂଗ୍ରେସ । ଯଦି ସେ ଯିବେ ତେବେ ଯାଆନ୍ତୁ । ଦଳ ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହଁ ବୋଲି ତେରେଚ୍ଛା ବାଣ ମାରିଛନ୍ତି ସୁରେଶ ।''

ଅନ୍ୟପଟେ ଏହି ବଡ଼ ପ୍ରଶ୍ନର ସମାଧାନ କେବେ ହେବ ସେନେଇ ଚାରି ଆଡ଼େ ଏକ ପ୍ରକାର ପର୍ଯ୍ୟାଲୋଚନା ଜାରି ରହିଛି । ବିଗତ ଦିନରେ ମୋକିମ ଏହି ପ୍ରଶ୍ନକୁ ଅଗ୍ରାହ୍ୟ କରିଥିଲେ । ସେ କହିଥିଲେ ଦଳରେ ଅଛନ୍ତି ଓ ଦଳ ପାଇଁ କାର୍ଯ୍ୟ କରିବେ । ତେବେ ରାଜନୈତିକ ଉଷ୍ମ ପାଣିପାଗ ମଧ୍ୟରେ ବିଧାୟକ ମୋକିମ ବର୍ତ୍ତମାନ କେଉଁ ନିଷ୍ପତ୍ତି ନେବେ ସେନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

2019 ସାଧାରଣ ନିର୍ବାଚନରେ ବିଜେଡି ଗଡ଼ ବାରବାଟୀରେ ବିଜୟ ଲାଭ କରିଥିଲେ ମହମ୍ମଦ ମୋକିମ । ବିପକ୍ଷ ହେବିୱେଟ ଦେବାଶିଷ ସାମନ୍ତରାୟଙ୍କୁ ପରାଜୟର ରାସ୍ତା ଦେଖାଇ ବାରବାଟୀ ହାତେଇଥିଲେ ମୋକିମ । ଯଦି 2024 ପୂର୍ବ ସେ କଂଗ୍ରେସ ଛାଡନ୍ତି ତେବେ ନଗର କଂଗ୍ରେସ ପାଇଁ ଏହା ଏକ ଶକ୍ତ ଝଟକା ହେବନି ତ ? ଏହି ପ୍ରଶ୍ନ ଏବେ ଚାରିଆଡେ ଗୁଞ୍ଜରିତ ହେଉଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.