ETV Bharat / state

କଲବଲ କରୁଛି ବିଜୁଳି କାଟ, ଟାଟା କମ୍ପାନୀ ଉପରେ ଅସନ୍ତୋଷ ଝାଡିଲେ ଉପଭୋକ୍ତା

author img

By

Published : Jun 14, 2023, 9:47 AM IST

ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ । ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଟାଟା କମ୍ପାନୀ ଉପରେ ଅସନ୍ତୋଷ ପ୍ରକାଶ କଲେ ବିଦ୍ୟୁତ ଉପଭୋକ୍ତା । ଅଧିକ ପଢ଼ନ୍ତୁ

power outages in Niali
ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ନିଆଳି: ଗତ କିଛି ଦିନ କଟକ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଗ୍ରୀଷ୍ମ ପ୍ରଭାବ ତାତି ଠାରୁ ବିଦ୍ୟୁତ୍‌ ବିଭ୍ରାଟ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଖରା ବଢିଲେ ଟେନସନ ଦେଉଚି ଟାଟା କମ୍ପାନୀ ଲାଇନ । ଆଉ ଘନଘନ ହେଉଛି ବିଦ୍ୟୁତ କାଟ । ଟାଇଁଟାଇଁ ଖରାରେ ସାଧାରଣ ବିଦ୍ୟୁତ ଉପଭୋକ୍ତା ହନ୍ତସନ୍ତ ହୋଇଥାନ୍ତି ।‌ ଗତ କିଛି ଦିନ ହେବ ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରେ ଟାଟା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବା ବିଦ୍ୟୁତ ଲୋକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରୁଛି । ବିନା କାରଣରେ ଦିନ ଦ୍ବିପ୍ରହରରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ପ୍ରାୟ ଏକ ମାସ ହେବ ଅପରାହ୍ନ ସମୟରେ କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ କରାଯାଉଛି । ମାତ୍ର ରାତି ସୁଦ୍ଧା ବିଦ୍ୟୁତ ଆସିବାରେ ନାଁ ଧରୁନି । ଗୋଟିଏ ପଟେ ଅସହ୍ୟ ଗରମ ଅନ୍ୟପଟେ ବିଦ୍ୟୁତ୍‌ କାଟ ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଆଳି, ଅଡଶପୁର, କଣ୍ଟାପଡ଼ା, ଗୋବିନ୍ଦପୁର ଓ ସିଠଳୋ ଭଳି ବଜାର ଅଞ୍ଚଳରେ ମଧ୍ୟ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ହୋଇଛି । ଏଣେ ଏହି ବିଦ୍ୟୁତ ବିଭ୍ରାଟର ଫାଇଦା ନେଉଛନ୍ତି ବିଭିନ୍ନ ସୌର ଶକ୍ତି ଏବଂ ଇନଭୋଟର ଓ ଜେନେଟର କମ୍ପାନୀ । ପ୍ରବଳ ଗରମ ଯୋଗୁଁ ଇନଭୋଟର ଓ ଜେନେଟର ଭଳି ବିଭିନ୍ନ କମ୍ପାନୀ ଚଢା ଦରରେ ବିକ୍ରି କରି ସାଧାରଣ ଜନତାଙ୍କୁ ଲୁଟ କରିଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ, ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ନିଆଳି ବିଦ୍ୟୁତ୍‌ ସେକ୍ସନ ସହକାରୀ ଅଧିକାରୀ ସନ୍ତୋଷ କୁମାର ଖୁଣ୍ଟିଆଙ୍କ ପ୍ରତିକ୍ରିୟା ପାଇଁ ଚାହିଁଥିଲେ ସୁଦ୍ଧା କ୍ୟାମେରା ସମ୍ମୁଖରେ କିଛି କହିବେ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଛନ୍ତି । ଅଧିକାରୀଙ୍କ କହିବା କଥା, "ନଡିଆ ଗୋରଡି ଗ୍ରୀଡ ସବଷ୍ଟେସନରୁ ୧୩୨/୩୩ କେଭି ବିଦ୍ୟୁତ ଲାଇନ ପ୍ରଥମେ ଅଡଶପୁର ଓ ତା'ପରେ ନିଆଳି ଏବଂ କପାସି ଦେଇ ଯାଇଛି । ଗ୍ରୀଷ୍ମ ଦିନରେ ଓଭର ଲୋଡ ଏବଂ କାଳବୈଶାଖୀ ସମୟରେ ଘଡଘଡି ହେବା ଯୋଗୁଁ ଲାଇନ କଟିଥାଏ । ନଚେତ ଏହି ସମୟରେ ଯଦି ବିଦ୍ୟୁତ୍‌ ଲାଇନ ବିଚ୍ଛିନ୍ନ କରାନଯାଏ ଘଡଘଡି ସମୟରେ ବ୍ୟାପକ କ୍ଷତି ହେବାର ସମ୍ଭାବନା ରହିଛି । ଯେହେତୁ ନଡ଼ିଆ ଗୋରଡି ଗ୍ରୀଡ ସବଷ୍ଟେସନ ନିଆଳି ପାଇଁ ଏକମାତ୍ର ବିକଳ୍ପ ତେଣୁ କିଛି କିଛି ସମୟ ପାଇଁ ବିଦ୍ୟୁତ କାଟ ହୋଇଥାଏ । କିନ୍ତୁ ଜାଣିଶୁଣି ବିଦ୍ୟୁତ ବିଭ୍ରାଟ କରାଯାଏ ନାହିଁ ।" ଯଦି ନିଆଳି ଅଞ୍ଚଳ ପାଇଁ ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ ସବଷ୍ଟେସନ ନିର୍ମାଣ କରାଯାଇଥାନ୍ତା ତେବେ ବିଦ୍ୟୁତ୍‌ ସମସ୍ୟା ଉପୁଜି ନଥାନ୍ତା ବୋଲି ଅଧିକାରୀ କହିଛନ୍ତି । କିନ୍ତୁ ସାଧାରଣ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ବିଭ୍ରାଟ ପାଇଁ ସିଧାସଳଖ ଟାଟା କମ୍ପାନୀର ମନମାନିକୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.